ଡେସ୍କ: ଏସୀୟ କ୍ରୀଡାର ଆଜି ଚତୁର୍ଥ ଦିନର ଖେଳ ଶେଷ ହୋଇଛି। ଏଥିରେ ଭାରତ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ସମେତ ମୋଟ ୨୨ଟି ପଦକ ହାସଲ କରି ପଦକ ତାଲିକାରେ ସପ୍ତମ ସ୍ଥାନରେ ରହିଛି। ସେହିପରି ୭୪ଟି ସ୍ୱର୍ଣ୍ଣ ପଦକ ସହ ଚୀନ ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ୧୮ଟି ସ୍ୱର୍ଣ୍ଣ ପଦକ ସହ କୋରିଆ ଦ୍ଵିତୀୟ ଏବଂ ୧୪ଟି ସ୍ୱର୍ଣ୍ଣ ପଦକ ସହ ଜାପାନ ତୃତୀୟ ସ୍ଥାନରେ ରହିଛି।
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି। ମହିଳା ୫୦ ମିଟର ରାଇଫଲ ୩-ସ୍ଥାନ ବିଶିଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ସିଫତ କୌର ସମରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଆଶି ବ୍ରୋଞ୍ଜ ପଦକ ଜିତିଥିଲେ। ୫୦ ମିଟର ୩-ସ୍ଥାନ ବିଶିଷ୍ଟ ଦଳୀୟ ଇଭେଣ୍ଟରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଛି।
ଏହା ପୂର୍ବରୁ ମନୁ ଭାକର, ଇଶା ସିଂ ଏବଂ ରିଦମ ସାଙ୍ଗୱାନଙ୍କ ଦଳ ୨୫ ମିଟର ପିସ୍ତଲ ଦଳୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଏକକ ୨୫ ମିଟର ପିସ୍ତଲ ଇଭେଣ୍ଟରେ ଇଶା ସିଂ ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଦଳ ଅନନ୍ତ ନରୁକା, ଗୁରଜୋତ ସିଂ ଏବଂ ଅଙ୍ଗଦ ବାଜୱା ସ୍କିଟ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ୧୯ତମ ପଦକ ହାସଲ କରିଛନ୍ତି। ନୌକା ଚାଳନାରେ ବିଷ୍ଣୁ ସରଭନନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।



