କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସ୍ପେନ ଦେଶର ରାଣୀ ମାରିଆ ଟେରେସା। ବ୍ରିଟେନର ଯୁବରାଜ ଚାର୍ଲସ କରୋନା ସଂକ୍ରମିତ ହୋଇ ସ୍କଟଲ୍ୟାଣ୍ଡରେ ଚିକିତ୍ସିତ ହୋଇ ପ୍ରାଣ ଫେରି ପାଇଛନ୍ତି। ୯୩ ବର୍ଷୀୟା ରାଣୀ ଦ୍ୱିତୀୟ ଏଲିଜାବେଥ ୱିଣ୍ଡସର୍ ଦୁର୍ଗରେ ବାସ କରୁଛନ୍ତି କରୋନା ଭୟରେ। ଜର୍ମାନର ଅର୍ଥମନ୍ତ୍ରୀ ଅର୍ଥନୀତିକୁ ଦେଖି ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି। ୧୩୦ କୋଟି ଭାରତୀୟ ତାଲାବନ୍ଦ ହୋଇ କରୋନା ସଂକ୍ରମଣକୁ ଶିଥିଳ କରିପାରିଛନ୍ତି; କିନ୍ତୁ କେତେ ଦିନ? ସମ୍ବଳହୀନ ଖଟିଖିଆମାନେ ରୋଜଗାର ଓ ଖାଦ୍ୟାଭାବ ସଂକଟରେ ଗାଁମୁହାଁ ହୋଇଛନ୍ତି। ରୋଜଗାର ଆଶାରେ ଭିଟାମାଟି ଛାଡ଼ି ଦେଶାନ୍ତରୀ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ହଜାରେ କି ଲକ୍ଷରେ ନୁହେଁ, କୋଟିରେ।
ଏହି ଅସମୟରେ ଗାନ୍ଧୀଜୀଙ୍କ କଥା ମନେ ପଡୁଛି। ସେ କହିଥିଲେ – “ଭାରତର ଆତ୍ମା ଗାଁରେ। ଗାଁକୁ ସ୍ୱାବଲମ୍ବୀ କଲେ ସ୍ୱାଧୀନ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ହୋଇ ଦୁନିଆକୁ ବାଟ ଦେଖାଇବ। ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଗାଁ ଅନ୍ତତଃ ସ୍ୱାବଲମ୍ବୀ ହେଲେ ଆଜି ଭଳି ଜୀବନ ସଂକଟକୁ ଏଡ଼ାଇ ହେବ। ସେଥିପାଇଁ ସେ କର୍ମୀମାନଙ୍କୁ ସ୍ୱାବଲମ୍ବନର ତାଲିମ ମଧ୍ୟ ଦେଉଥିଲେ।’ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ପୁରପଲ୍ଲୀରେ ବୁଲି ଶ୍ରେଷ୍ଠ ଲୋକସେବକ ସାଜିଥିଲେ। ତ୍ୟାଗୀ ଗୋପବନ୍ଧୁ ଚୌଧୁରୀ ଲୋଭନୀୟ ସରକାରୀ ଚାକିରିରୁ ଇସ୍ତଫା ଦେଇ ବନ୍ୟାପୀଡ଼ିତ ବରୀ ଅଞ୍ଚଳରେ ଆଶ୍ରମ କରି ଗ୍ରାମୋଦୟ ଯୋଜନାକୁ କାର୍ଯ୍ୟକାରୀ କରୁଥିଲେ।
ଚୀନ୍ ତା’ର ମୁକ୍ତି ସଂଗ୍ରାମର ନେତାଙ୍କ କଥା ମାନି ଆଜି ଆମଠାରୁ ବହୁ ଆଗରେ। ଆମେ ଆମ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କଥା ଶୁଣିଲୁ ନାହିଁ। ଆମ ଦୁର୍ଦଶା ପାଇଁ ଆମେ ଦାୟୀ। ଗାନ୍ଧିଜୀ କେବଳ ଭାରତ କି ଏସିଆ-ଆଫ୍ରିକା ପାଇଁ ମୁକ୍ତି ଓ ଶାନ୍ତି ଚାହୁଁ ନଥିଲେ। ସାରା ଦୁନିଆର ମାନବସମାଜ ସୁଖ ଶାନ୍ତି ପାଇଁ ସେ ଚିନ୍ତିତ ଥିଲେ। ତାଙ୍କ ଆପ୍ତବାଣୀ- ‘ଧରିତ୍ରୀ ମାତା ଆମ ଆବଶ୍ୟକତା ପୂରଣ ପାଇଁ ସକ୍ଷମ, ଲାଳସା ପୂରଣ କରିବାକୁ ନୁହେଁ’ – ଆଜି ବେଶ୍ ପ୍ରଯୁଜ୍ୟ। ଗ୍ରାମକୁ ସ୍ୱାବଲମ୍ବୀ କରି ସ୍ୱାଧୀନ ଭାରତର ବିକାଶର ଯୋଜନା କରିବାକୁ ଗାନ୍ଧୀଜୀ ଯେତେବେଳେ ତାଙ୍କ ପଟ୍ଟଶିଷ୍ୟମାନଙ୍କୁ କହିଲେ ସେମାନେ ଗାନ୍ଧିଜୀଙ୍କ କଥାକୁ ମରହଟ୍ଟିଆ କଥା ମନେକରି ଏଡ଼ାଇଗଲେ।
ଗାନ୍ଧୀଜୀ ତା ୫.୧୦.୧୯୪୫ରେ ନେହେରୁଙ୍କୁ ଲେଖିଲେ “ସାରା ପୃଥିବୀ ଯଦି ଭୁଲ୍ ବାଟରେ ଯାଉଛି ସେଥିରେ ମୁଁ ବିଚଳିତ ହେବି ନାହିଁ। ….. କିନ୍ତୁ ମୋର ପରମ କର୍ତ୍ତବ୍ୟ ଯେ ମୋର ଶେଷ ନିଃଶ୍ୱାସ ଥିବା ଯାଏ ମୁଁ ଭାରତକୁ ଓ ଭାରତ ମାଧ୍ୟମରେ ସାରା ପୃଥିବୀକୁ ଏହି ସର୍ବନାଶରୁ ରକ୍ଷା କରିବାକୁ ଚେଷ୍ଟା କରିବି। ମୋର କହିବାର ସାରତତ୍ତ୍ୱ ହେଲା ମଣିଷ ଆବଶ୍ୟକତାରେ ସନ୍ତୁଷ୍ଟ ଓ ସ୍ୱାବଲମ୍ବୀ ହେବା ଉଚିତ।’ “ତୁମେ ଭାବିବ ନାହିଁ ଯେ ମୁଁ ଆଜିର ଗ୍ରାମଜୀବନକୁ ଆଦର୍ଶ କରିଛି। ମୋ ଆଦର୍ଶ ଗ୍ରାମର ଲୋକେ ବୁଦ୍ଧିମାନ। ସେମାନେ ଅଶିକ୍ଷା, ଅନ୍ଧାର ଓ ଆବର୍ଜନାରେ ରହିବେ ନାହିଁ। ହଇଜା, ବସନ୍ତ ମହାମାରୀ ରହିବ ନାହିଁ। କେହି ଆଳସ୍ୟରେ ରହିବେ ନାହିଁ କି କେହି ବିଳାସରେ ବୁଡ଼ିବେ ନାହିଁ।’ ସ୍ୱାଧୀନ ଭାରତର ବିକାଶ ଗ୍ରାମଭିତ୍ତିକ ହେବା ଜରୁରୀ ବୋଲି ଗାନ୍ଧୀଜୀଙ୍କ ଦୂରଦୃଷ୍ଟିକୁ ଆମେ ଆଧୁନିକତା ଆଳରେ ଓ ତତ୍କାଳୀନ ଚାପରେ ଗ୍ରହଣ କଲୁ ନାହିଁ। ଆଜି ତା’ର ପରିଣାମ ଆମେ ଭୋଗୁଛୁ।
ସମ୍ବିଧାନର ୫୧(କ) ଧାରାରେ ନାଗରିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ଅଛି। ଯେଉଁଥିରେ ମାନବିକତା ଓ ଭାଇଚାରା ସହ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ଗୁରୁତ୍ୱ ଦିଆଯାଇଛି। ଆମେ ନାଗରିକମାନେ ସେ କର୍ତ୍ତବ୍ୟ ପାଳନ କଲେ ମହାମାରୀର ମୁକାବିଲା ସହଜରେ କରିହେବ। ଦେଶର ପ୍ରାକୃତିକ ଓ ଆକସ୍ମିକ ବିପର୍ଯ୍ୟୟର ଅନୁଭବକୁ ଆଖିରେ ରଖି ୨୦୦୫ରେ ସଂସଦରେ ବିପର୍ଯ୍ୟୟ ପ୍ରଶମନ ଆଇନ୍ -୨୦୦୫ ପ୍ରଣୀତ ହୋଇଛି, ସେଥିରେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ, ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଓ ଜିଲାସ୍ତରରେ ଜିଲାପାଳ ମୁଖ୍ୟ। କରୋନା ଜାତୀୟ ଓ ସ୍ଥାନୀୟସ୍ତରର ମହାମାରୀ ହୋଇଥିବାରୁ ଏହି ସମିତିଗୁଡ଼ିକ ମଧ୍ୟରେ ସମନ୍ୱୟ ଏକାନ୍ତ କାମ୍ୟ। ଅନ୍ୟଥା ମହାମାରୀର ମୁକାବିଲା ଅସମ୍ଭବ।
କେରଳରେ ଥିବା ଓଡ଼ିଆ କି କାଶ୍ମୀରରେ ଥିବା ବିହାରୀ ଶ୍ରମିକ ନିଜ କର୍ମସ୍ଥଳୀରେ ପରଦେଶୀ ଭଳି ଅସହାୟ ମନେକରି ଗାଁ ମୁହାଁ ହୋଇଛନ୍ତି ଓ ନିଜ ଦେଶର ପୁଲିସ ପ୍ରଶାସନ ଦ୍ୱାରା ବିତାଡ଼ିତ ହେବାର ବିକଟ ପରିସ୍ଥିତି ସୃଷ୍ଟି ହୋଇଛି। ମଣିଷ ଏକ ସାମାଜିକ ପ୍ରାଣୀ। ନିଜ ସମାଜରେ ରହିଲେ ସେ ନିଜକୁ ସୁରକ୍ଷିତ ଓ ଶକ୍ତିମାନ ମଣେ। ଦେଶାନ୍ତରୀ ପୁଣି ଯାଯାବର ହୋଇଗଲେ ସେ ସଂକଟ ସମୟରେ ଅତ୍ୟନ୍ତ ଶଙ୍କାଗ୍ରସ୍ତ ହୋଇଯାଏ। କୋଟି କୋଟି ନାଗରିକ ନିଜ ସମାଜରେ କାମ ଧନ୍ଦା ନ ପାଇ ଭିଟା ଛାଡୁଛନ୍ତି। ଅନେକ ଲୋକ ନିଜ ସମାଜରେ ଶ୍ରମଜୀବୀ ହେବା ଅପଯଶରୁ ରକ୍ଷା ପାଇବା ପାଇଁ ଦୂର ଅଜଣା ସମାଜରେ ନିକୃଷ୍ଟ କାମ କରିବା ସ୍ପୃହଣୀୟ ମଣୁଛନ୍ତି। ଗାନ୍ଧୀଜୀ ସେଥିପାଇଁ ଶ୍ରମକୁ ପୁଞ୍ଜି ଅପେକ୍ଷା ଅଧିକ ସମ୍ମାନ ଓ ମହତ୍ତ୍ବ ଦେଉଥିଲେ। ସେ ଚାହୁଁଥିଲେ ଶତକଡ଼ା ଅଶୀଭାଗ ଲୋକଙ୍କୁ ନିଜ ସ୍ଥାୟୀ ବାସସ୍ଥଳୀରୁ ୨୦ କି.ମି ଭିତରେ କର୍ମସଂସ୍ଥାନ ମିଳୁ। ଆଜି ତାହା ନ ହେବାରୁ ଆମ ଲୋକେ ଦୁର୍ଦଶା ଭୋଗୁଛନ୍ତି। ଗାଁର ପ୍ରଶସ୍ତ ପରିବେଶ ଓ ପଲ୍ଲୀ ପରିବାର ଛାଡ଼ି ପେଟପାଟଣା ପାଇଁ ପରଦେଶୀ ହୋଇ ସଂକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ମୁଣ୍ଡ ଗୁଞ୍ଜି ରୋଗାକ୍ରାନ୍ତ ହେଉଛନ୍ତି।
୧୯୮୪ ମସିହା ଡିସେମ୍ବର ୨ ତାରିଖ ରାତିରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କାରବାଇଡ କମ୍ପାନୀର ଗ୍ୟାସ ଦୁର୍ଘଟଣାରେ ୨୦ହଜାରରୁ ଅଧିକ ମରିଥିଲେ। ସେଥିମଧ୍ୟରେ ୫ହଜାରରୁ ଅଧିକ ଥିଲେ ଓଡ଼ିଆ। ଆମେ ସେଥିରୁ କିଛି ଶିଖିଲୁ ନାହିଁ। ନ’ଅଙ୍କ ଦୁର୍ଭିକ୍ଷରୁ ଶିକ୍ଷା ଲାଭ କରିବାରୁ ଆମେ ନବଜାଗରଣର ଯୁଗ ସୃଷ୍ଟି କଲୁ। ଶିକ୍ଷା, ଜଳସେଚନ ଓ ଯୋଗାଯୋଗକୁ ଗୁରୁତ୍ୱ ଦେଲୁ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ଏବଂ ଓଡ଼ିଶାବାସୀ ସ୍ୱତନ୍ତ୍ର ପରିଚୟ ପାଇଲେ। ଆମେ ସଂକଳ୍ପବଦ୍ଧ ହେଲେ କରୋନା ସଂକ୍ରମଣକୁ ରୋକିପାରିବୁ। ତାଲା ବନ୍ଦୀ ଉଠିଲେ ମଧ୍ୟ ଆମେ ନିଜ ଇଚ୍ଛାରେ ନିଜ ଭିତରେ ଶାରୀରିକ ଦୂରତା ବଜାୟ ରଖିଲେ ଓ ସ୍ୱଚ୍ଛ ରହିଲେ କରୋନାକୁ ପ୍ରତିହତ କରିପାରିବୁ।
୧୯୨୦ ମସିହାରେ ଓଡ଼ିଶାର ଏକ ଦୁର୍ଭିକ୍ଷ ଅନୁଭୂତିରୁ ଗାନ୍ଧୀ ବାଟ ଖୋଜି ବତାଇଥିଲେ। ତାଙ୍କ କଥା ଅନୁସାରେ ଆମେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେଲେ ମହାମାରୀ ହାରିବ, ମଣିଷ ଜିତିବ।

(ଚିତ୍ତରଞ୍ଜନ ମହାନ୍ତି)



