କଣ୍ଟାମାଳ : କିଛି ଦିନ ତଳେ କୋଭିଡ ନିୟମକୁ ଜଳାଞ୍ଜଳି ଦେଇ କଣ୍ଟାମାଳବ୍ଲକ ଉମା ପଞ୍ଚାୟତରେ ମାଛ ମାରିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଆଜି ପୁଣି ଗ୍ରାମ ପଞ୍ଚାୟତରେ ଭତ୍ତାଧାରୀଙ୍କ ସାହାଣ ମେଳା ଦେଖିବାକୁ ମିଳିଥିଲା। କୋଭିଡ ନିୟମକୁ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରଖି ଶହ ଶହ ଲୋକ ମାଛ ମାରିବା ଏବଂ ଏହି ମାଛ ମରାକୁ ନେଇ ବ୍ଲକ ପ୍ରଶାସନ ନିଜ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଜନୈକ ସାମ୍ବାଦିକଙ୍କୁ ଦାୟୀ କରିବାର ମାତ୍ର ସପ୍ତାହକ ପରେ ଆଜି ପୁଣି ଶହ ଶହ ହିତାଧିକାରୀ ସେମାନଙ୍କ ଭତ୍ତା ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକତ୍ରୀତ ହେବା ଘଟଣା ସଭିଙ୍କୁ ତାଜୁବ କରିଛି। ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ସଂପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ସରପଞ୍ଚ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ଯେଉଁଠି ବିନା ସାମାଜିକ ଦୂରତା ସହିତ ବିନା ମାକ୍ସଧାରୀ ହିତାଧିକାରୀଙ୍କୁ ଦେଖିବାକୁ ମିଳିଥିଲା।

ସାଧାରଣତଃ ନିରୀହ, ଅଶିକ୍ଷିତ ହିତାଧିକାରୀମାନେ କୋଭିଡ ନିୟମ ସଂପର୍କରେ ସଚେତନ ନଥିବା ବେଳେ ଖୋଦ୍ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମଧ୍ୟ କରୁଥିବା ନିୟମ ବର୍ହିଭୁତ କାର୍ଯ୍ୟ କୁ ସାଧାରଣରେ ନିନ୍ଦା କରାଯାଇଛି। ଗୋଟିଏ ପଞ୍ଚାୟତରେ ବାରମ୍ବାର କୋଭିଡ ନିୟମକୁ ଉଲଙ୍ଗନ କରାଯାଉଥିଲେ ହେଁ ପ୍ରଶାସନିକ ସ୍ତରରେ ନୀରବତାକୁ ନେଇ ବୁଦ୍ଧୀଜିବୀ ନାପସନ୍ଦ କରିବା ସହ ଏହାରି ଉଲଙ୍ଗନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି।



