ସମ୍ଭାବ୍ୟ ବାତ୍ୟା : ୭ ଜିଲାପାଳଙ୍କୁ ସତର୍କତା ନିର୍ଦେଶ
ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ସତ୍ୟବ୍ରତ ସାହୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଥିଲେ। ଅଧିକାରୀଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇ ଥିବାବେଳେ ପ୍ରଭାବିତ ହେବାର ଆଶଙ୍କା ଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲାପାଳଙ୍କୁ ବୁଧବାର ଚିଠି ଲେଖି ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଏସ୍ଆରସିଙ୍କ ପାଖରୁ ଜିଲାପାଳମାନେ ନିର୍ଦେଶ ପାଇବା ପରେ ଜିଲାସ୍ତରୀୟ ଅଧିକାରୀଙ୍କୁ ଧରି ବୈଠକ କରିବା ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ସିତ୍ରଙ୍ଗ ମୁକାବିଲା ଏବଂ କ୍ଷୟକ୍ଷତି ପାଇଁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ବସିଛି। ଆବଶ୍ୟକ ଯନ୍ତ୍ରପାତି ଓ ସାଜସରଞ୍ଜାମ ଠୁଳ କରିବା ଏବଂ ମାନବଶକ୍ତି ପରିଚାଳନା କରିବା ଅତ୍ୟନ୍ତ ଜରୁରୀ ଥିବାରୁ ମନ୍ତ୍ରୀ ଶ୍ରୀ ଦେବ ଆଗୁଆ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଗଛଡାଳ କଟା କାର୍ଯ୍ୟ ତ୍ୱରାନ୍ବିତ କରିବା ସହ ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ କର୍ମଚାରୀ ମୁତୟନ କରାଯିବ।
Comments are closed.