ଭୁବନେଶ୍ଵର: ରାଜ୍ୟ କଂଗ୍ରେସର ନୂଆଁ ମଙ୍ଗୁଆଳ ହୋଇଛନ୍ତି ଭକ୍ତ ଚରଣ ଦାସ। ଶରତ ପଟ୍ଟନାୟକଙ୍କ ପରେ ଉପକୂଳ ଓଡ଼ିଶାରୁ କେହି ଜଣେ ନେତା ପିସିସି ସଭାପତି ହୋଇପାରନ୍ତି ବୋଲି ପୂର୍ବରୁ କଂଗ୍ରେସ ମହଲରେ ଚର୍ଚ୍ଚା ହେଉଥିଲା। ମାତ୍ର କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ଏହି ପଦବୀ ପାଇଁ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତାଙ୍କୁ ପସନ୍ଦ କରିଛନ୍ତି। ଭକ୍ତ ବି ପିସିସି ସଭାପତି ହେବା ପରେ ପଶ୍ଚିମ ବଦଳରେ ପୂର୍ବ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ତିନି ଦିନ ହେଲା ପଦଯାତ୍ରା କରୁଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସର ଭୋଟ୍ ହାର ୧୬.୧୨ ପ୍ରତିଶତ ଥିବା ବେଳେ ଗତ ନିର୍ବାଚନରେ ଏହା ୧୩.୨୬ ପ୍ରତିଶତକୁ ଖସି ଆସିଛି। ପଶ୍ଚିମ ଅପେକ୍ଷା ଉପକୂଳ ଓଡ଼ିଶାରେ କଂଗ୍ରେସ ଦଳକୁ ଆହୁରି କମ ଭୋଟ୍ ମିଳିଛି। ସେଇଥିବା ପାଇଁ ରାଜ୍ୟ କଂଗ୍ରେସର ଏବେ ଫୋକସ ପଏଣ୍ଟ ହେଉଛି ପୂର୍ବ ଓଡ଼ିଶା। ଭକ୍ତ ଆସିବା ପରେ ପ୍ରଥମେ ସର୍ବକ୍ଷମା ଯୋଜନା ଏବଂ ସବୁ ବରିଷ୍ଠଙ୍କ ସମେତ ଯୁବକଙ୍କୁ ସାଥିରେ ନେବାର ପ୍ରତିଶୃତି ଏବେ କାମ କରିବା ଆରମ୍ଭ କରିଦେଇଛି। ନୂଆଁ ପିସିସି ସଭାପତିଙ୍କୁ ସବୁ ମହଲରେ ସ୍ୱାଗତ କରାଯାଇଛି। ତିନି ଦିନ ହେଲା ଭକ୍ତ ଆରମ୍ଭ କରିଥିବା ସଂକଳ୍ପ ପଦଯାତ୍ରାରେ ସବୁ ବର୍ଗର କଂଗ୍ରେସ ନେତା ସାମିଲ ହେଉଛନ୍ତି। ରାଜ୍ୟ କଂଗ୍ରେସ ପାଇଁ ଏବେ ଅଦିନିଆଁ ଉତ୍ସବର ମାହୋଲ ସୃଷ୍ଟି ହେବା ଭଳି ଲାଗୁଛି। କନିଷ୍ଠ ଏବଂ ବରିଷ୍ଠ ନେତାମାନେ ପଦଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ପୂର୍ବ ବିଧାନସଭା ଅପେକ୍ଷା ଏଥର କଂଗ୍ରେସ ବିଧାୟକମାନଙ୍କ ସଂଖ୍ୟା କିଛି ବଢ଼ିଛି। ସେହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକମାନେ ମଧ୍ୟ ନୂଆଁ ପିସିସି ସଭାପତିଙ୍କ ଠାରୁ ଅନେକ କିଛି ଆଶା କରୁଛନ୍ତି। ଆଉ ଦୁଇ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଯଦି ସେ ଯାଏଁ ଭକ୍ତ ପିସିସି ସଭାପତି ଥାନ୍ତି ତାହେଲେ ଏହା ତାଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ। ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅନୁଧ୍ୟାନ କଲେ ଜଣା ପଡ଼ିବ ଆଗକୁ ରାଜ୍ୟ କଂଗ୍ରେସର କଣ ହେବ।
Popular Categories



