ଦେବଗଡ଼଼: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବରଡାନାଳି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ ୮ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବରଡାନାଳୀ ଗ୍ରାମର ଜିଲୁ ମାଝୀଙ୍କ ପୁଅ ମୁନା ମାଝୀ (୮) ସାଙ୍ଗସାଥୀଙ୍କ ସହ ଗାଁ ମୁଣ୍ଡରେ ଥିବା ଏକ ନିର୍ମାଣାଧିନ କୋଠାର ଛାତ ଉପରେ ଚଢି ଖେଳୁଥିଲେ। ଏହି ସମୟରେ ମୁନା ଉକ୍ତ ଅର୍ଦ୍ଧନିର୍ମିତ କୋଠା ଉପରେ ଯାଇଥବା ଜୀବନ୍ତ ବିଦ୍ୟୁତ ତାରକୁ ଦୋଳି ଭାବି ତହିଁରେ ଝୁଲିପଡ଼ିବାରୁ ତଙ୍କର ଦୁଇଟି ଯାକ ପାପୁଲି ଏବଂ ୨ ହାତର ବିଭିନ୍ନ ଅଂଶ ଗୁରୁତର ଭାବେ ପୋଡିଯିବା ସହ ସେ ବିଦ୍ୟୁତ କରେଂଟରେ ଛାତ ଉପରକୁ ଛିଟିକି ପଡ଼ିଥିଲେ।
ମୁନାକୁ ଉଦ୍ଧାର କରି ଚକିତ୍ସା ନିମନ୍ତେ ପ୍ରଥମେ ଛତାବର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମୁନାଙ୍କ ଦୁଇଟି ଯାକ ପାପୁଲିରେ ଗଭୀର କ୍ଷତ ହୋଇଯାଇଥିବାରୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିବାର ଆଶଙ୍କା ଥିବାରୁ ଉପଯୁକ୍ତ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଚନ୍ଦନଖୁଂଟି ଗ୍ରାମର ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିବା ସହ ଜାଆଁଳା ଭାଇ ଗୁରୁତର ଆହତ ହୋଇଥିଲେ।



