୧୫ରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖରେ ଗୁଜରାଟର କଚ୍ଛ ଜିଲା ଓ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର କହିଛି। ଏଥିପାଇଁ ଆଇଏମଡି ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ପାଇଁ ବାତ୍ୟା ସତର୍କତା ଜାରି କରାଯାଇଛି। ରବିବାର ସକାଳେ ବାତ୍ୟା ‘ବିପର୍ଯ୍ୟୟ’ ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇଛି। ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ ବାତ୍ୟାଟି କଚ୍ଛ ଓ ପୋରବନ୍ଦର ମଧ୍ୟରେ କୌଣସି ଠାରେ ସ୍ଥଳ ଭାଗ ଛୁଇଁପାରେ। ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଡିଏସ୍ ପାଇ କହିଛନ୍ତି ଯେ ବାତ୍ୟା ନିର୍ଦ୍ଧିଷ୍ଟ ଭାବେ କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଜୁନ୍ ୬ ତାରିଖରୁ ଏହି ବାତ୍ୟା ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବ ଓ ଗତିପଥକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବାତ୍ୟାଟି ଏବେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଘଣ୍ଟାପ୍ରତି ୯କିମି ବେଗରେ ଗତି କରୁଛି। ଏହା ଏବେ ମୁମ୍ବଇ ଉପକୂଳର ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମକୁ ୫୮୦ କିମି ଦୂରରେ ରହିଛି।

Comments are closed.