ରାସ୍ତା ସମ୍ପ୍ରସାରଣ ନାଁରେ ଚାଲିଛି ଅବାଧ ଗଛକଟା, ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ ଉତ୍ତର

0

ଧାମରା: ଧାମରାରେ ଚାଲିଛି ଅବାଧ ଗଛକଟା। ବନ ବିଭାଗ ପାଖରେ ଏ ଖବର ନଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଏ ଗଛ କାଟୁଛି ବୋଲି ବିଭାଗୀୟ ଅଧିକାରୀ ପ୍ରଶ୍ନ କରିଛନ୍ତି। ଖବରରୁ ଜଣାଯାଇଛି ଧାମରା ବନ୍ଦର କର୍ତ୍ତୃପକ୍ଷ ନିଜ ରାସ୍ତାର ସଂପ୍ରସାରଣ ନିମନ୍ତେ ଡିଆଇ ରୋଡଠାରୁ ଆଦାନୀ ଗେଟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ଗଛକୁ କାଟିଥିବା ଜଣାଯାଇଛି। ମାତ୍ର ଏହି ଗଛ ଗୁଡିକ କାଟିବା ପୂର୍ବରୁ ସେହି ପରିମାଣରେ ଅଥବା ତାହା ଠାରୁ ଅଧିକ ପରିମାଣରେ ଗଛ ସାଧାରଣ ସ୍ଥାନରେ ଅଥବା ବନ୍ଦର ପାର୍ଶ୍ଵବର୍ତ୍ତୀ ଇଲାକାରେ ଲଗାଇବା ପାଇଁ ନିୟମ ଅଛି ବୋଲି ଭଦ୍ରକ ଡିଏଫଓ ଅମ୍ଳାନ କୁମାର ନାୟକ ମତ ପୋଷଣ କରିଛନ୍ତି। ଏହି ଅଞ୍ଚଳରେ ଯେ କୌଣସି ବ୍ୟକ୍ତି ବିଶେଷ ଅଥବା କୌଣସି ସଂସ୍ଥା ବନବିଭାଗ ପାଖରୁ ଲିଖିତ ଆଦେଶ ପାଇବା ପରେ ଗଛ କାଟିବା ବିଧେୟ। ମାତ୍ର ସରକାରୀ ସ୍ତରରେ କୌଣସି ଆଦେଶ ପାଇବା ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ କୌଣସି ପରିସ୍ଥିତିରେ ଏହି ଗଛ କାଟି ପାରିବେ ନାହିଁ ବୋଲି ଚାନ୍ଦବାଲି ରେଞ ଅଫିସର ଅରୁଣ କୁମାର ବେହେରା ମତବ୍ୟକ୍ତ କରିଥିବା ବେଳେ ସମସ୍ତ ସରକାରୀ ଆଦେଶକୁ ଫୁ କରି ଧାମରା ବନ୍ଦର କର୍ତ୍ତୃପକ୍ଷ ଅବାଧରେ ଗଛ କାଟି ଚାଲିଛନ୍ତି। ଏହାର ସରଜମିନ ତଦନ୍ତ କରିବା ପାଇଁ ଭଦ୍ରକ ଡିଏଫଓ ଏବଂ ଚାନ୍ଦବାଲି ତହସିଲଦାର ନିଜ ଷ୍ଟାଫଙ୍କୁ ପଠାଇ ତଥ୍ୟ ଆଣୁଛନ୍ତି,ଏହି ଗଛ କଟା ହୋଇଥିବା ଜାଗା ଚାନ୍ଦବାଲି ତହସିଲର ଅଥବା ବନବିଭାଗ ଅଥବା ବନ୍ଦର କର୍ତ୍ତୃପକ୍ଷଙ୍କର ତାହା ତଦନ୍ତ ପରେ ଜଣା ପଡିବ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଏହା ବିରୁଦ୍ଧରେ ଦୃଢ ପଦକ୍ଷେପ ନେବେ ବୋଲି ମତ ପ୍ରକାଶ ପାଇଛି।

Leave A Reply