ମହିଳାଙ୍କ ବିକାଶ ଲୋଡ଼ା

ଯେ ପର୍ଯ୍ୟନ୍ତ ଦେଶରେ ମହିଳାଙ୍କ ଆର୍ଥିକ ବିକାଶ ନ ହୋଇଛି ଆମର ଅର୍ଥବ୍ୟବସ୍ଥା ଆଗକୁ ଗତି କରିବ ନାହିଁ

ଭାରତୀୟ ସମାଜ ମହିଳାମାନଙ୍କୁ ଆର୍ଥିକ ବିକାଶ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଦୀର୍ଘ ସମୟ ହେଲା ଆମେ ମହିଳା ସଶକ୍ତୀକରଣ ପ୍ରସଙ୍ଗ ଉଠାଇ ଆସିଛନ୍ତି। ତେବେ ଦେଶକୁ ଆର୍ଥିକ କ୍ଷେତ୍ରରେ ଦୃଢ କରିବାକୁ ହେଲେ ମହିଳାଙ୍କ ବିକାଶ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ପ୍ରାୟ ୫୫ କୋଟି ଲୋକ ପରିବାର​‌େ​‌ର ଅର୍ଥ ରୋଜଗାର କରୁଥିବା ସଦସ୍ୟଙ୍କ ଉପରେ ନିର୍ଭର କରନ୍ତି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ସର୍ବାଧିକ। ଅର୍ଥାତ୍‌ ଅଧିକାଂଶ ମହିଳା ଘରୋଇ ଜୀବନରେ ଲିପ୍ତ ହୋଇଥା’ନ୍ତି। ଏହି ଘରୋଇ ମହିଳାଙ୍କ ମଧ୍ୟରେ ଶିକ୍ଷିତ ମହିଳା ବି ସାମିଲ ଅଛନ୍ତି। ତେଣୁ ଏହି ଶିକ୍ଷିତ ମହିଳା କେବଳ ଘରେ ବସି ଅନ୍ୟ ଉପରେ ନିର୍ଭର କରିବା କଥା ନୁହେଁ। ବେକାର ଜୀବନ ବିତାଇ ନିଜର ତଥା ଦେଶର କ୍ଷତି କରିବା ଅପେକ୍ଷା କୌଣସି କାମ କରି ଦେଶର ଅଗ୍ରଗତିରେ ନିଜକୁ ସାମିଲ କରିବା ଆବଶ୍ୟକ। ବିନା କୌଣସି କାର୍ଯ୍ୟରେ ବସି ରହିବା ଶିକ୍ଷିତ ମହିଳାଙ୍କ ପାଇଁ ଅଭିଶାପ। ପାଠ ପଢ଼ିଥିଲେ ମଧ୍ୟ ନିଜ ଜ୍ଞାନର ସଦୁପଯୋଗରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି। ଦେଶର ଆର୍ଥିକ ସୁଧାର ପାଇଁ ଏମାନେ କାମ କରିବା ଆବଶ୍ୟକ। ଏହି ଶିକ୍ଷିତ ମହିଳାଙ୍କ ଆର୍ଥିକ ବିକାଶ ହୋଇ ପାରିଲେ ଦେଶ ମଧ୍ୟ ଆଗେଇ ପାରିବ।
ଏବେ ଭାରତର ଅର୍ଥ ବ୍ୟବସ୍ଥା ଦୁଇ ପ୍ରକାର ଆହ୍ବାନର ମୁକାବିଲା କରୁଛି। ପ୍ରଥମଟି ହେଲା- ଦେଶର ଆର୍ଥିକ ବିକାଶରେ ନିରନ୍ତରତା ବଜାୟ ରହୁ ନାହିଁ। ଦ୍ବିତୀୟଟି ହେଲା- ଆର୍ଥିକ ଅସମାନତା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଭାରତର ଆର୍ଥିକ ବିକାଶରେ ଏହି ଦୁଇଟି ପ୍ରମୁଖ ବାଧା ଭାବେ ଉଭା ହୋଇଛି। କ୍ରମାଗତ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତା ଯୋଗୁଁ ଗରିବ-ଧନୀଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳୁଛି। କରୋନା ମହାମାରୀ ବେଳେ ଦେଶରେ ସାତ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଥିଲେ। ଏହି ସମୟ ମଧ୍ୟରେ ଦେଶର ଅର୍ବୁଦପତି(ବିଲିଅନାର)ଙ୍କ ସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି ପାଇଥିଲା। ମହାମାରୀ ସମୟରେ ଏଭଳି ସ୍ଥିତି ସଭିଙ୍କୁ ଚିନ୍ତାରେ ପକାଇଥିଲା। ଏଭଳି ବିକଟ ପରିସ୍ଥିତିରୁ ଆମକୁ ମୁକୁଳିବାକୁ ପଡ଼ିବ। ଦେଶରେ ଆର୍ଥିକ ସୁଧାର କ୍ଷେତ୍ରରେ ମହିଳାଙ୍କ ଆର୍ଥିକ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବା ଆବଶ୍ୟକ। ଶିକ୍ଷିତ ମହିଳା ଘର କାର୍ଯ୍ୟ ଅଥବା ବେକାର ଭାବେ ଘରେ ବସି ରହୁଛନ୍ତି। ସେମାନଙ୍କ ଜ୍ଞାନ ଦେଶ ସେବାରେ ଲାଗି ପାରୁ ନାହିଁ। ଏପରି ଏକ ବଡ଼ ବର୍ଗର ମହିଳାଙ୍କ ଆର୍ଥିକ ବିକାଶ ହୋଇ ପାରିଲେ ଦେଶର ପ୍ରଗତି ସୁନିଶ୍ଚିତ ହୋଇ ପାରିବ।
ଯେତେବେଳେ ପ୍ରତ୍ୟେକ ମହିଳା ନିଜ ରୋଜଗାରକୁ ନିଜର ଉଦ୍ଦେଶ୍ୟ ବୋଲି ଭାବିବେ ସେତେବେଳେ ତାଙ୍କ ଆର୍ଥିକ ବିକାଶ ହୋଇ ପାରିବ। ସ୍ବାଧୀନତାର ୭୫ ବର୍ଷ ପରେ ଆମେ ‘ମହିଳା ସଶକ୍ତୀକରଣ’ ଭାବନାରେ ରହି ଅସିଛୁ। ବାସ୍ତବ କ୍ଷେତ୍ରରେ ଏହା ଏକ ଧ୍ବନି ଭିତରେ ସୀମିତ ରହି ଯାଇଛି। ଏହା ଉପରେ ଦେଶର ସରକାର ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଦୃଢତାର ସହ କାମ ହେବା ଆବଶ୍ୟକ। ଦେଶର ମୋଟ ଜନସଂଖ୍ୟାର ୩୮ ପ୍ରତିଶତ ହେଉଛନ୍ତି ମହିଳା। ଏମାନଙ୍କ ମଧ୍ୟରୁ କେବଳ ମାତ୍ର ଏକ-ତୃତୀୟାଂଶ ରୋଜଗାରକ୍ଷମ। ଭାରତର ମୋଟ ଏମଏସଏମଇ (ମିନିଷ୍ଟ୍ରି ଅଫ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌)ର କେବଳ ୧୯ ପ୍ରତିଶତ ମହିଳାଙ୍କ ଦ୍ବାରା ସଂଚାଳିତ ହେଉଛି। ମହିଳାଙ୍କ ବେତନ ମଧ୍ୟ ସନ୍ତୋଷଜନକ ନୁହେଁ। ପୁରୁଷଙ୍କ ବେତନର ୬୫ ପ୍ରତିଶତ କୌଣସି ମହିଳା କର୍ମଚାରୀ ବେତନ ଆକାରରେ ପାଇଥା’ନ୍ତି। ବିଏସଇ ଓ ଏନଏସଇ (ବମ୍ବେ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ)ରେ ସୂଚୀବଦ୍ଧ ଥିବା କମ୍ପାନୀଗୁଡ଼ିକରେ ମାତ୍ର ୯ ପ୍ରତିଶତ ମହିଳା ଉଚ୍ଚ ପଦରେ ଅଛନ୍ତି। ଦେଶର ବିଭିନ୍ନ କମ୍ପାନୀମାନେ କମ୍ପ୍ୟୁଟର ଦ୍ବାରା ଯେପରି କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ୨୦୩୦ ବେଳକୁ କର୍ମ ନିଯୁକ୍ତି ଉପରେ ଏହାର କୁପ୍ରଭାବ ପଡ଼ିବ। ଏଥିରେ ସର୍ବାଧିକ କ୍ଷତି ସହିବେ ମହିଳା। ଏକ ଗବେଷଣା ଅନୁଯାୟୀ, ଭାରତରେ ପୁରୁଷମାନଙ୍କୁ ଯେତିକି ବେତନ ଦିଆଯାଉଛି ମହିଳାମାନଙ୍କୁ ସେତିକି ଦେଲେ ଦେଶର ଅର୍ଥବ୍ୟବସ୍ଥାରେ ବିନା ପରିବର୍ତ୍ତନରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୭ ଶହ କୋଟି ଆମେରିକୀୟ ଡଲାର ବୃଦ୍ଧି ପାଇବ।
ଗତ କିଛି ବର୍ଷ ହେଲା ସମାଜରେ ପରିବର୍ତ୍ତନ ଘଟିଥିବା ଦେଖିବାକୁ ମିଳୁଛି। ପିତା-ମାତା ନିଜ ଝିଅକୁ ସାଧାରଣ ପାଠ୍ୟକ୍ରମରେ ନପଢାଇ ଅଧିକ ସଂଖ୍ୟାରେ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ନାମ ଲେଖାଉଛନ୍ତି। ପିତା-ମାତାଙ୍କ ଏପରି ରୁଚି ପୂର୍ବରୁ ନଥିଲା। ଘରେ ବସି ନରହି ନିଜକୁ ସ୍ବାବଲମ୍ବୀ କରିବା ମହିଳାଙ୍କ ଉତ୍ତରଦାୟିତ୍ବ ହେବା ଆବଶ୍ୟକ। ଅନ୍ୟର ହାତକୁ ନ ଅନାଇ ନିଜେ ପରିଶ୍ରମ କରି ଦୁଇ ପଇସା କମାଇବା ପାଇଁ ପିତା-ମାତା ସେମାନଙ୍କୁ ପାଠ ପଢାଇ ଶିକ୍ଷିତ କରାଇଛନ୍ତି। ଏବେ ସେମାନଙ୍କ ବିଦ୍ୟାର ସଦୁପଯୋଗ କରିବା ସମୟ। କେବଳ ଘରେ ବସି ​ବୋଝ ପାଲଟିବା ବ୍ୟତୀତ ନିଜର ଶିକ୍ଷା ସାମର୍ଥ୍ୟକୁ ସମାଜରେ ପ୍ରତିଷ୍ଠିତ କରିବା ଆବଶ୍ୟକ। ଏଥିପାଇଁ ଗଣମାଧ୍ୟମଠାରୁ ଆରମ୍ଭ କରି ସରକାର ମଧ୍ୟ କେତୋଟି କ୍ଷେତ୍ରରେ ଶିକ୍ଷିତ ମହିଳା ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।ଏହାକୁ ଏକ ସୁଯୋଗ ଭାବି ମହିଳାମାନେ ନିଜର ଆର୍ଥିକ ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସେମାନଙ୍କ ବିକାଶ ଘଟିଲେ ଆମ ଦେଶ ଆର୍ଥିକ କ୍ଷେତ୍ରରେ ଆହୁରି ସୁଦୃଢ ହୋଇ ପାରିବ।

Comments are closed.