ଆଉ କିଛି ବର୍ଷ ଆଇପିଏଲ ଖେଳିବି: ଡି’ଭିଲିୟର୍ସ

0

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଅଧିନାୟକ ଏବି ଡି’ଭିଲିୟର୍ସ ଚଳିତବର୍ଷ ମେ’ରେ ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିସାରିଛନ୍ତି। ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇସାରିଥିଲେ ସୁଦ୍ଧା ଆଉ କିଛି ବର୍ଷ ଆଇପିଏଲ ଖେଳିବାକୁ ଡି’ଭିଲିୟର୍ସ ଆଗ୍ରହ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସହରର ମାନ୍ୟତା ରଖୁଛି ବୋଲି ଡି’ଭିଲିୟର୍ସ ସ୍ୱୀକାର କରିଛନ୍ତି। ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ଖେଳିଥିଲେ। ତେବେ ଆଇପିଏଲ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି ବୋଲି ସେ କହିଛନ୍ତି। ଆଇପିଏଲର ପ୍ରଥମ ତିନିଟି ସିଜିନ ସେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୧ରେ ସେ ଆରସିବି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ବିଗତ ଆଠ ବର୍ଷ ଧରି ଆରସିବିକୁ ପ୍ରତିନିଧିତ୍ୱ କରିଆସୁଥିବା ଡି’ଭିଲିୟର୍ସ ଆଇପିଏଲ କ୍ୟାରିୟରରେ ୩ଟି ଶତକ ଅର୍ଜନ କରିଛନ୍ତି।
୩୪ ବର୍ଷ ବୟସ୍କ ଡି’ଭିଲିୟର୍ସ ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ବିଗତ ୧୪ ବର୍ଷ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୧୪ଟି ଟେଷ୍ଟ ଖେଳି ୫୦.୬୬ ହାରରେ ୮୭୬୫ ରନ ସ୍କୋର କରିଛନ୍ତି। ଏଥିମଧ୍ୟରେ ୨୨ଟି ଶତକ ଅନ୍ତର୍ଭୁକ୍ତ। ୨୨୮ଟି ଦିନିକିଆରୁ ୫୩.୫୦ ହାରରେ ୯୫୭୭ ରନ (୨୫ଟି ଶତକ) ସ୍କୋର କରିଛନ୍ତି। ଜଣେ ପ୍ରତିଭାସମ୍ପନ୍ନ ବ୍ୟାଟସମ୍ୟାନ ଭାବେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଡି’ଭିଲିୟର୍ସ ତିନିଟି ବିଶ୍ୱକପ ଖେଳିସାରିଥିଲେ ସୁଦ୍ଧା ଥରେ ହେଲେ ଦକ୍ଷିଣ ଆଫ୍ରିକାକୁ ଚମ୍ପିଆନ କରାଇପାରିନାହାନ୍ତି। ୨୦୧୯ ବିଶ୍ୱକପକୁ ଦୃଷ୍ଟିରେ ରଖି ସେ ଚଳିତବର୍ଷ ପ୍ରାରମ୍ଭରେ ଟେଷ୍ଟ ଫର୍ମାଟରୁ ଅବ୍ୟାହତି ନେଇ କେବଳ ସୀମିତ ଓଭର କ୍ରିକେଟ ଖେଳିବାକୁ ମନସ୍ଥ କରିଥିଲେ। ତେବେ ଅଧିକାଂଶ ସମୟ ଆଘାତପ୍ରାପ୍ତ ରହୁଥିବାରୁ ଚଳିତବର୍ଷ ମେ’ରେ ସେ ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ।

Leave A Reply