‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’ -ସଂସ୍କୃତି ବନାମ ଅପସଂସ୍କୃତି

‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’ – ପିଲାଙ୍କ ପଢା ବହିରେ ଥିବା ଏହି ଉକ୍ତିଟି ଆଜି ଶିଶୁମାନସରୁ ଲିଭିଯିବାକୁ ବସିଲାଣି। କାଉ ଆମ ସଂସ୍କୃତି ଓ ଚଳଣିର ଅଂଶ ହୋଇ ଆସିଛି କାହିଁ କେଉଁ କାଳରୁ। କୌଣସି ଶୁଭାଶୁଭ ମନାସିଲେ ପ୍ରଥମେ କାଉକୁ ଆଧାର ଦିଆଯିବାର ପରମ୍ପରା ରହିଛି। କେବଳ ସେତିକି ନୁହେଁ; ଆକାଶରେ ଜହ୍ନକୁ ଦେଖି ଶିଶୁ ପ୍ରାଣ ଆଉ ପୁଲକିତ ହେଉନାହିଁ। ‘ଆ ଜହ୍ନମାମୁ ସରଗ ଶଶୀ – ମୋ କାହ୍ନୁ କୋଳରେ ପଡ଼ରେ ଖସି’ର ପ୍ରାଣମୟ ଆବେଦନ ହଜିଗଲାଣି ଟିଭିର କାର୍ଟୁନ୍‍ ଶୋ’ରେ। ବାଃ ବାଃ ବ୍ଲାକ୍‍ସିପ୍‍, ଟୁଇଁକିଲ୍‍ ଟୁଇଁକିଲ୍‍ ଲିଟିଲ୍‌ ଷ୍ଟାର ଭିତରେ ଲୁଚି ଯାଉଛି ତା’ର କଳ୍ପନା। ସତୁରି ପ୍ରତିଶତ, ଅଶୀ ପ୍ରତିଶତ,ନବେ ପ୍ରତିଶତ ଅଙ୍କକଷା ଭିତରେ ସଙ୍କୁଚିତ ହୋଇଯାଇଛି ତା’ର ପ୍ରାଣର ବିସ୍ତାର। ‘ଶଙ୍ଖଚିଲ ଭାଇ ନମସ୍କାର’, ‘ଜହ୍ନିଫୁଲ ଠୋ ଠା – କାକୁଡି ଫୁଲ ଠୋ ଠା’ କହି ତାଳିମାରି ନାଚିପାରୁନି ସେ।
ଯୁବକଟି ଆଖିରୁ ହଜି ଗଲାଣି ସ୍ୱପ୍ନ। ଅର୍ଥରୂପୀ ସୁନାର ହରିଣୀ ପଛରେ ଧାଇଁ ଧାଇଁ ଦିଗହରା ହୋଇଛି ତା’ର ଈପ୍‍ସିତ ଲକ୍ଷ୍ୟ। ବିଦ୍ୟା ତା’ ପାଇଁ କେବଳ ଅର୍ଥକରୀ – ସେ ବିଦ୍ୟାରେ ନାହିଁ ପରକୁ ଆପଣାର କରି ଗଢିତୋଳିବା – ଅନ୍ୟ ପାଇଁ ଲୁହ ଢାଳିବା – ସେଥିରେ ଅଛି ଆଭିଜାତ୍ୟର ମୋହ, ଲୋଭନୀୟ ପଦବୀର ଆସକ୍ତି, ମୋଟା ଅଙ୍କ ଦରମାର ଝୁଙ୍କ, ଆଧୁନିକ ଷ୍ଟାଟସ୍‍ର ଅହମିକା; ଆଉ ତାରି ଭିତରେ ମୂଲଚାଲ ହେଉଛି ତା’ର ଜୀବନ, ଯୌବନ ଆଉ ସ୍ୱପ୍ନ। ଏକଦା ଆମ ସଂସ୍କୃତିର ଧାରା ଥିଲା ‘ବସୁଧୈବ କୁଟୁମ୍ବକମ୍‍’ – ‘ସର୍ବେ ଭବନ୍ତୁ ସୁଖିନଃ’ – ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’। ଏସବୁ ଆଜି ଆଈ ମା’ କାହାଣୀ ପରି ଲାଗୁଛି। ଆଧୁନିକତାର ଚାକଚକ୍ୟ ମଧ୍ୟରେ ସେ ସବୁ ବିବର୍ଜିତ ହୋଇ ପଡିରହିଛି।
ସଭ୍ୟତାର ପ୍ରସାର ସହିତ ମଣିଷ କ୍ରମଶଃ ଦୂରେଇ ଯାଉଛି ନିଜ ସଂସ୍କୃତି ଠାରୁ। ଉପଭୋକ୍ତାବାଦ ମଣିଷକୁ ଆଉ ମଣିଷ ଅବସ୍ଥାରେ ରହିବାକୁ ଦେଉନାହିଁ। ଧନ ବଳରେ ନଷ୍ଟ ହୋଇଯାଉଛି ମୂଲ୍ୟବୋଧ। ଏହି ମୂଲ୍ୟବୋଧର ଅବକ୍ଷୟ ଅପସଂସ୍କୃତିକୁ ଡାକି ଆଣୁଛି ହାତଠାରି। ଫଳସ୍ୱରୂପ ଆମ ସାଂସ୍କୃତିକ ଜୀବନ ହୋଇଉଠିଛି ବିକଳାଙ୍ଗ। ଆଜି ଭାଗବତ ଘର ଢିଅରେ ମୁଣ୍ଡ ଟେକିଛି ଯୁବକ ସଂଘ, ମହିଳା ସମିତି। ଚାଟଶାଳୀ ଜାଗାରେ ଠିଆ ହୋଇଛିି ଅଙ୍ଗନବାଡ଼ି, ବାପା ଏବେ ଡାଡି, ବୋଉ ମମି, ଆଉ ମାଉସୀ, ଖୁଡୀ, ମାଈଁ ଏମାନେ ସମସ୍ତେ ଆଣ୍ଟିରେ ଗଣା। ସେମିତି ଦାଦା, ମଉସା, ମାମୁ ଏମାନେ ସମସ୍ତେ ଅଙ୍କଲ। ନମସ୍କାର ଆଉ ପ୍ରଣାମ ବଦଳରେ ଟା,ଟା ବାଏବାଏ। ଏ ତ ଗଲା ଆମ ନିତିଦିନିଆ କଥା। ବାହାଘର, ବ୍ରତଘର ଓ ପୂଜା ପାର୍ବଣ କଥା ନ କହିଲେ ଭଲ। ବାହାଘରମାନଙ୍କରେ ବରଯାତ୍ରୀ ମେଳରେ ଚାଲିଛି ଉଦ୍ଦଣ୍ଡ ନୃତ୍ୟ। ମାଣବସା ଗୁରୁବାରରେ ଲକ୍ଷ୍ମୀପୁରାଣ କ୍ୟାସେଟ୍‍ରେ କାମ ଚଳିଯାଉଛି। ଏପରି କି ଅଷ୍ଟପ୍ରହରୀମାନଙ୍କରେ ବିଭିନ୍ନ ସିନେମା ଗୀତର ଧୁନ୍‍କୁ ଅନୁକରଣ କରାଯାଇ ନାମ ସଂକୀର୍ତ୍ତନ ଚାଲିଛି। ଏବେ ଆମ ସଂସ୍କୃତିକୁ ଗତ କିଛି ବର୍ଷ ହେଲା ଧସେଇ ପଶିଛି କାଉଡିଆ ସଂସ୍କୃତି। କାହିଁ କେଉଁ କାଳରୁ ଶିବ ଉପାସନା ଆମ ସଂସ୍କୃତିରେ ପ୍ରଚଳିତ ଥିଲେ ହେଁ ଏବେ ତାହାକୁ ଆଧାର କରି କାଉଡ଼ିଆମାନଙ୍କର ଭିଡ କାହିଁରେ କ’ଣ। ଯେଉଁଠି ଦେଖିବ ରାସ୍ତାରେ କାଉଡି ଧରି ଆବାଳବୃଦ୍ଧବନିତା ଚାଲିଛନ୍ତି ଶୈବ ପିଠକୁ। ଏଠାରେ ଭକ୍ତି ଅପେକ୍ଷା ମସ୍ତି ବେଶି। ନିକଟରେ ଏକ ବହୁ ଚର୍ଚ୍ଚିତ ଘଟଣା ଆମ ସଂସ୍କୃତିକୁ ଆହୁରି ବିକୃତ କରିଛି। ଦେହର ଭୋକ ମେଣ୍ଟାଇବା ପାଇଁ ଏବର ବହୁ ମଣିଷ ନିଜର ବିବେକପଣିଆକୁ ପାଶୋରି ଅବାଟରେ ବାଟ ଦେବା ଆମ ନଗ୍ନ ମାନସିକତାର ଖୋଲା ପରିପ୍ରକାଶ କହିଲେ ଭୁଲ ହେବ ନାହିଁ। ଉତ୍ତର ପିଢିର ପିଲାଙ୍କ ପାଇଁ ଆମେ କଣ ଏହି ଆଦର୍ଶ ଛାଡି ଦେଇଯିବା ? ଏ ଦିଗରେ ଗଭୀର ଭାବେ ଚିନ୍ତା କରିବାର ଅଛି। ଭଗବାନ କରନ୍ତୁ ଅନୀତି ଦଦଳରେ ନୀତି ,ଅନୈତିକତା ବଦଳରେ ନୈତିକତା ସହ ମୂଲ୍ୟବୋଧ ଆମ ଜୀବନର ମାନଦଣ୍ଡ ହେବା ବିଧେୟ।
ନାଚ, ଗୀତ କଥା ଆହୁରି ତଦ୍ରୂପ। ଆମ ଓଡ଼ିଶୀ ନାଚ ଆମକୁ ଭଲ ଲାଗୁନି। ରେକର୍ଡ ଡ୍ୟାନ୍ସର ଯୁଗ ଏବେ। ବିଭିନ୍ନ ମଞ୍ଚ, ସାଂସ୍କୃତିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ଗଣନାଟ୍ୟ ପର୍ଯ୍ୟନ୍ତ ସବୁଠିି ଏହାର ଛାପ। ଏପରି କି ଟିଭି ଚ୍ୟାନେଲରେ ଜାତୀୟ ସ୍ତରଠାରୁ ଆରମ୍ଭ କରି ଆମ ଓଡିଆ ଟି.ଭି.ଚ୍ୟାନେଲ ପର୍ଯ୍ୟନ୍ତ ସବୁଠି କାୟା ବିସ୍ତାର କରିଚାଲିଛି ଏହି ଡ୍ୟାନ୍ସ ଧମାକା। ଏ ସବୁ ଦେଖିବାକୁ ଉତ୍କଣ୍ଠିତ ଆମ ଯୁବ ସମାଜ। ଅଭିଭାବକମାନେ ବି ଏହି ମାନିଆରୁ ମୁକ୍ତ ନୁହନ୍ତି। ଗୀତ ତ ଏଠି ପଣ୍ୟ ଦ୍ରବ୍ୟ। ବେପାରୀ ଚିନ୍ତାଚେତନା ନେଇ ଏଠି ପ୍ରସ୍ତୁତ ହେଉଛି ଭଜନ, ଜଣାଣ ଓ ଆଧୁନିକ ଗୀତର କ୍ୟାସେଟ୍‍। ଦ୍ୱିଅର୍ଥବୋଧକ ଶବ୍ଦ ସଂଯୋଜନା ଓ ଚାଲୁ ସ୍ୱର ଏଠି ହୋଇଛି ଭଲ ସଙ୍ଗୀତର ମାପକାଠି।
ଖାଲି ସେତିକି ନୁହେଁ, ଟି.ଭି. ଚ୍ୟାନେଲ୍‍ରେ ରିଆଲିଟି ଶୋ’ର ଚାହିଦା ମଧ୍ୟ କାହିଁରେ କ’ଣ। ଏହି ରୁଚି ଭିତରେ ଆମର ମହାନ୍‍ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅଣନିଃଶ୍ୱାସୀ ହୋଇପଡୁଛି। ଅର୍ଥ ଲୋଭରେ ଓ ରାତାରାତି ଚର୍ଚ୍ଚାର ପରିସରକୁ ଆସିବା ପାଇଁ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବାକୁ ବ୍ୟଗ୍ର ହୋଇଉଠୁଛନ୍ତି। ଏଠି ମନେପଡ଼େ ଏକ ଉକ୍ତି – “ଚନ୍ଦ୍ରର ପଛ ଭାଗ ଭଳି ପ୍ରତି ମଣିଷର ଏକ ଅନ୍ଧାରିଆ ଦିଗ ଅଛି, ଯାହା ସେ ନିଜେ ଦେଖିବାକୁ ଚାହେଁନି”ା ତାହା ହିଁ ସତ। ଏବେ ପୁଣି ଭିନ୍ନ ଏକ ଅନୁକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା ହେଉଛି ରୁମାଲ ବନ୍ଧା ସଂସ୍କୃତି। ଦୁଇଚକିଆ ଯାନରେ ଗଲାବେଳେ ଝିଅମାନେ ମୁହଁରେ ଆଖି ତଳକୁ ରୁମାଲ ବାନ୍ଧି ଯିବାର ଦେଖିବାକୁ ମିଳୁଛି। କେବଳ ସହରମାନଙ୍କରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁଛି। ଧୂଳି ସଂକ୍ରମଣ ପାଇଁ ହେଉ ବା ଅନ୍ୟମାନଙ୍କ କୁନଜରରୁ ରକ୍ଷା ପାଇବା ପାଇଁ ହେଉ ବା ନିଜର ଆତ୍ମୀୟ ସ୍ୱଜନମାନଙ୍କର ଦୃଷ୍ଟିକୁ ଏଡ଼ାଇବା ପାଇଁ ହେଉ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି। ସତେ ଯେମିତି ଏହା ଏକ ଫେସନରେ ପରିଣତ ହୋଇଗଲାଣି। ଅବସ୍ଥା ଏପରି ହୋଇଛି ଯେ, ବାପା ଆଗରେ ଝିଅ ଚାଲିଗଲେ ମଧ୍ୟ ବାପା ଝିଅକୁ ଜାଣି ପାରୁନାହିଁ। ଆଧୁନିକତାର ଦ୍ୱାହି ଦେଇ ଆମେ ଆଗକୁ ଚାଲୁଥିବା ବେଳେ ସଂଖ୍ୟାଲଘୁ ସଂପ୍ରଦାୟର ପରଦା ପ୍ରଥା ଭଳି ସାଂପ୍ରତିକ ସମୟରେ ଏପରି ଆଭିମୁଖ୍ୟ କେତେ ଦୂର ଗ୍ରହଣୀୟ ସେ କଥା ଚିନ୍ତା କରିବାର ଅଛି। ଅବଶ୍ୟ ମହାମାରୀ କରୋନା ସମୟରେ ଆମେ ସମସ୍ତେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାୟ ଦୁଇ ବର୍ଷ ଧରି ମୁହଁରେ ମାସ୍କ ବା ତୁଣ୍ଡି ପରିଧାନ କରିଥିଲେ। ଏହା ଥିଲା ସମୟର ଆବଶ୍ୟକତା। ଏବେ ବି କେହି କେହି ମୁହଁରେ ମଧ୍ୟ ମାସ୍କ ଲଗାଉଛନ୍ତି। କେହି କେହି ଏହାକୁ ତୁଣ୍ଡିବନ୍ଧା ସଂସ୍କୃତି ବୋଲି କହିଲେ। ମାଳିକା ବଚନର ଉଦାହରଣ ବି ଦେଲେ।
ପୂଜ୍ୟପୂଜା ଆଉ ନାହିଁ। ଅପୂଜ୍ୟକୁ ପୂଜା କରିବା ‘ବିଧି’ରେ ପରିଣତ ହୋଇଛି। ଅନେକ ପୂଜ୍ୟ ବରପୁତ୍ର ଆଜି ଅବହେଳିତ। କେଉଁଠି ସେମାନେ ଭଗ୍ନ ଓ ଜରାଜୀର୍ଣ ଅବସ୍ଥାରେ ରହିଛନ୍ତିି ତ ଆଉ କେଉଁଠି ସେମାନଙ୍କର ପ୍ରତିମୂର୍ତ୍ତି ଭଙ୍ଗାଯାଉଛି। ସେହି ବରପୁତ୍ରମାନେ ସିନା ଆଜି ନାହାନ୍ତି.ହେଲେ ପ୍ରତିମୂର୍ତ୍ତିଗୁଡିକୁ ସୁରକ୍ଷା ଦେବା ସହ ସେମାନଙ୍କ ସ୍ମୃତିକୁ ସାଉଁଟି ରଖିବାର ସମୟ ଆସିଛି। କେବଳ ଜୟନ୍ତୀ ଓ ଶ୍ରାଦ୍ଧ ପାଳନରେ ସୀମିତ ରହିଛନ୍ତି ଅନେକ ଯୋଗଜନ୍ମା ବରପୁତ୍ର। ବାସ୍ତବରେ ଏଥିପ୍ରତି କାହାରି ନିଘା ନାହିଁ। ସେହିପରି ଉପାଧିକୁ ନେଇ ଅନେକ ବିତର୍କ ମୁଣ୍ଡ ଟେକିବାରେ ଲାଗିଛି। ରାଜ୍ୟ ସ୍ତରରେ ସାହିତ୍ୟ ଏକାଡେମୀଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ପଦ୍ମଶ୍ରୀ, ପଦ୍ମଭୂଷଣ, ଜ୍ଞାନପୀଠ ଏପରି କି ସର୍ବୋଚ୍ଚ ଉପାଧି ଭାରତରତ୍ନ ପର୍ଯ୍ୟନ୍ତ ସବୁଠି ଏକା କଥା। କେତେକ କ୍ଷେତ୍ରରେ ଏହାକୁ ନେଇ ଘଟଣା କୋର୍ଟ ପରିସରକୁ ଯାଉଛି। ଫଳରେ ଉପାଧିର ଗୁରୁତ୍ୱ ହ୍ରାସ ପାଇବାରେ ଲାଗିଛି।
ସେଦିନ ମାଣିକ ଗଉଡୁଣୀ କଳାଧଳା ଘୋଡ଼ାରେ ଯାଉଥିବା ଦୁଇଜଣ ଦିବ୍ୟ ପୁରୁଷଙ୍କୁ ଦହି ପୋଷେ ପୋଷେ ଦେଇ ସେମାନଙ୍କ ତୃଷ୍ଣା ମେଣ୍ଟାଇଥିଲା। କାରଣ ସେଥିରେ ଥିଲା ଆମ ସଂସ୍କୃତିରେ ସ୍ନେହ ଓ ଆତିଥ୍ୟର ଉଦାରଭାବ, ‘ଅତିଥି ଦେବୋ ଭବ’ର ପରମ୍ପରା। ଏ କଥା ସିନା ମାଣିକ ଗଉଡୁଣୀ ବୁଝିଥିଲା; କିନ୍ତୁ ନିଜର ପଦପଦବୀ ଓ ସ୍ୱୀକୃତିକୁ ନେଇ ଡିଣ୍ଡିମ ପିଟୁଥିବା ଏବର ବିଜ୍ଞ ମଣିଷମାନେ ଏ କଥା ବୁଝୁନାହାନ୍ତି। ଏହା ହିଁ ବିଡମ୍ବନା !

 

ହିମାଂଶୁ ଶେଖର ଆଚାର୍ଯ୍ୟ
ତିର୍ତ୍ତୋଲ, ଜଗତସିଂହପୁର
ଦୂରଭାଷ:୯୩୩୭୨୨୧୯୨୪

Comments are closed.