ଆଦିବାସୀ ବସତି ଦେରଗୁଡାରେ କେବେ ପହଞ୍ଚିବ ବିକାଶ?

କଲମପୁର: ନାହିଁ ଅଙ୍ଗନୱାଡି କେନ୍ଦ୍ର କି ନାହିଁ ପ୍ରାଥମିକ ବିଦ୍ୟାଳୟ। ଗାଁର ଶିଶୁ ଲିଟି ଜୋର ନାଳ ଡେଇଁ ପୋଇଗୁଡାଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇଥାନ୍ତି ପାଠ ପଢିବା ପାଇଁ। ଗର୍ଭବତୀ, ପ୍ରସୂତୀ ସମେତ ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇଁ ସେଇ ଲିଟିଜୋର ଡେଇଁ ପୋଇଗୁଡା ଗ୍ରାମକୁ ଯାଇଥାନ୍ତି। ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକରେ। ଖୋଦ୍‍ ଥୁଆମୁଳ ରାମପୁର ବ୍ଲକ ଥୁଆମୁଳ ରାମପୁର ପଂଚାୟତର ଏକ ଗାଁ ଦେରଗୁଡା। ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ବିତି ସାରିଥିଲେ ମଧ୍ୟ ତଥା କଥିତ ବିକାଶ ପହଞ୍ଚି ପାରିନାହିଁ ଏହି ଗାଁରେ। ରାସ୍ତା ଓ ପୋଲ ନଥିବାରୁ ଯାତାୟତ ପାଇଁ ଲୋକେ ଅକଥନୀୟ ଦୁଃର୍ଦଶା ଭୋଗୁଛନ୍ତି।

prayash

ବ୍ଲକ ସଦର ମହାକୁମାଠାରୁ ମାତ୍ର ୩ କିଲୋମିଟର ମଧ୍ୟରେ ରହିଛି ଏହି ଦେରଗୁଡା ଗ୍ରାମ କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏହି ଗାଁର ଅବସ୍ଥା। ଥୁଆମୁଳ ରାମପୁର ପଂଚାୟତ ୧୯ ନମ୍ବର ୱାର୍ଡ ଏହି ଦେରଗୁଡାରେ ପ୍ରାୟ ୨୨ ଆଦିବାସୀ ଓ ୧୮ ହରିଜନ ପରିବାରର ପ୍ରାୟ ୨୫୦ ଲୋକ ବସବାସ କରନ୍ତି। ଉଭୟ ଅଙ୍ଗନୱାଡି କି ପ୍ରାଥମିକ ବିଦ୍ୟାଳୟ ନଥିବାରୁ ଏହି ୱାର୍ଡର ୧୫୦ରୁ ଅଧିକ ମତଦାତା ସେଇ ଲିଟିଜୋର ନାଳ ଡେଇଁ ପୋଇଗୁଡା ବିଦ୍ୟାଳୟରେ ଥିବା ମତଦାନ କେନ୍ଦ୍ରରେ ମତଦାନ କରିଥାନ୍ତି। ପୂର୍ବରୁ ଡି.ପି.ଇ.ପି ମାଧ୍ୟମରେ ଏକ ବିଦ୍ୟାଳୟ ଚାଲିଥିଲା, କିନ୍ତୁ ପରବର୍ତି ସମୟରେ ଏହା ବନ୍ଦ ହେଇଗଲା ବୋଲି ଗ୍ରାମର ଶିକ୍ଷିତ ଯୁବକ ସୁନାଧର ମାଝୀ ସୁଚନା ଦେଇଛନ୍ତି। ସେହି ଡି.ପି.ଇ.ପି ର ଶିକ୍ଷା ଅନୁଷ୍ଠାନରେ ସେ ପ୍ରାଥମିକ ପାଠ ପଢି ଆଜି କଲମପୁର ଯୁକ୍ତ ତିନି ମହାବିଦ୍ୟାଳୟରେ ପାଠ ପଢୁଥିବା ସୁଚନା ଦେଇଛନ୍ତି। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ହେଲେ ତାଙ୍କ ଗାଁର ଅନ୍ୟ ଶିଶୁମାନେ ପ୍ରାଥମିକ ଶିକ୍ଷା ଲାଭ କରି ପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଗାଁରେ ଏବେ ବି ୬ରୁ ୧୪ ବର୍ଷ ମଧ୍ୟରେ ୩୦ରୁ ଅଧିକ ଶିଶୁ ରହିଛନ୍ତି କିନ୍ତୁ ପୋଇଗୁଡା ବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ଅଭାବ ସମେତ ଲିଟିଜୋର ନାଳ ଏକ ଭୌଗଳିକ ପ୍ରତିବନ୍ଧକ ସାଜିଛି। ତେଣୁ ବହୁ ଶିଶୁ ପ୍ରାଥମିକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି। ଶିକ୍ଷା ଭଳି ମୌଳିକ ଅଧିକାର ସେମାନେ ପାଇ ପାରୁ ନହାଁନ୍ତି। ବିଶେଷ ଭାବେ ବାଳିକା ଶିକ୍ଷା ଠପ୍‍ ହେଇଯାଇଛି। ସେହିଭଳି ପୋଇଗୁଡା ଅଥବା ଥୁଆମୁଳ ରାମପୁରକୁ ରାସ୍ତା ଓ ପୋଲ ଅଭାବ ଥିବା ବେଳେ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିକଟସ୍ଥ ପୋଇଗୁଡା ଯିବାରେ ଅସୁବିଧା ହେଉଥିବା ଯୋଗୁଁ ଗାଁର ପ୍ରସୁତୀ, ଗର୍ଭବତୀ, ଶିଶୁ ଓ କିଶୋର କିଶୋରୀ ବାଳିକା ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ପ୍ରାପ୍ତ ହେଉଥିବା ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। ଅଣ୍ଡା, ଛତୁଆ ଭଳି ପୃଷ୍ଟିକର ଖାଦ୍ୟ ଏମାନଙ୍କ ପାଇଁ ସପନ ପାଲଟୁଥିବା କହିଛନ୍ତି ସଞ୍ଜୁଲତା ମାଝୀ ନାମକ ମହିଳା। ଏହାସହ ରାସ୍ତାର ସୁବିଧା ନଥିବା ଯୋଗୁଁ ଅନେକ ସମୟରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ। ବର୍ଷା ଦିନେ ରୋଗୀ ବୁହା ଗାଡି ଆସି ପାରି ନଥାଏ ତେଣୁ ଗ୍ରାମବାସୀ କୌଣସି ରୋଗୀଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ବହୁ ଅସୁବିଧାର ସମ୍ମୁଖିନ ହେଇଥାନ୍ତି। ବାଧ୍ୟ ହେଇ ଖଟିଆରେ ବୋହି ନେଉଥିବା ଗ୍ରାମର ପାଟ ମାଝୀ ଓ ଉର୍ମିଳା ମାଝୀ ମତବ୍ୟକ୍ତ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଆଦିବାସୀ ଉନ୍ନତି କ’ଣ କେବଳ ସ୍ଲୋଗାନ ? ତଥା କଥିତ ବିକାଶ କ’ଣ ବାଟବଣା ? ଦେରଗୁଡାଠାରେ କେବେ ପହଞ୍ଚିବ ବିକାଶ ?

 

 

 

kalyan agarbati

Comments are closed.