www.samajalive.in
Tuesday, December 9, 2025
15.1 C
Bhubaneswar

ଆତଙ୍କର ନାମ କରୋନା

ନିକଟ ଅତୀତର ପୃଥିବୀ ଇତିହାସରେ ଏଭଳି ଆତଙ୍କ କେବେ ଦେଖା ଦେଇନଥିଲା ଯାହା ଏବେ କରୋନା ପାଇଁ ଦେଖାଦେଇଛି। ବିଶ୍ୱର ୧୯୬ଟି ଦେଶ ସେ ଆତଙ୍କରେ ଆତଙ୍କିତ । ଏକ ବିଶ୍ୱ ମାହାମାରୀ ଭାବରେ ମଣିଷ ସମାଜ ଆଗରେ ଉଭା ହୋଇଛି ଆଜି କରୋନା। ଆଉ ମଣିଷର ସମସ୍ତ ପାରିବା ପଣିଆକୁ ସତେ ଅବା ଫୁତ୍‌କାର ମାରୁଛି। ସମ୍ଭବତଃ ଏହା ଇତିହାସର ଗତିପଥକୁ ବଦାଳାଇ ଦେଇପାରେ, ଯାହା ଅତୀତରେ ମଣିଷ ସମାଜ ଅଙ୍ଗେ ଲିଭାଇଛି।
ପ୍ରାଗୈତିହାସିକ ଯୁଗରେ ଏକ ମାହାମାରୀର ସନ୍ଧାନ ମିଳେ ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନରୁ। ପାଞ୍ଚ ହଜାର ବର୍ଷପୂର୍ବେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୦୦୦ରେ ଚୀନର ଉତ୍ତରପୂର୍ବ ଇଲାକାକୁ ଏହା ମୃତ୍ୟୁର ଏକ ଉପତ୍ୟକା ବନାଇ ଦେଇଥିଲା। ସିର୍ସା ନାମକ ଏହି ମହାମାରୀ ବିଷୟରେ ଚୀନର ଜିଲିନ୍ ବିଶ୍ୱବିଦ୍ୟାଳୟ ପ୍ରତ୍ନତତ୍ତ୍ବ ବିଭାଗର ପ୍ରଫେସରମାନେ ସନ୍ଧାନ ପାଇଥିଲେ ହାମିନ ମାଂଘା ନାମକ ଏକ ସ୍ଥାନରୁ। ୨୦୧୧ ମସିହାରେ ସେହି ଗବେଷକମାନେ ପୁରାତନ ଘରଗୁଡିକର ସନ୍ଧାନ ପାଇଥିଲେ ଯେଉଁଥିରେ କୁଢକୁଢ ମଣିଷ କଙ୍କାଳ ମିଳିଥିଲା ଏବଂ ସେସବୁର ପରୀକ୍ଷାନିରୀକ୍ଷା ପରେ ଏକ ନିଷ୍କର୍ଷରେ ଉପନୀତ ହୋଇଥିଲେ ଯେ ଏକ ମହାମାରୀ କାରଣ ଯୋଗୁଁ ମଣିଷ ମଡକ ପଡିଥିଲା ସେଠାରେ।
ସିର୍ସା ମହାମାରୀଠୁ କରୋନା ଭିତରେ ମଣିଷ ସମାଜ ଅନେକ ମହାମାରୀକୁ ଦେଖିଛି। ସେଗୁଡିକର ଭୟାନକ ରୂପକୁ ଦେଖି ବିବଶ ଏବଂ ଅସହାୟ ହୋଇ ପଡିଛି। ବସନ୍ତ ଏବଂ ପ୍ଲେଗ୍ ହେଉଛି ସେହିପରି ଦୁଇଟି ମହାମାରୀ ଯାହା ମଣିଷର ସ୍ମୃତି ପଟରୁ କେବେବି ବିସ୍ତୃତ ହେବ ନାହଁ। ଏହା ଏତେ ଭୟାନକ ଥିଲା, ଯାହା ବିଷୟରେ ଅଧ୍ୟୟନ କଲେ ଲୋମ ଟାଙ୍କୁରି ଉଠେ। ବସନ୍ତ ବା ସ୍ମଲପକ୍ସର ଉତ୍ପତ୍ତି ବିଷୟରେ ଠିକ୍ ତଥ୍ୟ ନମିଳିଲେ ମଧ୍ୟ ତୃତୀୟ ଶତାଦ୍ଦୀରେ ଏହାର ସୂତ୍ରପାତ ହୋଇଥିଲା ବୋଲି ଇଜିପଟର କବରଖାନା ସଂକ୍ରାନ୍ତ ରଚନାରୁ ଜାଣିବାକୁ ମିଳେ। ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ଏହି ରୋଗରେ ବର୍ଷକୁ ୪ ଲକ୍ଷ ଲୋକ ମରିଥିଲେ ଏବଂ ଆକ୍ରାନ୍ତଙ୍କ ଭିତରୁ ଏକ-ତୃତୀୟାଂଶ ଅନ୍ଧ ହୋଇଯାଇଥିଲେ। ବିଶଂ ଶତାବ୍ଦୀରେ ବିଶ୍ୱର ପ୍ରାୟ ୩୦ କୋଟି ଲୋକ ଏହି ମାହମାରୀର ଶିକାର ହୋଇଥିଲେ। ୧୯୮୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ସଂପୂର୍ଣ୍ଣ ନିରାକରଣ ହେବାର ଘୋଷଣା ପର୍ଯ୍ୟନ୍ତ ବିଗତ ୧୦୦ ବର୍ଷ ଭିତରେ ପ୍ରାୟ ୫୦ କୋଟି ଲୋକ ଏଥିରେ ପ୍ରାଣ ହରାଇଥିବାର ତଥ୍ୟ ମିଳେ।
ବସନ୍ତଠୁ ଆହୁରି ମାରାତ୍ମକ ଏବଂ ଭୟାନକ ହୋଇଛି ପ୍ଲେଗ। ଏହା ଯେଉଁଭଳି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିଲା ତାକୁ ଦେଖି ଏହାକୁ ବ୍ଲାକ୍ ଡେଥ୍ ବା କଳା ମୃତ୍ୟୁର ମଧ୍ୟ ଆଖ୍ୟା ଦିଆଗଲା। ମଣିଷ ସମାଜର ଇତିହାସରେ ଏହା ସବୁଠୁ ବଡ ଏବଂ ଭୟଙ୍କର ମହାମାରୀ। ୧୩୪୭ରୁ ୧୩୫୧ ମସିହା ମଧ୍ୟରେ ଏହା ୟୁରୋପରେ ବ୍ୟାପିଥିଲା ଏବଂ ୟୁରୋପର ୭୫ ରୁ ୨୦୦ ନିୟୁତ ଲୋକ ଏଥିରେ ପ୍ରାଣ ହରାଇଥିଲେ। ଏହାର ଉତ୍ପତ୍ତି ସ୍ଥଳ ହିସାବରେ ମଧ୍ୟ ଏସିଆ ବା ପୂର୍ବ ଏସିଆକୁ ବିବେଚନା କରାଯାଏ। ଏଇଠୁ ଏହା ବ୍ୟାପିଥିଲା ସମଗ୍ର ପୃଥିବୀକୁ। ଚତୁଦ୍ତର୍ଦ୍ଦଶ ଶତାବ୍ଦୀରେ ପୃଥିବୀର ଲୋକସଂଖ୍ୟା ଥିଲା ୪୭୫ ନିୟୁତ। ଆକଳନ କରାଯାଏ ପ୍ଲେଗ୍ ମହାମାରୀ ଯୋଗୁଁ ପୃଥିବୀର ଲୋକସଂଖ୍ୟାର ୩୦ରୁ ୬୦ ଶତାଂଶ କମିଯାଇଥିଲା ଯାହାକି ପୂର୍ବବର୍ତ୍ତୀ ଅବସ୍ଥାକୁ ଆସିବା ପାଇଁ ୟୁରୋପକୁ ୨୦୦ ବର୍ଷ ସମୟ ଲାଗିଥିଲା।
ଆଜି ଦିନରେ ସେହିଭଳି ଏକ ଆତଙ୍କ ଭିତରକୁ ଠେଲି ହୋଇ ଯାଇଛି ବିଶ୍ୱ ଯାହାର କାରଣ ହେଇଛି କରୋନା ମହାମାରୀ । କୋଭିଡ୍-୧୯ ନାମକୁ ଭୂତାଣୁ ବ୍ୟାପି ଚାଲିଛି ଗୋଟିଏ ପରେ ଗୋଟିଏ ଦେଶକୁ। ଗୋଟିଏ ଦେଶ ଭିତରେ ଥିବା ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ। ବିଭିନ୍ନ ଦେଶର ସରକାରମାନେ ଏହାକୁ ଜରୁରୀକାଳୀନ ପରିସ୍ଥିତି ଭାବରେ ବିଚାର କରି ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହାର ପ୍ରତିଷେଧକ ବା ନିରାକରଣର ଉପାୟ ଏବେ ସୁଦ୍ଧା ବାହାରି ନାହିଁ। ଭେଷଜ ବିଜ୍ଞାନ ଏ ପର୍ଯ୍ୟନ୍ତ ନିର୍ଦିଷ୍ଟ ଭାବରେ ଏହାର ଚିକିତ୍ସା ପାଇଁ ସକ୍ଷମ ହୋଇ ନାହିଁ। ଲୋକଙ୍କ ଭିତରେ ଆତଙ୍କର ଏହା ଗୋଟିଏ ବଡ କାରଣ।
ନିକଟ ଅତୀତରେ ଏଚ୍‌ଓଏନ୍ଓ ସ୍ୱାଇନ୍‌ଫ୍ଲୁ, ଇବୋଲା, ଆନ୍ଥ୍ରାକ୍ସ, ଜାଇକା ପରି ମାହାମାରୀଗୁଡିକ ବିଭିନ୍ନ ଦେଶରେ ସେଗୁଡିକର ପ୍ରାଦୁର୍ଭାବ ଦେଖାଇଛି। ମାତ୍ର ସେଗୁଡିକ ଏତେ ଆତଙ୍କ ଦେଖାଇ ନଥିଲା, ଯାହା ଏବେ କରୋନା ଯୋଗୁଁ ଦେଖା ଦେଇଛି। କରୋନା ସଂକ୍ରମଣ ଏତେ ପ୍ରଖର, ଯାହା ଅନ୍ୟ ଭୂତାଣୁଗୁଡିକ କ୍ଷେତ୍ରରେ ନଥିଲା। ଖୁବ୍ କମ୍ ସମୟ ଭିତରେ ସଂକ୍ରମଣ ବ୍ୟାପିବା ହେଉଛି ଏହି ଭୂତାଣୁର ଏକ ଲକ୍ଷଣ ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଏବେ ଯାତାୟାତର ବଡ ମାଧ୍ୟମ ହେଉଛି ଉଡାଜାହାଜ। କେଇ ଘଣ୍ଟା ଭିତରେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ସଂକ୍ରମିତ ରୋଗୀ ଆସିବା ଏବଂ ସଂକ୍ରମଣ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଉଛି। ଗୋଟିଏ ଦେଶ ଭିତରେ ମଧ୍ୟ ଚଳପ୍ରଚଳର ମାଧ୍ୟମ ଏତେ ତୀବ୍ର ହୋଇ ସାରିଲାଣି ଯାହାର ଫଳ ସ୍ବରୂପ ସଂକ୍ରମଣ ମଧ୍ୟ ପ୍ରଖର ଗତିରେ ମାଡି ଚାଲିଛି। ଏହା ମଧ୍ୟ ଆତଙ୍କର ଅନ୍ୟ ଏକ କାରଣ।
ଚୀନ୍, ଇଟାଲି, ଜର୍ମାନୀ, ଆମେରିକା, ଫ୍ରାନ୍ସ, ସ୍ପେନ୍ ପ୍ରଭୃତି ଦେଶରେ ଏହି ସଂକ୍ରମଣ ତୃତୀୟ କିମ୍ବା ଚତୁର୍ଥ ସ୍ତରରେ ପହଞ୍ଚି ସାରିଲାଣି। ପ୍ରତିଦିନ ହଜାରହଜାର ଲୋକ ସଂକ୍ରମିତ ହେଉଛନ୍ତି। ଶହଶହ ସଂଖ୍ୟାରେ ପ୍ରାଣହରାଉଛନ୍ତି। ଭାରତରେ ଏହା ଦ୍ୱିତୀୟ ପର୍ଯ୍ୟାୟ ବା ସ୍ତରରେ ଅଛି। ଏହି ସଂକ୍ରମଣ ଯେମିତି ୩ୟ ବା ୪ର୍ଥ ସ୍ତରକୁ ନଯାଏ, ତାହାହିଁ ବର୍ତ୍ତମାନ ସମୟରେ ସବୁଠୁ ବଡ ଆହ୍ୱାନ। ଏଥିପାଇଁ ଯେଉଁ ସର୍ତକତା, ସାବଧାନତା ଏବଂ ସଂଯମ ଦରକାର ତା’କୁ କରିପାରିଲେ ସେ ଆହ୍ୱାନକୁ ମୁକାବିଲା କରିହେବ। ଦେଶର ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ରାଜ୍ୟ ସରକାର ଏ ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି, ଯାହା ସ୍ୱାଗତ ଯୋଗ୍ୟ, କିନ୍ତୁ ବର୍ତ୍ତମାନ ସମୟରେ ସଚେତନତା, ସାବଧାନତା ଇତ୍ୟାଦି ଯେମିତି ଗୁରୁତ୍ୱପୂର୍ଣ୍ଣ ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ ଦେଶ ଏବଂ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବା, ଏବଂ ତାକୁ ସଜାଗ ରଖିବା। ଦ୍ୱିତୀୟତଃ ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଗରିବ ଏବଂ ଦିନ-ମଜୁରିଆ ଶ୍ରେଣୀର ଲୋକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ସେମାନଙ୍କୁ ସାମାଜିକ ଦୁରତ୍ୱ ବଜାୟ ରଖିବା କ୍ଷେତ୍ରରେ ସକ୍ଷମ କରିବାକୁ ହେଲେ ସେମାନଙ୍କର ପେଟପାଟଣା କଥା ବୁଝିବା ନିହାତି ଆବଶ୍ୟକ। ସରକାର ସେଥିପ୍ରତି ଦୃଷ୍ଟି ଦେବା ଆଜି ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ। ଶେଷରେ କରୋନା ବିରୋଧୀ ଲଢ଼େଇରେ ସରକାର, ସମାଜ ଏବଂ ସାମାଜିକ ଅନୁଷ୍ଠାନମାନେ ଆଗେଇ ଆସିବା ନିତାନ୍ତ ଜରୁରୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories