ହାଜତକୁ ଗଲେ ଦିଲ୍ଲୀ ଅଧିକାରୀ ଓ ପତ୍ନୀ
ସମ୍ପର୍କୀୟ ନାବାଳିକା ଭାଣିଜୀକୁ ଯୌନଶୋଷଣ ମାମଲା
ନୂଆଦିଲ୍ଲୀ : ଦୁର୍ଘଟଣାରେ ବାପାଙ୍କୁ ହରାଇ ଦୁର୍ଦିନରେ ଥିବା ନାବାଳିକାକୁ ସହାୟତା ଆଳରେ ଆଣି ପତ୍ନୀଙ୍କ ସହାୟତାରେ ଯୌନ ଶୋଷଣ କରିଥିବା ଦିଲ୍ଲୀ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପନିର୍ଦେଶକ ପ୍ରେମୋଦୟ ଖାଖା (୫୧) ଓ ତାଙ୍କ ପତ୍ନୀ ସୀମା ରାଣୀ(୫୦)ଙ୍କୁ ପୁଲିସ ଦୀର୍ଘ ସମୟ ଜେରା ପରେ ଗିରଫ କରିଛି। ସେମାନଙ୍କୁ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉପନିର୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ମୁଖ୍ୟ ଶାସନ ସଚିବଙ୍କଠାରୁ ଜବାବ ତଲବ କରିଛନ୍ତି। ରବିବାର ଖାଖାଙ୍କୁ ଗିରଫ କରାଯାଇଥିବା ପ୍ରଚାର ହୋଇଥିଲେ ମଧ୍ୟ କେବଳ ଅଟକ ରଖାଯାଇଥିଲା। ଗିରଫରେ ବିଳମ୍ବ ଯୋଗୁଁ ସୋମବାର ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ପୁଲିସକୁ ନୋଟିସ ଜାରି କରିଥିଲେ। ପୁନଶ୍ଚ ଚିକିତ୍ସାଧୀନ ନାବାଳିକାଙ୍କୁ ଭେଟିବା ପାଇଁ ଯାଇଥିବା ସ୍ବାତୀଙ୍କୁ ସେଣ୍ଟ ଷ୍ଟିଫେନ୍ସ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ନ ଦେବାରୁ ସେ ସେଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀ ପୁଲିସ ଏଥିପାଇଁ ବାରଣ କରିଥିବାରୁ ଏହା ବିରୋଧରେ ସ୍ବାତୀ ବିଷୋଦ୍ଗାର କରିଛନ୍ତି। ସୂଚନାଯୋଗ୍ୟ ଯେ ନାବାଳିକା ଗର୍ଭପାତ ଜନିତ ଅସୁସ୍ଥ ହୋଇପଡ଼ିବା ପରେ ଘୋର ମାନସିକ ଆଘାତ (ପ୍ୟାନିକ୍ ଆଟାକ୍) ପାଇଛନ୍ତି। ତାଙ୍କୁ ଏବେ ମାନସିକ ରୋଗ ବିଶେଷଜ୍ଞମାନେ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ ଏନ୍ସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ କହିଛନ୍ତି ଯେ ପୀଡ଼ିତା ୨୦୨୦ରୁ ଅନାଥ ହୋଇଯାଇଥିଲେ ମଧ୍ୟ ‘ବାଲ୍ସ୍ବରାଜ୍’ ପୋର୍ଟାଲ କିମ୍ବା ଦିଲ୍ଲୀ ସରକାରଙ୍କ ନିକଟରେ ଏ ସମ୍ପର୍କିତ ତଥ୍ୟ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ରାୟ ଅନୁସାରେ ପ୍ରତି ଅନାଥ ଶିଶୁଙ୍କ ସମ୍ପର୍କରେ ବାଲ୍ସ୍ବରାଜ ପୋର୍ଟାଲରେ ତଥ୍ୟ ରହିବା ଅପରିହାର୍ଯ୍ୟ।
ସୂଚନାଯୋଗ୍ୟ ଯେ ପୀଡ଼ିତା ନାବାଳିକାଙ୍କ ବାପା ଅଭିଯୁକ୍ତ ଖାଖାଙ୍କର ଘନିଷ୍ଠ ବନ୍ଧୁ ଥିଲେ। ଖାଖାଙ୍କୁ ନାବାଳିକା ‘ମାମୁ’ ସମ୍ବୋଧନ କରୁଥିଲେ। ୨୦୨୦ ଅକ୍ଟୋବର ୧ରେ ଏକ ଦୁର୍ଘଟଣାରେ ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ପରେ ଖାଖା ତାଙ୍କୁ ସାହାଯ୍ୟ ଆଳରେ ନଭେମ୍ବରରୁ ଆଣି ନିଜ ଘରେ ରଖିଥିଲେ। ସେତେବେଳେ ମାତ୍ର ୧୪ ବର୍ଷର ହୋଇଥିବା ନାବାଳିକାଙ୍କୁ ସେ ନିୟମିତ ବଳାତ୍କାର କରୁଥିଲେ। ଖାଖାଙ୍କ ପତ୍ନୀ ସୀମା ଏଭଳି କୁକର୍ମରେ ସ୍ବାମୀଙ୍କୁ ସହଯୋଗ କରୁଥିଲେ। ସୀମା ନିଜ ପୁଅ ମାଧ୍ୟମରେ ଗର୍ଭନିରୋଧକ ଔଷଧ ଆଣି ପୀଡ଼ିତାଙ୍କୁ ଖୁଆଇଥିଲେ। ଘରେ ହିଁ ତାଙ୍କର ଗର୍ଭପାତ କରାଯାଇଥିଲା। ସମ୍ପ୍ରତି ଦ୍ବାଦଶ ଶ୍ରେଣୀର ଛାତ୍ରୀ ଥିବା ୧୭ ବର୍ଷୀୟା ପୀଡ଼ିତା ଗର୍ଭପାତ ପରେ ପ୍ୟାନିକ୍ ଆଟାକ୍ର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କ ମାଆ ଏ ସମ୍ପର୍କରେ ଅବଗତ ନ ଥିଲେ। ପୀଡ଼ିତା ଡାକ୍ତରଙ୍କୁ ଏହାର କାରଣ କହିବା ପରେ ଡାକ୍ତରଙ୍କ ପକ୍ଷରୁ ପୁଲିସକୁ ଅବଗତ କରାଯାଇଥିଲା। ପୁଲିସକୁ ପୀଡ଼ିତା ନିଜ ବୟାନରେ ସବୁ କଥା କହିବା ପରେ ଘଟଣା ପଦାକୁ ଆସିଥିଲା।
Comments are closed.