ଜଙ୍ଗଲ ଭିତରୁ କ୍ଷତାକ୍ତ ମୃତ ହରିଣ ଉଦ୍ଧାର
ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଭରାଣ୍ଡିହା ଗ୍ରାମପଞ୍ଚାୟତ ଦିର୍ବ ଗ୍ରାମ ନିକଟ ଜଙ୍ଗଲରୁ ସୋମବାର ଏକ କ୍ଷତାକ୍ତ ହରିଣର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଛି । ମୃତ ହରିଣକୁ ବନବିଭାଗ ଉଦ୍ଧାର କରିବା ପରେ ଠାକୁରମୁଣ୍ଡା ପ୍ରାଣୀ ଚିକିତ୍ସାଳୟକୁ ଆଣି ବ୍ୟବଚ୍ଛେଦ କରି ମୃତ ଦେହକୁ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦିର୍ବ ଗ୍ରାମର କେତେକ ଲୋକ ସକାଳେ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ଦିର୍ବ- ପୁରୁଣାପାଣି ଗ୍ରାମ ରାସ୍ତା ନିକଟ ଜଙ୍ଗଲ ଭିତରେ ଏକ କ୍ଷତାକ୍ତ ଅବସ୍ଥାରେ ମୃତ ହରିଣ ପଡିଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଠାକୁରମୁଣ୍ଡା ବନବିଭାଗକୁ ଖବର ଦେବା ପରେ ବନ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ହରିଣକୁ ଉଦ୍ଧାର କରିଥିଲେ । ମୃତ ହରିଣକୁ କେହି ପଥର ମାରି ଥିବା କୁହାଯାଉଛି । ହରିଣର ବୟସ ପ୍ରାୟ ୩ ବର୍ଷ ହୋଇଥିବା ବେଳେ ଓଜନ ୭୦ କେଜି ଥିବାର ଜଣାପଡିଛି। ହରିଣ ମୃତ୍ୟୁର ପ୍ରକୃତ କାରଣ କଣ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।
Comments are closed.