ଡେସ୍କ: ସାମୁଦ୍ରିକ ବାତ୍ୟା ସିତରଙ୍ଗ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ସକାଳେ ଟିନକୋନା ଦ୍ବୀପ – ସାନ୍ଦ୍ଵୀପ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାଂଲାଦେଶର ପାଣିପାଗ ବିଭାଗ ଏକ ସ୍ୱତନ୍ତ୍ର ବୁଲେଟିନ୍ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛି। ସୂଚନା ଅନୁଯାୟୀ ଏବେ ଏହି ସାମୁଦ୍ରିକ ବାତ୍ୟା ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ବାଂଲାଦେଶ ଆଡକୁ ଗତି କରୁଛି ଓ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିମି ହେବାର ସମ୍ଭାବନା ରହିଛି। ଏବେ ଏହା ସାଗର ଦ୍ବୀପ ଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୨୩୦ କିମି ଦୂରରେ ରହିଛି।
ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ଏଥିଲାଗି ସତର୍କତା ଜାରି ସହ ବନ୍ଦରଗୁଡ଼ିକରେ ୩ ନମ୍ୱର ବିପଦ ସଙ୍କେତ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାରଙ୍କ ପକ୍ଷରୁ ବୈରୀସାଲ୍ ବିମାନ ବନ୍ଦରକୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ବାଙ୍ଗଲାଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ସାମୁଦ୍ରିକ ବାତ୍ୟାର ବାଂଲାଦେଶର ୧୯ଟି ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।



