କାର-ବାଇକ ଚଳାଇବା ହେବ ମହଙ୍ଗା: ୧୨ବର୍ଷ ପରେ ବୃଦ୍ଧି ହୋଇପାରେ ଦେୟ

ନୂଆଦିଲ୍ଲୀ: ଯଦି ଆପଣ ରାଜଧାନୀ ଦିଲ୍ଲୀରେ ରହୁଛନ୍ତି ଏବଂ ଆପଣଙ୍କର କାର ଓ ବାଇକ ଅଛି ତେବେ ଏହା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ । କାରଣ ଦିଲ୍ଲୀରେ କାର ଓ ବାଇକ ଚଳାଇବା ମହଙ୍ଗା ପଡିପାରେ । ଆପଣ ଭାବୁଛନ୍ତି କି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାକୁ ଯାଉଛି, ତାହା ନୁହେଁ । ଦିଲ୍ଲୀରେ ପ୍ରଦୂଷଣ ପରୀକ୍ଷଣର ମୂଲ୍ୟ ଶୀଘ୍ର ବୃଦ୍ଧି ପାଇବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ସିଧାସଳଖ ଗାଡି ମାଲିକଙ୍କ ପକେଟ ଉପରେ ପଡିବ । ଏନବିଟି ରିପୋର୍ଟ ଅନୁସାରେ ପେଟ୍ରୋଲ ଡିଲରଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରୀଙ୍କ ନିକଟକୁ ଯାନବାହାନରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ପ୍ରଦାନ ପାଇଁ ଦେୟ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ପଠାଯାଇଛି । ଏହି ପ୍ରସ୍ତାବକୁ ପରିବହନ ମନ୍ତ୍ରୀ କୈଳାଶ ଗେହଲଟଙ୍କ ଅନୁମୋଦନ ମିଳିବା ମାତ୍ରେ ପ୍ରଦୂଷଣ ପରୀକ୍ଷଣ ଶୁଳ୍କ ବୃଦ୍ଧି କରାଯିବ ବୋଲି ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ବୃଦ୍ଧି ୭୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।
ଦିଲ୍ଲୀର ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନରେ ପ୍ରାୟ ୯୦୦ ପିୟୁସି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ପମ୍ପ ଡିଲରମାନେ କହିଛନ୍ତି ଯେ ୨୦୧୧ ମସିହାରୁ ଏଯାବତ ଅର୍ଥାତ ୧୨ ବର୍ଷ ମଧ୍ୟରେ ପ୍ରଦୂଷଣ ପରୀକ୍ଷା ଶୁଳ୍କ ବୃଦ୍ଧି କରାଯାଇନାହିଁ । ପେଟ୍ରୋଲ ଡିଲର ଆସୋସିଏସନ ଜୁଲାଇ ୧ରୁ ସମସ୍ତ ପିୟୁସି କେନ୍ଦ୍ରରେ ଧର୍ମଘଟ ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଥିଲା । ଏହାପରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଗତ ସପ୍ତାହରେ ସଂଘର ସଦସ୍ୟମାନଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକ ପରେ ମନ୍ତ୍ରୀ କହିଥିଲେ ଯେ ସରକାର ଡିଲରଙ୍କ ଦାବିକୁ ପୂରଣ କରିବାକୁ ସହମତି ପ୍ରକାଶ କରିଛନ୍ତି । ମନ୍ତ୍ରୀଙ୍କ ବୟାନ ପରେ ପମ୍ପ ଡିଲରମାନେ ସେମାନଙ୍କର ଧର୍ମଘଟକୁ ଜୁଲାଇ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଯଦି ପମ୍ପ ଡିଲରଙ୍କ ଏହି ଦାବି ପୂରଣ ହୁଏ ତେବେ ଦିଲ୍ଲୀରେ ପେଟ୍ରୋଲ ଏବଂ ସିଏନଜିରେ ଚାଲୁଥିବା ଦୁଇ ଏବଂ ଚାରି ଚକିଆ ଯାନ ପାଇଁ ପିୟୁସି ଦେୟ ବୃଦ୍ଧି ପାଇବ ।

Comments are closed.