ଟେଷ୍ଟମ୍ୟାଚ୍‍ରୁ ବାଦ୍‍ ପଡ଼ିବନି ଟସ୍‍

0

ମୁମ୍ବଇ : ଟେଷ୍ଟ ମ୍ୟାଚ୍‍ରୁ ଟସ୍‍କୁ ବାଦ୍‍ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ଅନୀଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି କମିଟି। ମଙ୍ଗଳବାର ଆଇସିସି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟେଷ୍ଟ ମ୍ୟାଚ୍‍ ପୂର୍ବରୁ ଟସ୍‍କୁ ହଟାଯିବା ଅନୁଚିତ ବୋଲି ମତ ପ୍ରକାଶ ପାଇଥିଲା। ତେଣୁ ଟେଷ୍ଟ ମ୍ୟାଚ୍‍ରୁ ଟସ୍‍କୁ ବାଦ୍‍ ଦିଆଯିବ ବୋଲି ଯେଉଁ ଆଲୋଚନା ଚାଲିଥିଲା ତାହାର ଅନ୍ତ ଘଟିଛି। ଟସ୍‍ କ୍ରିକେଟ୍‍ ମ୍ୟାଚ୍‍ର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କମିଟି ବୈଠକରେ ମତ ପ୍ରକାଶ ପାଇଥିଲା।
ପଡ଼ିଆରେ ଖରାପ ଆଚରଣ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି କମିଟି ଆଇସିସିକୁ ସୁପାରିସ କରିଛି। ସେହିପରି ବଲ୍‍ ଟାମ୍ପରିଂରେ ଜଡ଼ିତ ଖେଳାଳିଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବାକୁ କମିଟି ସୁପାରିସ କରିଥିବା ଜଣାପଡ଼ିଛି। ଆଇସିସି ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଦୁଇ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍‍ ଆୟୋଜନ ବେଳେ ଘରୋଇ ଦଳ ନିଜ ପସନ୍ଦ ମୁତାବକ ପିଚ୍‍ ପ୍ରସ୍ତୁତ କରୁଥିବା ଅଭିଯୋଗ ହେବା ପରେ ଟେଷ୍ଟ ମ୍ୟାଚ୍‍ରୁ ଟସ୍‍କୁ ବାଦ୍‍ ଦିଆଯିବା ସହ ଭ୍ରମଣକାରୀ ଦଳକୁ ଆଗେ ବ୍ୟାଟିଂ କିମ୍ବା ବୋଲିଂ କରିବା ନିମନ୍ତେ ନିଷ୍ପତ୍ତି ନେବାର ସୁଯୋଗ ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା। ତେବେ ଆଇସିସି କ୍ରିକେଟ୍‍ କମିଟି ଟେଷ୍ଟ ମ୍ୟାଚ୍‍ରୁ ଟସ୍‍କୁ ବାଦ୍‍ ଦେବା ସପକ୍ଷରେ ନାହିଁ। ତେବେ ଘରୋଇ ଦଳ ଉତ୍ତମମାନର ପିଚ୍‍ ପ୍ରସ୍ତୁତ କରିବା ଉଚିତ୍‍ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଅନୀଲ କୁମ୍ବଲେଙ୍କ ବ୍ୟତୀତ ମାଇକ୍‍ ଗାଟିଙ୍ଗ୍‍, ମାହେଲା ଜୟବର୍ଦ୍ଧନେ, ମାଇକ ହାସନ୍‍, ଡେଭିଡ୍‍ ବୁନ୍‍ ପ୍ରମୁଖ ଏହି କମିଟିର ସଦସ୍ୟ ଅଛନ୍ତି। ବୈଠକରେ ଖେଳାଳିଙ୍କ ବ୍ୟବହାରକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। କେତେକ ଖେଳାଳି ପଡ଼ିଆରେ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଏହାକୁ ରୋକିବାକୁ ଆଇସିସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‍ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସେହିପରି ବଲ୍‍ ଟାମ୍ପରିଂରେ ଜଡ଼ିତ ଖେଳାଳିଙ୍କ ବିରୋଧରେ ଭବିଷ୍ୟତରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇସିସିକୁ କମିଟି ତରଫରୁ ସୁପାରିସ କରାଯାଇଛି। ଏହାବାଦ୍‍ ପଡ଼ିଆରେ ପ୍ରତିପକ୍ଷ ଖେଳାଳିଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଖେଳାଳିଙ୍କୁ ଦଣ୍ଡିତ କରାଯିବା, ବିଭିନ୍ନ ଉପାୟରେ ଅନୁଚିତ୍‍ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବା ଦଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କ୍ରିକେଟ୍‍ର ସମ୍ମାନ ରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଟି ତରଫରୁ କରାଯାଇଥିବା ସୁପାରିସଗୁଡ଼ିକୁ ଆଇସିସି କେତେଦୂର ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply