www.samajalive.in
Saturday, December 6, 2025
14.1 C
Bhubaneswar

ସାନର ଜୀବନ ବଞ୍ଚାଇଲା ୪ ବର୍ଷୀୟା ଭଉଣୀ

କଟକ : କଟକ ବଡ଼ ଡାକ୍ତରଖାନା କ୍ଲିନିକାଲ ହେମାଟୋଲୋଜି ବିଭାଗ ପକ୍ଷରୁ ଜଣେ ୨ ବର୍ଷର ଶିଶୁ କନ୍ୟାର ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ବଡ ଭଉଣୀଙ୍କ ଠାରୁ ଅସ୍ଥିମଜ୍ଜା ଅଣାଯାଇ ସାନ ଭଉଣୀ ଠାରେ ପ୍ରତିରୋପଣ କରାଯାଇଛି। କ୍ଲିନିକାଲ ହେମାଟୋଲୋଜି ବିଭାଗ ଡାକ୍ତରୀ ଦଳ ପକ୍ଷରୁ ପ୍ରତିରୋପଣ କରାଯାଇଥିବାବେଳେ ଦାତା ଓ ଗ୍ରହୀତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ତେବେ ଏତେ କମ ବୟସ ଶିଶୁଙ୍କ କ୍ଷେତ୍ରରେ ଅଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ଓ ଏତେ କମ୍‌ ବୟସର ଦାତାଙ୍କ ଠାରୁ ଏହା ନିଆଯାଇ କରାଯିବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି ରକ୍ତ ରୋଗ ବିଭାଗ ପ୍ରଫେସର ଡା. ଆରକେ ଜେନା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ଧାନବାଦ ଅଞ୍ଚଳର ଶାହାରୁଖ ଅନସାରୀଙ୍କ ଝିଅ ଆତିଫା ନଜର , ଅଲିଶା ନଜର । ଅଲିଶା ଦୁଃସାଧ୍ୟ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଅଭିଭାବକ ଜାଣିବାକୁ ପାଇଥିଲେ। ଚିକିତ୍ସା ପାଇଁ ଅଲିଶାକୁ ଜାମସେଦପୁରର ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅଲୋଜେନିକ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ଡାକ୍ତର କହିଥିଲେ। ଏଥିପାଇଁ ଦାତା ଆବଶ୍ୟକ ଥିବାରୁ ପରିବାର ଲୋକ ବଡ ଭଉଣୀ ଆତିଫାଙ୍କ ଅସ୍ଥିମଜା ପାଇଁ ସହମତି ପ୍ରକାଶ କରିଥିଲେ। ଏହାପରେ ଦୁଇ ଭଉଣୀଙ୍କ ହ୍ୟୁମାନ୍‌ ଲ୍ୟୁକୋସାଇଟ ଆଣ୍ଟିଜେନ ମ୍ୟାଚିଂ କରାଯାଇଥିଲା। ଯାହା ଶତପ୍ରତିଶତ ମେଳ ଖାଇଥିଲା। ହେଲେ ଚିକିତ୍ସା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ବାପା-ମା ଏତେ ଟଙ୍କା ଖର୍ଚ୍ଚ କରିବା ସକ୍ଷମ ନଥିବା ଡାକ୍ତରଙ୍କୁ ଜଣାଇଥିଲେ। ଟାଟା ମେମୋରିଆଲ ଡାକ୍ତର କଟକ ବଡ଼ ଡାକ୍ତରଖାନା ରକ୍ତରୋଗ ବିଭାଗରେ ଥିବା ବୋନମ୍ୟାରୋ ଟ୍ରାନପ୍ଲାଣ୍ଟ ୟୁନିଟ୍‌କୁ ରେଫର କରିଥିଲେ। ଗତ ମାସ ୭ ତାରିଖରେ ଅଲିଶା ଓ ୨୮ ତାରିଖରେ ଆତିଫା ଏସସିବିରେ ଭର୍ତ୍ତି ହୋଇଥିଲେ। ଏହାପରେ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚଳିତ ମାସ ୬ ତାରିଖରେ ଆତିଫାଙ୍କ ଠାରୁ ଅସ୍ଥିମଜ୍ଜା ଅଣାଯାଇ ଅଲିଶାଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା। ସଫଳ ପ୍ରତିରୋପଣ ପାଇଁ ଦୀର୍ଘ ୪ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ବଡ଼ ଭଉଣୀ ଆତିଫା ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଯାଇଥିବା ବେଳେ ଅଲିଶା ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ପ୍ରତିରୋପଣରେ ଡା. ଜେନାଙ୍କ ସମେତ ରକ୍ତରୋଗ ବିଭାଗୀୟ ମୁଖ୍ୟ ସୁଧା ସେଠୀ, ଡା. ଗୀତା ସେଠୀ, ଡା. ଅନ୍ବେଶା ଦାସ, ଡା. ମନମୋହନ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ। ପ୍ରକାଶଥାଉକି ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କଟକ ବଡ଼ ଡାକ୍ତରଖାନା ରକ୍ତ ରୋଗ ବିଭାଗ ନୂଆ ଉପଲବ୍ଧି ଅର୍ଜନ କରିଛି। ଏସ୍‌ସିବି ହେଉଛି ଦେଶର ଏକମାତ୍ର ସରକାରୀ ଡାକ୍ତରଖାନା ଯେଉଁ ଠାରେ ୧୭୬ ଜଣଙ୍କ କ୍ଷେତ୍ରରେ ସଫଳ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ସେହିପରି ଓଡ଼ିଶାରେ ପ୍ରଥମଥର ପାଇଁ ଦୁଇ ବର୍ଷ ବୟସର ଜଣେ ରକ୍ତ କର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ସେହିପରି ଏତେ କମ ବୟସ୍କ ଦାତା ଅସ୍ଥିମଜ୍ଜା ଦାନ କରିବା ମଧ୍ୟ ରାଜ୍ୟ ପାଇଁ ଆଉ ଏକ ବିରଳ ଘଟଣା। ତେବେ ଏହା ବ୍ୟୟ ବହୁଳ ଚିକିତ୍ସା ହୋଇଥିବା ବେଳେ ଏସ୍‌ସିବିରେ ଏହା ମାଗଣାରେ କରାଯାଉଛି। ଏହି ପ୍ରତିରୋପଣ ସଫଳତା ପରେ ଥାଲାସେମିଆ, ସିକଲ୍ ସେଲ୍, ଏନିମିଆ ଓ ବିଭିନ୍ନ ରକ୍ତ କର୍କଟ ଭଳି ରୋଗ ଚିକିତ୍ସା କ୍ଷେତ୍ରରେ ଅଧିକ ସୁଯୋଗ କଟକ ବଡ଼ ଡାକ୍ତରଖାନା ପାଇଁ ସୃଷ୍ଟି ହୋଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories