ରାବଣ ପୋଡ଼ି ସ୍ଥାନରେ ମିନି ପାର୍କ ନିର୍ମାଣକୁ ବିରୋଧ: ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଖପରସାହି ବାସୀନ୍ଦା

ଦେବଗଡ଼଼: ପ୍ରତ୍ୟେକ ବର୍ଷ ଦଶହରା ସମୟରେ ‘ରାବଣ ପୋଡି’ ହେଉଥିବା ଦେବଗଡ଼ ପୌରାଞ୍ଚଳ ୧ନମ୍ବର ୱାର୍ଡ ଖପରସାହି ନିକଟସ୍ଥ ସରକାରୀ ଜାଗାରେ ପୌର ପରିଷଦ ପକ୍ଷରୁ ଏକ ମିନି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ସାହିରେ ଭାଇଚାରା ବଜାୟ କ୍ଷୁର୍ଣ୍ଣ ହେବା ଦର୍ଶାଇ ଏହାକୁ ସାହି ବାସୀନ୍ଦା ତୀବ୍ର ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଖପରସାହିର ଉମାଶଙ୍କ ସାହୁ, ପ୍ରଦ୍ୟୁମ୍ନ କୁମାର ବେହେରା, ପଦ୍ମଲୋଚନ ବେହେରା, ଜ୍ୟୋତିର୍ମାନ ବେହେରା, ନିରଞ୍ଜନ ଛତ୍ରିଆ, ଶିବ ଭୁକ୍ତା ଓ ରାକେଶ ବେହେରାଙ୍କ ନେତୃତ୍ୱରେ ଖପରସାହିର ବହୁ ପୁରୁଷ ଏବଂ ମହିଳା ଦେବଗଡ଼ ପୌର ପରିଷଦ କାର୍ଯ୍ୟରେ ପହଞ୍ଚି ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀଙ୍କୁ(ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ) ଏ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

prayash

ଏହି ସ୍ମାରକ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ରାବଣ ପୋଡି ଉତ୍ସବ ଆୟୋଜନ ପାଇଁ ସାହି ବାସୀନ୍ଦା ଶ୍ରମଦାନ ସହ ନିଜସ୍ୱ ଖର୍ଚ୍ଚରେ ସମ୍ପୃକ୍ତ ସରକାରୀ ଜାଗାକୁ ବ୍ୟବହାରଯୋଗ୍ୟ କରିଥିବା ବେଳେ ଦୁଇବର୍ଷ ପୂର୍ବେ ଉକ୍ତ ସ୍ଥାନରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ସାହି ବାସୀନ୍ଦାଙ୍କ ବିରୋଧ ଓ ଅଭିଯୋଗ ଯୋଗୁଁ ପ୍ରସ୍ତାବିତ ଅଙ୍ଗନୱାଡି କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ସେହି ସମୟରେ ବିଭାଗୀୟ ଯନ୍ତ୍ରୀ ଉକ୍ତ ସ୍ଥାନରେ ମିନି ପାର୍କ ନିର୍ମାଣ ପାଇଁ ଲେଆଉଟ ଦେବାରୁ ସାହି ବାସୀନ୍ଦା ଗତ ଅଗଷ୍ଟ ମାସ ୨୮ ତାରିଖରେ ଏକ ବୈଠକରେ ବସି ସମ୍ପୃକ୍ତ ସ୍ଥାନରେ ରାବଣ ପୋଡି ହେଉଥିବା ଯୋଗୁ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କାର୍ଯ୍ୟ କରେଇ ନଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ମାତ୍ର ସାହି ବାସୀନ୍ଦାଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉକ୍ତ ସାହିର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଏନେଇ ସାହି ବାସୀନ୍ଦା ଗତ ୨୧ ତାରିଖ ଦିନ ପୁଣି ଏକ ସଭା ଆୟୋଜନ କରିବାସହ ଉକ୍ତ ସଭାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡକାଇ କାମ ବନ୍ଦ ପାଇଁ ଅନୁରୋଧ କରାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ କାମ ବନ୍ଦ ପାଇଁ ଉକ୍ତ ସଭାରେ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣିଥରେ ସେ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଫଳରେ ସୋମବାର ସାହି ବାସୀନ୍ଦା ପୁଣି ଏକ ବୈଠକ ଡାକି ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ, ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ସେମାନେ ଆଜି ପୌର ପରିଷଦ କାର୍ଯ୍ୟାଳୟକୁ ଆସି ଏ ମର୍ମରେ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଏହାର ନକଲ ପ୍ରଦାନ କରିଥିବା ଜଣାପଡ଼ିଛି।

kalyan agarbati

Comments are closed.