www.samajalive.in
Sunday, December 14, 2025
19.1 C
Bhubaneswar

କିଛି ସପ୍ତାହରେ ଟିକାକୁ ମିଳିବ ଅନୁମତି : ଡୋଜ୍‌ ପ୍ରତି ୨୫୦ ଟଙ୍କାରେ ଦେବ ସିରମ

ନୂଆଦିଲ୍ଲୀ : ରୁଷ୍‌ରେ କରୋନା ଟିକା ସ୍ପୁଟନିକ୍‌-୫ର ଗଣ ଟିକାଦାନ ଆରମ୍ଭ ହୋଇଥିବାବେଳେ ଆଜି ଫାଇଜର ପ୍ରସ୍ତୁତ ଟିକାକୁ ବ୍ରିଟେନ ସର୍ବସାଧାରଣରେ ଦେବା ଆରମ୍ଭ କରିଛି। ବ୍ରିଟେନର ଜଣେ ୯୦ ବର୍ଷୀୟ ମହିଳା ଫାଇଜର ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଆଉ କିଛି ସପ୍ତାହ ପରେ କରୋନା ଟିକାର ଗଣଟିକାକରଣ କରାଯିବ ବୋଲି ଆଭାସ ମିଳିଛି।

ଭାରତରେ ଏବେ ୬ଟି କରୋନା ଟିକାର ମାନବ ପରୀକ୍ଷା ଚାଲିଛି। ଏଥି ମଧ୍ୟରୁ କେତେକ ଟିକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଶେଷ ପର୍ଯ୍ୟାୟରେ ଥିବା କେତେକ ଟିକାର ବ୍ୟବହାର ନିମନ୍ତେ ଅନୁମତି ଲୋଡା ଯାଇଛି। ଏହି ସବୁ ଟିକା ମଧ୍ୟରୁ କେତେକ ଟିକାକୁ ବ୍ୟବହାରିକ ପ୍ରୟୋଗ ନିମନ୍ତେ ଆଗାମୀ ସପ୍ତାହ ମଧ୍ୟରେ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଛନ୍ତି। ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନ, ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ଆମେରିକାର ଫାଇଜର୍‌ ଦ୍ବାରା ପ୍ରସ୍ତୁତ ଟିକାର ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ଲୋଡିଛନ୍ତି। ଅନୁମତି ଲୋଡିଥିବା ଟିକା ମଧ୍ୟରୁ କେତେକ ଟିକା ଆଗାମୀ କିଛି ସପ୍ତାହ ମଧ୍ୟରେ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଭୂଷଣ କହିଛନ୍ତି।

- Advertisement -

ସେହିପରି ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ କହିଛନ୍ତି ଯେ ଟିକାକୁ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ ସକାରାତ୍ମକ ବିଚାର ଚାଲିଛି। କରୋନା ଟିକାକରଣ ସମୟରେ ଅନ୍ୟାନ୍ୟ ଟିକାକରଣ ପ୍ରକ୍ରିୟା ଯେପରି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଦେଶରେ ଏବେ ପ୍ରାୟ ୨.୩୯ ଲକ୍ଷ ଏଏନଏମ୍ ଅଛନ୍ତି। ଏଥିରୁ ୧.୫୪ ଲକ୍ଷ ଏଏନଏମ୍‌ଙ୍କୁ କୋଭିଡ-୧୯ ଟିକାକରଣ ନିମନ୍ତେ ଉପଯୋଗ କରାଯିବ। କରୋନା ଟିକାକରଣ ନିମନ୍ତେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା ଚଳାଇଛନ୍ତି। କରୋନା ଟିକାକରଣ ପ୍ରକ୍ରିୟା କେବଳ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ନୁହେଁ। ଏଥିରେ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ସଚିବ ଭୂଷଣ କହିଛନ୍ତି।

ବିଶ୍ବର ସର୍ବବୃହତ ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ସିଆଇଆଇ) କରୋନା ଟିକା ଡୋଜ୍ ପ୍ରତି ୨୫୦ ଟଙ୍କା (୩.୩୯ ଡଲାର)ରେ ଯୋଗାଇ ଦେବ ବୋଲି ଜଣାଯାଇଛି। ଟିକା ଯୋଗାଣ ନିମନ୍ତେ ସିଆଇଆଇ ଭାରତ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଥିବା ଏକ ରିପୋର୍ଟରୁ ଜଣାଯାଇଛି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲ୍ଡକୁ ସିଆଇଆଇ ଭାରତରେ ବିକଶିତ କରୁଛି। ଯାହାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି। ସିଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନୱାଲ କହିଛନ୍ତି ଯେ ଭାରତରେ କମ୍ପାନୀର ପ୍ରସ୍ତୁତ କରୋନା ଟିକାର ଡୋଜ୍‌ ପ୍ରତି ମୂଲ୍ୟ ୧୦୦୦ଟଙ୍କା ରହିବ। ମାତ୍ର ଭାରତ ସରକାର ବିପୁଳ ମାତ୍ରାରେ ଏହା କିଣିବାକୁ ଯାଉଥିବାରୁ ଏହାର ମୂଲ୍ୟ ବହୁତ କମ୍ ରହିବ। ସେ କହିଛନ୍ତି ଯେ ସିଆଇଆଇ ଅନ୍ୟ ଦେଶକୁ ଟିକା ଯୋଗାଣ ପୂର୍ବରୁ ଭାରତକୁ ଏହା ଯୋଗାଇବା ଉପରେ ଗୁରୁତ୍ବ ଦେବ। ତୃତୀୟ ପର୍ଯ୍ୟାୟ ପରୀକ୍ଷାର ତଥ୍ୟ ଅନୁଯାୟୀ ଫାଇଜର ଟିକା ୯୪% ପ୍ରଭାବଶାଳୀ ରହିଛି। ଏହାର ଟିକାକୁ ନେଇ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଓ ସୁରକ୍ଷା ଆଶଙ୍କା ନାହିଁ ବୋଲି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ପ୍ରଶାସନ କହିଛି।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories