ସାଇବର ମାଫିଆଙ୍କ ନଜରରେ ମୂଲ୍ୟବାନ ଜମି
ହାତବାରିସି ସାଜୁଛନ୍ତି ପ୍ରଶାସନିକ ଅଧିକାରୀ, ୱେବସାଇଟରୁ ଉଡିଯାଉଛି କୋଟି କୋଟି ଟଙ୍କାର ସମ୍ପତ୍ତି
ଭୁବନେଶ୍ବର : ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏବେ ଡିଜିଟାଲ କ୍ରାଇମର ଏକ ନୂଆ ଖବର ପଦାକୁ ଆସିଛି। ସାଇବର ମାଫିଆମାନେ କେବଳ ଯେ ବ୍ୟାଙ୍କ ଆକାଉଣ୍ଟ ହାକ୍ କରୁଛନ୍ତି ତାହା ନୁହେଁ ସେମାନଙ୍କ ନଜର ଏବେ ବିଭିନ୍ନ ମୂଲ୍ୟବାନ ଜମି ଉପରେ ପଡୁଛି। ବ୍ୟାଙ୍କ ହାକ୍ କଲେ ଯେଉଁ ପରିମାଣର ଅର୍ଥ ମିଳୁଛି ତା’ଠାରୁ ଢ଼େରଗୁଣରେ ଲାଭ ଜମି ଜାଲିଆତିରେ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ବ୍ୟାଙ୍କ ଠକେଇ ହେଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ମାମଲା ରୁଜୁ କରିପାରୁଛି। ଯଦି ପୁଲିସ ତତ୍ପରତା ଦେଖାଇଲା ତେବେ ଅପରାଧୀ ଧରାପଡୁଛନ୍ତି। ମାତ୍ର ରାଜସ୍ବ ଜାଲିଆତିରେ ଯଦି କାହାର ଜମି ଜାଲିଆତି ହେଉଛି କିମ୍ବା ୱେବସାଇଟରୁ ସମ୍ପତ୍ତିର ବିବରଣୀ ଉଡିଯାଉଛି ତେବେ ସଂପୃକ୍ତ ବ୍ୟକ୍ତି ହଠାତ୍ ଏସମ୍ପର୍କରେ ଜାଣି ପାରୁ ନାହାନ୍ତି, ଯଦି ବା ଜାଣୁଛନ୍ତି ତେବେ ସେ ଥାନାରେ ଅଭିଯୋଗ କରିପାରୁ ନାହାନ୍ତି। ଏହା ‘ସିଭିଲ’ ମାମଲା ହୋଇଥିବାରୁ ପୁଲିସ ମାମଲା ଗ୍ରହଣ କରୁନାହିଁ। ଏଭଳି ଏକ ସ୍ପର୍ଶକାତର ଘଟଣା ଉପରୁ ଏବେ ପରଦା ଧୀରେ ଧୀରେ ହଟିବାକୁ ଯାଉଛି। ଯଦି ସରକାର ଏଥିପ୍ରତି ଏବେଠାରୁ ସଜାଗ ନରହିବେ ତେବେ ରାଜସ୍ବ ବ୍ୟବସ୍ଥା ପ୍ରତି ବଡ ଆହ୍ବାନ ସୃଷ୍ଟି ହେବ ବୋଲି ଆଇନଜୀବୀ ଦିଲୀପ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ, ବାଲୁଗାଁ, ଟାଙ୍ଗୀ, ପୁରୀ ଓ ବ୍ରହ୍ମଗିରି ସମେତ ରାଜ୍ୟର ଅନେକ ସ୍ଥାନରେ ତାଙ୍କର ପୈତୃକ ସମ୍ପତ୍ତି ରହିଛି। ହେଲେ ତାଙ୍କର ସମ୍ପତ୍ତିକୁ ଅଧିକାଂଶ ସମୟରେ ତହସିଲ ରେକର୍ଡରୁ ଗାଏବ ହୋଇଯାଉଛି। କେତେବେଳେ ଜମି ବିନା କିଣାବିକାରେ ଅନ୍ୟ ନାଁରେ ରେକର୍ଡ ହୋଇଯାଉଛି ତ ଆଉ କେତେବେଳେ ୱେବସା୍ଇଟରୁ ଆପଣାଛାଏଁ ଉଭାନ ହୋଇଯାଉଛି। ଏମିତିକି ସାଇବର ଅପରାଧୀମାନେ ଉତ୍ତରାଧିକାରୀ ପ୍ରମାଣପତ୍ର ସରକାରୀ ୱେବସାଇଟରୁ ଉଡାଇ ଦେଉଛନ୍ତି। ଏହି ଘଟଣାକୁ ନେଇ ସେ ଉଚ୍ଚନ୍ୟାୟାଳୟଙ୍କଠାରେ ୨୦୧୭ରୁ ୨୦୨୨ ଫେବୃଆରୀ ମଧ୍ୟରେ ୫ଟି ମାମଲା ଦାଏର କରିଛନ୍ତି। ୨୦୧୭ରେ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରିବା ପରେ ତତ୍କାଳୀନ ବିଚାରପତି ଏସ. କେ. ମିଶ୍ର ଓ ୨୦୨୦ରେ ବିଚାରପତି ବିଶ୍ବନାଥ ରାୟ ରାଜସ୍ବ ବିଭାଗ ସଚିବଙ୍କ ସହିତ ଅଧସ୍ତନ ଅଧିକାରୀଙ୍କୁ ଘଟଣାର ଅନୁସନ୍ଧାନ ପାଇଁ ନିର୍ଦେଶନାମା ଦେଇଥିଲେ। ଘଟଣାର ଅନୁସନ୍ଧାନ ଚାଲିଥିବାବେଳେ ଜଟଣୀ, ଖୋର୍ଦ୍ଧା ଭଳି ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ତାଙ୍କ ନାମରୁ ଆପଣାଛାଏଁ ଉଡି ଯାଇଥିଲା। ଏମିତିକି ସେ ଟାଙ୍ଗୀରୁ ଯେଉଁ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଥିଲେ ତାହା ମଧ୍ୟ ୱେବସାଇଟରୁ ହାକ୍ ହୋଇଯାଇଥିଲା। ଯାହାଫଳରେ ଖୋର୍ଦ୍ଧା ସବରେଜିଷ୍ଟ୍ରାର ତାଙ୍କ କାଗଜପତ୍ରକୁ ନେଇ ଦଲିଲ କଲାବେଳେ ସମସ୍ୟାରେ ପଡିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କର ମୂଳ ପ୍ରମାଣପତ୍ର (ଅରଜିନାଲ) ଦେଖାଇଥିଲେ ହେଁ ୱେବସାଇଟରେ ତାହା ଦର୍ଶାଉ ନଥିବାରୁ ସେ ବାଧ୍ୟହୋଇ ଟାଙ୍ଗୀ ତହସିଲଦାରଙ୍କୁ ଏପ୍ରିଲ ୪ରେ ପତ୍ରଲେଖି ଏହାର ବାସ୍ତବତା ଜାଣିବାକୁ ପାଇଥିଲେ। ଏପ୍ରିଲ ୨୦ରେ ଟାଙ୍ଗୀ ତହସିଲଦାରଙ୍କ ପକ୍ଷରୁ ସ୍ପଷ୍ଟ କରାଗଲା ଯେ ଶ୍ରୀ ପଟ୍ଟନାୟକ ଦେଖାଉଥିବା ପ୍ରମାଣପତ୍ର ସତ୍ୟ। ଏହାପରେ ସବରେଜିଷ୍ଟ୍ରାର ବିଜୟ କୁମାର ସେଠୀ ଉକ୍ତ ସମ୍ପତ୍ତିକୁ ପଞ୍ଜୀକରଣ କରାଇଥିଲେ।
ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ସାଇବର ଅପରାଧୀମାନେ ଖାଲି ବ୍ୟାଙ୍କ ଆକାଉଣ୍ଟ ହାକ୍ କରୁଛନ୍ତି ତାହା ନୁହେଁ, ରାଜସ୍ବ ବିଭାଗର ଅସାଧୁ କର୍ମଚାରୀଙ୍କୁ ହାତବାରିସି କରି ରାଜସ୍ବ ବ୍ୟବସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରୁଛନ୍ତି। ଏନେଇ ସେ ସାଇବର ଅପରାଧ ଶାଖା ଓ ପୁଲିସ ମହାନିର୍ଦେଶକଙ୍କୁ ମଧ୍ୟ ଅଭିଯୋଗ ଦର୍ଶାଇଛନ୍ତି। ଘଟଣାର ଅନୁସନ୍ଧାନ କରି ତୁରନ୍ତ ସାଇବର ଅପରାଧୀ ଓ ଅସାଧୁ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Comments are closed.