ଦିଲ୍ଲୀ କ୍ଷମତା କନ୍ଦଳ ପୁଣି ସୁପ୍ରିମକୋର୍ଟ ଗଲା

0

ନୂଆଦିଲ୍ଲୀ : ସର୍ବୋଚ୍ଚ ନ୍ୟାୟାଳୟରେ ପୁଣି ପହଞ୍ଚିଛି ଦିଲ୍ଲୀର କ୍ଷମତା କନ୍ଦଳ। ଏ ସମ୍ବନ୍ଧରେ ସାମ୍ବିଧାନିକ ପୀଠଙ୍କ ପୂର୍ବ ରାୟ ପାଳନ କରିବାରେ ଉପରାଜ୍ୟପାଳ ଅନୀଲ ବୈଜଲ୍‍ ବାଛବିଚାର ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଆପ୍‍ ପୁନଃ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛି। ଦିଲ୍ଲୀ ସରକାରଙ୍କ କ୍ଷମତା ସ୍ପଷ୍ଟ କରିବା ଲାଗି ଆପ୍‍ ପକ୍ଷରୁ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଆବେଦନ କରାଯାଇଛି। ଏହି ଆବେଦନ ଉପରେ ଶୁଣାଣି ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡଙ୍କ ପୀଠ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହରେ ଏହି ଆବେଦନ ଉପରେ ଶୁଣାଣି ହେବ।
ଜୁଲାଇ ୪ରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଦିଲ୍ଲୀର ପ୍ରଶାସନିକ ମାପଦଣ୍ଡ ସ୍ପଷ୍ଟ କରିଥିଲେ। ପୀଠ କହିଥିଲେ, ଦିଲ୍ଲୀରେ ପ୍ରଶାସନିକ ନିଷ୍ପତ୍ତି ନେବାର ସ୍ୱାଧୀନ ଅଧିକାର ଉପ-ରାଜ୍ୟପାଳଙ୍କର ନାହିଁ। ନିର୍ବାଚିତ ସରକାରଙ୍କ ଅଧୀନ ସମସ୍ତ ପ୍ରସଙ୍ଗ ଉପରେ ମନ୍ତ୍ରୀ ପରିଷଦର ସହଯୋଗ ଏବଂ ପରାମର୍ଶ ଗ୍ରହଣ କରିବାକୁ ଉପରାଜ୍ୟପାଳ ବାଧ୍ୟ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଜମିଜମା, ପୁଲିସ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରଶାସନିକ ପ୍ରସଙ୍ଗ ଉପରେ ଦିଲ୍ଲୀ ସରକାର ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ପୀଠ ଦର୍ଶାଇଥିଲେ। ତେବେ ଉପରାଜ୍ୟପାଳ ଆପ୍‍ ସରକାରର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି। ଏପରିକି ଦିଲ୍ଲୀ ଅମଲାତନ୍ତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦେଶ ପାଳନ କରୁନାହିଁ ବୋଲି ପୂର୍ବ ଶୁଣାଣି ବେଳେ ଆପ୍‍ ସରକାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାରଙ୍କ ପ୍ରଶାସନିକ ଏବଂ ବୈଧାନିକ କ୍ଷମତା ସମ୍ବନ୍ଧରେ ପୃଥକ୍‍ ଭାବେ ଏକ କ୍ଷୁଦ୍ର ପୀଠରେ ଶୁଣାଣି ହେବ ବୋଲି ସାମ୍ବିଧାନିକ ପୀଠ କହିଥିଲେ।
ସୁପ୍ରିକୋର୍ଟଙ୍କ ରାୟ ପାଳନରେ ଉପରାଜ୍ୟପାଳ ବାଛବିଚାର କରୁଥିବା କେଜରିୱାଲ ସୋମବାର ଅଭିଯୋଗ କରିଥିଲେ। ସେ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟର ୫ଟି ପ୍ରସଙ୍ଗ ମଧ୍ୟରୁ ମାତ୍ର ୪ଟି ପାଳନ କରିବାକୁ ଉପରାଜ୍ୟପାଳ ବୈଜଲ୍‍ ରାଜି ଅଛନ୍ତି। ପଞ୍ଚମ ପ୍ରସଙ୍ଗ, ଅର୍ଥାତ୍‍ ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିୟମିତ ପୀଠ ନିଷ୍ପତ୍ତି ନେବେ ବୋଲି ଉପରାଜ୍ୟପାଳ ବାରମ୍ବାର କହୁଛନ୍ତି। ଅନ୍ୟପଟେ ଦିଲ୍ଲୀ ଅମଲାତନ୍ତ୍ର ଆପ୍‍ ସରକାରଙ୍କ କୌଣସି ନିର୍ଦେଶ ପାଳନ କରୁ ନ ଥିବା ମଧ୍ୟ କେଜରିୱାଲ ଅଭିଯୋଗ କରିଛନ୍ତି।

Leave A Reply