ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ମଙ୍ଗୁଳି ଠାରୁ ଧୁମାବତୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ତଥା ଉଭୟ ପାର୍ଶ୍ବରେ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ହେଲେ ଠିକାଦାର ଓ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚଏଆଇ) ଏହାକୁ ମୃତ୍ୟୁ ଯନ୍ତାରେ ପରିଣତ କରି ଦେଇଛନ୍ତି। ମୁଖ୍ୟ ରାସ୍ତାରେ ପ୍ରତି ୧ଫୁଟରେ ଏକ ଖାଲ ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ କରାଯାଉନାହିଁ । ମୁଖ୍ୟ ରାସ୍ତାର ୨ପଟେ ଥିବା ସର୍ଭିସ ରୋଡରୁ ଗୋଟିଏ ନିର୍ମାଣ ସରିଥିବା ବେଳେ ଆରଟି ଏଯାବତ୍ ଚୌଦ୍ୱାର କଲେଜ ପର୍ଯ୍ୟନ୍ତ କରାଯାଇ ଅଧାପାନ୍ତରିଆ ହୋଇ ପଡି ରହିଛି । ବ୍ରିଟିଶ୍ ଅମଳରୁ ବର୍ଷାଜଳ ନିଷ୍କାସନ ପାଇଁ କଳିଙ୍ଗ ଛକରୁ ଧୁମାବତୀ ଭିତରେ ୩ଟି ପୋଲ ନିର୍ମାଣ କରାଯାଇଥିଲା । ମାତ୍ର ଏବେ ଠିକାଦାର ପ୍ରଥମ ୨ଟି ପୋଲ ପୋତି ଦେବା ସହ ଧୁମାବତୀ ଛକ ଠାରେ ଥିବା ଦକ୍ଷିଣା ପୋଲରେ ଭୁଲ ଭାବେ ହ୍ୟୁମ ପାଇପ ପକାଇ ବର୍ଷାଜଳ ନିଷ୍କାସନରେ ଅବରୋଧ କରିଛନ୍ତି । ମୈସୁମୀ ବର୍ଷା ଆରମ୍ଭ ହେବାରେ ଧୁମାବତୀ ନଗର, କପାଳେଶ୍ୱର ନୁଆସାହି, ସାଇ ବିହାର ଆଦି ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ହୋଇନପାରି ରାଜରାସ୍ତାରେ ଅଣ୍ଟାଏ ପାଣି ରହୁଥିବା ବେଳେ ଉକ୍ତ ସାହିବସ୍ତିରେ ଘର ଭିତରେ ପାଣି ପଶି ରହୁଛି ।
ଏସଂକ୍ରାନ୍ତରେ ଚୌଦ୍ୱାର ପୌର କର୍ତ୍ତୃପକ୍ଷ ଜାତୀୟ ରାଜପଥ ଓ ଠିକାଦାରଙ୍କୁ ଅନୁରୋଧ କରିବାରେ ସେମାନେ ସର୍ଭିସ ରୋଡରେ ହ୍ୟୁମ ପାଇପ ପକାଇବା ବ୍ୟବସ୍ଥା କରୁିିଛନ୍ତି। ମାତ୍ର ରବିବାର ଏହି କାମ ଚାଲୁଥିବା ସାରା ଅଞ୍ଚଳବାସୀଙ୍କୁ ଚକିତ କରିଦେଇଥିଲା।ମୁଳ ପୋଲକୁ ବାଲି ବସ୍ତା ଦେଇ ପୋତି ଦିଆଯାଇଥିବା ବେଳେ ତା ସମ୍ମୁଖରେ ଏହି ହ୍ୟୁମ ପାଇପ ପକାଇବା ଠିକାଦାରଙ୍କ ଅଂଚଳବାସୀଙ୍କ ସହିତ ଚଞ୍ଚକତା କରୁଥିବା ଦର୍ଶାଇଥିଲା । ସ୍ଥାନୀୟ ଲୋକେ ଏଭଳି କାର୍ଯ୍ୟ ଦେଖି ରୁଣ୍ଡ ହେବାସହ ସ୍ଥାନୀୟ କାଉନସିଲରଙ୍କୁ ଅଭିଯୋଗ କରିଥିଲେ। ଖବରପାଇ କାଉନସିଲର ଆଶୁତୋଷ ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୂଳ ପୋଲରୁ ବାଲି ବସ୍ତା ହଟାଇବା ପାଇଁ କହିଥିଲେ। ଫଳରେ ରବିବାର କାମ ବନ୍ଦ ହେବା ସହ ଚୌଦ୍ୱାର ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଓ କାଉନସିଲରଙ୍କ ଉପସ୍ଥିତିରେ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ଠିକାଦାର ଲୋକଙ୍କୁ ଭୁଆାଁ ବୁଲାଇବା ପାଇଁ କିଭଳି ପୋଲ କରୁଛନ୍ତି ତାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ସହିତ ୨ଟି ଯାକ ସର୍ଭିସ ରୋଡକୁ ଶୀଘ୍ର ସାରିବା ସହ ମୁଖ୍ୟ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।



