ଗୋପାଳପୁର ଏବଂ ଚକଗୋପାଳପୁର ହସ୍ତତନ୍ତ ବୁଣାକାରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପ୍ରଶଂସା

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଯାଜପୁର ଜିଲ୍ଳା ଗସ୍ତ

ଯାଜପୁର :  ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୁଧବାର ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇ ରସୁଲପୁର ବ୍ଲକ ଅଧିନ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ  (ନାବାର୍ଡ) ସହାୟତା ଓ ସଦସ୍ୟ-ସଦସ୍ୟାଙ୍କ ଅଂଶ ଧନ ରାଶି ବିନିଯୋଗରେ ଏବଂ ନେତାଜୀ ଯୁବକ ସଂଘ ଦ୍ୱାରା ପରିଚାଳନାରେ କାର୍ଯ୍ୟ କରୁଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବୁଣାକାର ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ୱନ୍ଧରେ ପଚାରି ବୁଝିବା ସହ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ସହ ବିରଜା ହସ୍ତତନ୍ତ ଊତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ।
ପ୍ରକାଶ ଥାଉ କି, ଗୋପାଳପୁର ରାଜ୍ୟର ଏକ ଟସର ବୁଣାକାର କେନ୍ଦ୍ର ଭାବେ ଦୀର୍ଘ ବର୍ଷ ଧରି ବେଶ ପ୍ରସିଦ୍ଧି ଲାଭ କରିଛି।  ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ ଏବଂ ଘରେ ଘରେ ଗ୍ରାମର ଲୋକମାନେ ଅନେକ ବର୍ଷଧରି ପ୍ରାୟ ୩ ଶହ ପରିବାରର ୨ ହଜାର ବୁଣାକାର ଟସର ସୂତାରେ ନିର୍ମିତ ଶାଢୀ, କୁର୍ତ୍ତୀ, ଲୁଙ୍ଗି, ବେଡସିଟ୍, ଶାଲ, ଧୋତି ଏବଂ ବିଭିନ୍ନ ପ୍ରକାରର ଅଙ୍ଗ ବସ୍ତ୍ର ଆଦି ହସ୍ତତନ୍ତ ସାମୁହିକ ଉତ୍ପାଦ ପ୍ରସ୍ତୁତ କରି ସେମାନଙ୍କର ପରିବାର ଭରଣ ପୋଷଣ କରି ଆସୁଛନ୍ତି ।  ଦେଶୀୟ ଢଙ୍ଗରେ ଏବଂ ଏକତା ବୁଣାକାର ପଦ୍ଧତିରେ ଖାଣ୍ଟି ଟସର ଓ ଅହିଂସା ସୂତାରେ, ଏକତା କୁମ୍ଭ ବର୍ଡର ଏବଂ ଚିକ୍କଣ ଧଡି ଶାଢୀ ଗୁଡିକ ସହ ଅନ୍ୟାନ୍ୟ ବସ୍ତ୍ର ବେଶ୍ ଆକର୍ଷଣୀୟ। ବୁଣାକାର ମାନଙ୍କର ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ ନିମନ୍ତେ ଏବଂ କମ୍ ଖର୍ଚ୍ଚରେ କିଭଳି ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦ ପ୍ରସ୍ତୁତ କରି ବଜାର ବିପଣନ କ୍ଷେତ୍ର ପ୍ରସ୍ତୁତ କରାଯାଇପାରିବ ଏବଂ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ସମ୍ୱନ୍ଧରେ ଜିଲ୍ଲାପାଳ ଶ୍ରୀ ରାଠୋର ମୁଖ୍ୟ ଶାସନ ସଚିବଙ୍କୁ  ଅବଗତ କରାଇଥିଲେ।  ପ୍ରଥମେ ୨୦୨୧-୨୨ ଆର୍ଥିକ ବର୍ଷ ସେପ୍ଟେମ୍ୱର ମାସରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋ୍ଇଥିଲା। ବର୍ତ୍ତମାନ ଏହି କମ୍ପାନୀରେ ୩୫୦ ସଭ୍ୟ-ସଭ୍ୟା ସାମିଲ ହୋଇ ଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ)  ତରପଂରୁ ୫୦ ଲକ୍ଷ ଅର୍ଥ ରାଶି ଅନୁଦାନ ଦିଆଯାଇଛି।  କମ୍ପାନୀ ତରଫରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯଥା- ରଙ୍ଗ ଦେବା, ଡିଜାଇନ କାଟିବା, ସିଲାଇ, ଜାକଡ ଏବଂ ଜବି ଆଦି ଉପରେ ୧୫୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ଜଣ ଉତ୍କୃଷ୍ଟ ତାଲିମ ନେଇଥିବା ସଭ୍ୟ-ସଭ୍ୟାମାନେ ବର୍ତ୍ତମାନ ନିୟୋଜିତ ଅଛନ୍ତି।  ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢୀକରଣ କରିବା ନିମନ୍ତେ ଟସର ଅଭାବର ପୂରଣ, ବିପଣନ ବ୍ୟବସ୍ଥା, ଏହାର କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା, ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିବା ବେଳେ ନାବାର୍ଡର  ମୁଖ୍ୟ ମହାପ୍ରବନ୍ଧକ(ସିଜିଏମ) ଉଦୟ ଭାଷ୍କର ପ୍ରକଳ୍ପର ବିଭିନ୍ନ ଦିଗ ସମ୍ୱନ୍ଧରେ ଏବଂ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦିଗରେ ନାବାର୍ଡ କିପରି କାର୍ଯ୍ୟ କରୁଛି ସେ ସମ୍ୱନ୍ଧରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
prayash
ଏହି ଅବସରରେ ମୁଖ୍ୟ ଶାସନ ସଚିବ ବୁଣାକାର ମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ଶିଳ୍ପକୁ ଅଧିକରୁ ଅଧିକ ପରିଚିତ କରାଇବା ନିମନ୍ତେ ସୁରଟ ଏବଂ ଆସାମରେ ହସ୍ତତନ୍ତ ତାଲିମ ପ୍ରଦାନ କରିବା ଊପରେ ସେ ନାବାର୍ଡ କର୍ମକର୍ତ୍ତା ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହ ଗୋପାଳପୁର ଓ ଚକଗୋପାଳପୁର କାରୁକାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଊଭୟ ଗ୍ରାମର ବୁଣାକାର ମାନଙ୍କୁ ସଂପୂର୍ଣ୍ଣ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ  କରିଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ଊପ-ସାଧାରଣ ପରିଚାଳକ  କମଳ ପଟ୍ଟନାୟକ, ଜିଲ୍ଲାଉନ୍ନୟନ ପରିଚାଳକ  ସୁବ୍ରତ କୁମାର ସାହୁ, ନେତାଜୀ ଯୁବକ ସଂଘ ସଭାପତି ହରେକୃଷ୍ଣ ନାୟକ, ସଂପାଦକ  ବିଶ୍ୱମ୍ୱର ସାହୁ, ସଂଯୋଜିକା ବୀଣାପାଣି ମଙ୍ଗଳା ଏବଂ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

Comments are closed.