ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା: ଡେଥ୍ଜୋନ୍ରେ ପାଞ୍ଚ ଜାତୀୟପଥ
ଭୁବନେଶ୍ୱର : ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ଏଥିଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି। ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବଞ୍ଚାଯାଇ ପାରନ୍ତା ସେହି ସମୟରେ ସରକାରଙ୍କ ପକ୍ଷରୁ ଟ୍ରମାକେୟାର ସୁବିଧା ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ରୋକିବାପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏକ କମିଟି ଗଠନ କରାଯାଇଛି। ଚଳିତମାସ ପହିଲାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଉନ୍ନୟନ କମିଶନର ତଥା ବର୍ତ୍ତମାନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟିର ବିଚାରପତିଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
କମିଟି ତର୍ଜମା ପରେ ଜାଣିବାକୁ ପାଇଛି ଯେ ରାଜ୍ୟ ସରକାର କେତେଗୁଡିଏ ଗୁରୁତ୍ବପୂର୍ଣ୍ଣ ଦିଗପ୍ରତି ଧ୍ୟାନ ଦେଉ ନଥିବାରୁ ସଡ଼କ ଦୁର୍ଘଟଣା ବଢ଼ୁଛି। ଯାହାଦ୍ବାରା ୫ଟି ଜାତୀୟ ରାଜପଥ ଏବେ ଡେଥଜୋନରେ ପରିଣତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ସ୍କୁଲ ବସଗୁଡିକ ବେପରୁଆ ଭାବେ ଗାଡି ଚଳାଉଛନ୍ତି। ଏମାନଙ୍କ ଉପରେ ଅଙ୍କୁଶ ଅଭାବରୁ ଦୁର୍ଘଟଣା ଘଟୁଛି। ଏହାକୁ ରୋକିବାପାଇଁ ନିର୍ଦିଷ୍ଟ କେତେକ ପଦକ୍ଷେପ ଗ୍ରହଣ କରିବାକୁ କମିଟି ଅଧ୍ୟକ୍ଷ ବିଚାରପତି କେ ଏସ ରାଧାକ୍ରିଷ୍ଣନ, ସଭ୍ୟ ଏସ ସୁନ୍ଦର ଓ ଡ. ନିଶି ମିତ୍ତଲଙ୍କ ପକ୍ଷରୁ ସଚିବ ଏସ ଡି ବାଙ୍ଗା ରାଜ୍ୟ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶନାମାକୁ ରାଜ୍ୟ ସରକାର କିପରି କାର୍ଯ୍ୟାନ୍ବୟନ କଲେ ତା’ ଉପରେ ଅକ୍ଟୋବର ୨୦ସୁଦ୍ଧା ରିପୋର୍ଟ ଦେବାକୁ କମିଟି ପକ୍ଷରୁ ଶ୍ରୀ ବାଙ୍ଗା ଦର୍ଶାଇଛନ୍ତି।
କମିଟିର ସୁପାରିସ ଅନୁଯାୟୀ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯେଉଁମାନେ ବେଆଇନ ଭାବେ ଗାଡି ଚଳାଉଛନ୍ତି ସେମାନଙ୍କୁ ଚିହ୍ନଟ କରି ଲାଇସେନ୍ସ ବାତିଲ କରିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଜାତୀୟ ଓ ରାଜ୍ୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା ନିୟମିତ କଡ଼ାକଡ଼ି କରାଯିବା ଦରକାର। ସେହିପରି ବିପଦ ସଙ୍କୁଳ ସଡ଼କ ପଥ ତଥା ଡେଥ ଜୋନରେ ୫ଟି ଜାତୀୟ ପଥ ରହିଛି। ସେଥିମଧ୍ୟରେ ଭୁବନେଶ୍ବର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଳି-ସମ୍ବଲପୁର, ଜଳେଶ୍ବର-ଇଚ୍ଛାପୁରମ ଏବଂ ସମ୍ବଲପୁର ରାଉରକେଲାର ସଡ଼କ ଅତ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ମଧ୍ୟରେ ରହିଛି। ଏହି ୫ଟି ଜାତୀୟ ରାଜପଥ ଏବଂ ଏହାର ସଂଲଗ୍ନ ରାଜ୍ୟ ରାଜପଥ ନିୟମିତ ପାଟ୍ରୋଲିଂ ହେବା ସହିତ ଆମ୍ବୁଲାନ୍ସ ଓ ଟ୍ରମାକେୟାର ସେଣ୍ଟର ସବୁବେଳେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ।
ଏହାସହିତ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ବିଦ୍ୟୁତ୍ ସେବା ତଥା ଷ୍ଟ୍ରିଟ ଲାଇଟର ବନ୍ଦୋବସ୍ତ ନିହାତି ହେବା ଆବଶ୍ୟକ। ଯାହାଦ୍ବାରା ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇପାରିବ। ଦୁର୍ଘଟଣା ରୋକିବାପାଇଁ ରାଜ୍ୟ ସରକାର ୧୫୫କୋଟି ଟଙ୍କାର ସାଜ ସରଞ୍ଜାମ ଯୋଗାଣ କରିବା ଦରକାର। ଏହାସହିତ ଆକସ୍ମିକ ଦୁର୍ଘଟଣା ରୋକିବାପାଇଁ ଜାତୀୟ ରାଜପଥରେ ପ୍ରତି ୩୦କିମି ଅନ୍ତରରେ ‘କ୍ରାସ ବ୍ୟାରିଅର’ ନିର୍ମାଣ ହେବା ଆବଶ୍ୟକ। ଏହି କ୍ରାସ ବ୍ୟାରିଅରର ନିୟମିତ ମରାମତି ହେବା
ଜରୁରୀ। ଜାତୀୟ ରାଜପଥ ଅଧୀନରେ ଥିବା ୩୧୮ଟି ସେତୁକୁ ମରାମତି କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୫ଟି ଅତ୍ୟନ୍ତ ଦୁର୍ଘଟଣା ପ୍ରବଣ ସ୍ଥାନ ତଥା ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଇଛି। ଏଠାରେ ରାସ୍ତା ଦୁର୍ଘଟଣାର କାରଣ ଓ ନିରାକରଣ ନେଇ ପଦକ୍ଷେପ ଗ୍ରହଣ କରାଯିବାର ଦରକାର।
ସେହିପରି ରାଜ୍ୟରେ ସ୍କୁଲ ବସ୍ ନୀତି ନାହିଁ, ଯାହାଦ୍ବାରା ୫୬୮ଟି ବସ୍ ବେଆଇନ ଭାବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଛନ୍ତି। ସେଥିମଧ୍ୟରେ ୧୪୬ଟି ବସ ଫିଟନେସ ନଥିବାବେଳେ ୪୨୨ଟି ବସ ଅନ୍ୟାନ୍ୟ ନିୟମ କାୁନନ ମାନୁ ନାହାନ୍ତି। ଏହାବାଦ୍ ନିର୍ଦିଷ୍ଟ ସଂଖ୍ୟକ ଛାତ୍ରଛାତ୍ରୀଙ୍କଠାରୁ ବସଗୁଡିକ ଅଧିକ ପରିବହନ କରୁଛନ୍ତି। ସେହିପରି ଅଟୋରିକ୍ସାଗୁଡିକ ମନଇଚ୍ଛା ଛାତ୍ରଛାତ୍ରୀଙ୍କୁ ପରିବହନ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବସ ନୀତି ପ୍ରଚଳନ କରି ଛାତ୍ରଛାତ୍ରୀଙ୍କ ବସ୍ ପରିବହନ ସେବାକୁ କଡାକଡି କରିବା ଦରକାର। ବିଶେକେରି ବହୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ନିକଟରେ ଲାଇନସେନ୍ ନଥାଇ ଗାଡି ଚଳାଉଥିବାବେଳେ ଆଉ କେତେକ ଛାତ୍ରଛାତ୍ରୀଙ୍କ ବୟସ ହୋଇ ଥିଲେ ମଧ୍ୟ ବେଆଇନ ଭାବେ ଗାଡି ଚଳାଉଛନ୍ତି। ଏହାକୁ ରୋକିବାପାଇଁ ନିୟମିତ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଶ୍ରୀ ବାଙ୍ଗା ଦର୍ଶାଇଛନ୍ତି।
Comments are closed.