ସିରିଜ ଲୁଟ୍, ପୁଲିସ ବିଫଳତା ଲୁଚାଇବାରେ ବ୍ୟସ୍ତ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଦିନକୁ ଦିନ ଲୁଟ, ଡକାୟତି ଓ ଚୋରି ମାମଲା ବୃଦ୍ଧି ପାଉଥିବା ବେଳେ ରାତ୍ରିର କଥାକୁ  ପଚାରେ କିଏ । ସମ୍ବଲପୁର ପୁଲିସ ବଡ ବଡ ଦାବି କରିବା ସତ୍ୱେ ଏବେ ସମ୍ପୁର୍ଣ୍ଣ ବିଫଳ ହେଉଥିବାରୁ ଅପରାଧିକ ମାମଲା ଗୁଡିକୁ ଲୁଚାଇବାରେ ବ୍ୟସ୍ତ ରହୁଛି । ତେବେ ସତ୍ୟକୁ ବେଶି ସମୟ ଲୁଚେଇ ରଖି ହୁଏ ନାହିଁ ଏବଂ ତାହା ଯେମିତି ହେଲେ ପଦାକୁ ବାହାରିବା ପରେ ପୁଲିସର ଅପାରଗତା ହାଟଦାଣ୍ଡରେ ଗଡୁଛି । ଗତ ଗୁରୁବାର ଅଇଁଠାପାଲି ଓ ଧନୁପାଲି ଥାନାଞ୍ଚଳରେ ୨ ଘଣ୍ଟା ମଧ୍ୟରେ ୨ଟି ସୁନାଚେନ ଲୁଟ ଘଟଣା ହୋଇଥିବା ବେଳେ ପୁଲିସ ଲୁଟିଆ ମାନଙ୍କୁ ଧରିବାରେ ବିଫଳ ହେବା ସହିତ ଘଟଣା ଗୁଡିକୁ ଲୁଚାଇବାରେ ବ୍ୟସ୍ତ ରହିଛି ।

ପ୍ରଥମ ଘଟଣାରେ ଧନୁପାଲି ଥାନା ଅର୍ନ୍ତଗତ ଭବାନୀ ଫିଲ୍ଡ ନିବାସୀ ସୁସ୍ମିତା ବେହେରା (୫୩) ନାମକ ଜଣେ ମହିଳା କୌଣସି ଏକ କାମରେ ଅଇଁଠାପାଲି ଯାଇଥିଲେ। ସେଠାରୁ ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସେ ତାଙ୍କର ସ୍ୱାମୀଙ୍କ ସହିତ ଏକ ମୋଟର ସାଇକେଲରେ ଘରକୁ ଫେରିବା ସମୟରେ ସରଲାକାନି ପୋଲ ଉପରେ ଅଚାନକ ଏକ କଳା ରଙ୍ଗର ପଲସର ମୋଟର ସାଇକେଲରେ ୨ ଜଣ ଯୁବକ ଆସି ସେ ପିନ୍ଧିଥିବା ଏକ ସୁନା ମାଳିକୁ ବେକରୁ ଟାଣି ଲୁଟ କରି ନେଇଗଲେ। ସୁନା ମାଳି ଲୁଟ ପରେ ମହିଳା ପାଟି କରିବାରୁ କେହି କିଛି ବୁଝିବା ପୂର୍ବରୁ ଲୁଟିଆ ମାନେ ଚମ୍ପଟ ମାରିଥିଲେ।

Representational Image

ଏହି ଘଟଣାର ଠିକ ପ୍ରାୟ ୨ ଘଣ୍ଟା ମଧ୍ୟରେ ଅଇଁଠପାଲି ଥାନା ସନ୍ନିକଟସ୍ଥ ଅମ୍ବିରା ନଗରରେ ଦ୍ୱିତୀୟ ସୁନା ମାଳି ଲୁଟ ଘଟଣା ଘଟିଥିଲା । ଅମ୍ବିରା ନଗର ନିବାସୀ ପ୍ରାଣବନ୍ଧୁ ବେହେରା ତାଙ୍କର ପତ୍ନୀ ପଙ୍କଜିନୀ ବେହେରା (୫୩) ଙ୍କ ସହିତ ବରେଇପାଲି ଅଞ୍ଚଳରୁ କୌଣସି ଏକ କାମ ସାରି ଘରକୁ ପ୍ରାୟ ୧ଟା ୩୦ ସମୟରେ ଫେରୁଥିଲେ । ସେହି ସମୟରେ ଅମ୍ବିରା ନଗର ମଧ୍ୟରେ ଘରକୁ ଯାଉଥିବା ବେଳେ ଅଚାନକ ଏକ କଳା ପଲସର ଗାଡିରେ ୨ ଜଣ ଯୁବକ ଆସି ପୂର୍ବ ଘଣ୍ଟା ଭଳି ଚଳନ୍ତା ସ୍କୁଟିରୁ ପଙ୍କଜିନୀ ବେକରେ ପିନ୍ଧିଥିବା ସୁନା ମାଳିକୁ ଲୁଟ କରି ଫେରାର ମାରିଥିଲେ।

ଏହି ଦୁଇ ସୁନା ମାଳି ଲୁଟ ଘଟଣାସ୍ଥଳ ଗୁଡିକ ମଧ୍ୟରେ ଦୂରତା ମାତ୍ର ୧ କିମି ଏବଂ ଅଇଁଠାପାଲି ଥାନା ସନ୍ନିକଟସ୍ଥ ଅଞ୍ଚଳ ଅଟେ। ପ୍ରଥମ ଘଟଣା ଘଟିବା ପରେ ମଧ୍ୟ ପୁଲିସ ତାର ଚିରାଚରିତ ଢ଼ଙ୍ଗରେ ଶୋଇ ରହିଥିବାର ଫାଇଦା ଉଠାଇ ଲୁଟିଆ ମାନେ ପୁଲିସକୁ ଚ୍ୟାଲେଞ୍ଜ କରି ଅଇଁଠାପାଲି ଥାନା ନିକଟରୁ ଦ୍ୱିତୀୟ ଲୁଟ ଘଟଣାକୁ ଅନାୟାସରେ ଭିଆଇ ଚମ୍ପଟ ମାରିଥିଲେ। ବିଗତ ମେ ୨୮ରେ ନୂତନ ଏସପି କାର୍ଯ୍ୟରେ ଯୋଗ ଦେବା ପରେ ଲୁଟ, ଚୋରି ଆଦି ସମେତ ବିଭିନ୍ନ ଅପରାଧିକ ଗତିବିଧି ଗୁଡିକୁ ରୋକିବା ପାଇଁ ସେ କାମରେ ବିଶ୍ୱାସ କରୁଥିବାର କହିଥିବା ବେଳେ କିନ୍ତୁ ୬ ମାସ ବିତିଯିବା ପରେ ମଧ୍ୟ ତାହା କାର୍ଯ୍ୟରେ ପ୍ରତିଫଳିତ ହୋଇ ନାହିଁ। ବରଂ ସମ୍ବଲପୁର ସହର ସମେତ ଜିଲାରେ ସ୍ପଷ୍ଟ ଦିବାଲୋକରେ ଡକାୟତି, ଲୁଟ, ଚୋରି, ନିଶା କାରବାର ଆଦି ବିଭିନ୍ନ ଅପରାଧିକ ଗତିବିଧି ଢ଼େର ବୃଦ୍ଧି ପାଇଥିବା ବେଳେ ଜିଲା ପୁଲିସ ମୁଖ୍ୟ ନିରବ ରହିବା ଶ୍ରେୟସ୍କର ମଣୁଛନ୍ତି । ଏ ସମ୍ପର୍କରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ପୁଲିସର ଆଇନ ଶୃଙ୍ଖଳାକୁ ସଜାଡିବାରେ କୌଣସି ଇଚ୍ଛା ହିଁ ନାହିଁ ବୋଲି ଜନତା ଅଭିଯୋଗ କରୁଛନ୍ତି । ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ହନୁମାନ ଜୟନ୍ତୀ ହିଂସାକାଣ୍ଡ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଜିଲାରେ ଯେତେ ବଡ ବଡ ଅପରାଧିକ ମାମଲା ଗୁଡିକ ଘଟି ଯାଇଛି, ସେଗୁଡିକରେ ଜିଲା ପୁଲିସ ବିଚାର ବିଭାଗୀୟ ବ୍ୟବସ୍ଥା ସମେତ ପ୍ରାୟତଃ ସମସ୍ତ କ୍ଷେତ୍ରରୁ ପ୍ରବଳ ସମାଲୋଚନାର ସରବ୍ୟ ହୋଇଛି। ସହରରେ ହେଉଥିବା ସୁନା ଗହଣା ଲୁଟ, ମାନେଶ୍ୱରରେ ସୁନା ଗହଣା ଦୋକାନରୁ ସ୍ପଷ୍ଟ ଦିବାଲୋକରେ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ, ଧନକଉଡା ଠାରେ ଏଟିଏମ କାଟି ଲୁଟ ଉଦ୍ୟମ, ମାଝିପାଲିରେ ଏଟିଏମ ଲୁଟ, ପେଟ୍ରୋଲ ପମ୍ପ ଗୁଡିକରୁ ଲକ୍ଷାଧିକ ଟଙ୍କାର ଲୁଟ, ଟାଉନ ଥାନା ସମ୍ମୁଖରୁ ସୁନା ଚେନ ଲୁଟ, ଆଇଜିଙ୍କ ବାସଭବନ ସମ୍ମୁଖରୁ ସୁନା ମାଳି ଲୁଟ, ବରେଇପାଲି ଠାରେ ଜଣେ ବ୍ୟବସାୟୀଙ୍କ ଘରୁ ସନ୍ଧ୍ୟା ସମୟରେ ଲୁଟ ଉଦ୍ୟମ ଆଦି ଅନେକ ବଡ ବଡ ଅପରାଧିକ ଘଟଣାରେ ପୁଲିସର ହାତ ଖାଲି ରହିଛି । କୌଣସି ଏକ ବଡ ଅପରାଧିକ ଘଟଣା ଘଟିଲେ ନିଜର ଭାବମୂର୍ତ୍ତି ସୁଧାରିବା ଏବଂ ଜନତାଙ୍କ ସୁରକ୍ଷା ଉପରୁ ଧ୍ୟାନ ହଟାଇବା ପାଇଁ କିଛିଟା ପୁରୁଣା ମାମଲା ଉଠାଇ ତାକୁ ସମାଧାନ କରାଗଲା ବୋଲି ପ୍ରଚାର ପ୍ରସାର କରିବା ସମ୍ବଲପୁର ପୁଲିସର ଅଭ୍ୟାସରେ ପରିଣତ ହୋଇ ସାରିଛି ବୋଲି ଜନତା ଅଭିଯୋଗ କରୁଛନ୍ତି। ସମ୍ବଲପୁର ପୁଲିସର ଦୋଷ ଦୁର୍ବଳତାକୁ ଅପରାଧି ମାନେ ଠିକ ଠଉରାଇ ଅପରାଧିକ କାଣ୍ଡ ଭିଆଇ ଫେରାର ମାରୁଥିବା ବେଳେ ଅପାରଗତ ପୁଲିସ ଚୁପ ପଡି ରହୁଛି ।

Comments are closed.