ରାଜ୍ୟରେ କରୋନା ଟିକାକଣରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ସ୍ୱତନ୍ତ୍ର ଭାବେ ପୁଲିସ୍ ଓ ରାଜସ୍ୱ ଅଧିକାରୀ ସମେତ କରୋନା ପ୍ରମୁଖ ଯୋଦ୍ଧା କର୍ମଚାରୀମାନଙ୍କୁ ଟିକାକରଣ ଆରମ୍ଭ ହୋଇଛି। କଟକ ସହରର ୩ଟି ସ୍ଥାନରେ ପୁଲିସ୍ ଓ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ଏବଂ ମହାନଗର ନିଗମ ଅଧିକାରୀ ଏବଂ କର୍ମଚାରୀଙ୍କୁ କରୋନା ଟିକା ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଚାଲିବ।
କଟକ ଜବାହରଲାଲ୍ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ଟିକାଦାନ କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଅଗ୍ନିଶମ ବିଭାଗ ଡି.ଜି. ସତ୍ୟଜିତ ମହାନ୍ତି, ବରିଷ୍ଠ ଅଧିକାରୀ ବିନୟତୋଷ ମିଶ୍ର ଓ ଦ୍ୱେତନଗରୀ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଟିକା ନେଇଛନ୍ତି। କଟକ ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ସି.ଏମ୍.ସି. କମିଶନର ଅନନ୍ୟା ଦାସ, ଡେପୁଟି କମିଶନର ଅବିନାଶ ରାଉତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଛନ୍ତି।
କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଟିକାଦାନ ଶିବିରରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଟିକା ନେଇଛନ୍ତି। ଟିକା ନେବାପରେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତଥା ଟିକା ସୁରକ୍ଷିତ ବୋଲି ଅଧିକାରୀମାନେ ମତ ଦେଇଛନ୍ତି। ଏହାସହ ନିଜ ପାଳି ଅନୁଯାୟୀ କୋଭିଡ୍ ଯୋଦ୍ଧା ଓ ଅନ୍ୟମାନେ ଟିକା ନେବାକୁ ସେମାନେ ଅନୁରୋଧ ମଧ୍ୟ କରିଛନ୍ତି। କୋଭିଡ୍ ଯୋଦ୍ଧାଙ୍କୁ ଟିକା ମାଗଣାରେ ଦିଆଯାଉଥିବାରୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଡି.ଜି.ପି. ଶ୍ରୀ ଅଭୟ ଧନ୍ୟବାଦ ଦେଇଛନ୍ତି।
ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆଜିଠାରୁ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କୋଭିଡ୍ ଟିକାକରଣ ଶିବିରରେ ଜିଲ୍ଲାପାଳ ଚଞ୍ଚଲ୍ ରାଣା ଓ ଏସ୍.ପି. କୁଶଲକର ନୀତିନ୍ ଟିକା ନେଇଛନ୍ତି। ଟିକା ନେବାପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିବା ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି।
ଜଗତ୍ସିଂହପୁରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ସେ ପ୍ରଥମେ ଟିକା ନେବା ପରେ ଅନ୍ୟ କର୍ମଚାରୀମାନେ ଟିକା ନେଇଛନ୍ତି। ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ପୁଲିସ୍ କର୍ମଚାରୀମାନଙ୍କୁ ଟିକା ଦିଆଯାଉଛି। ଆଜି ଜିଲ୍ଲାର ୩ଟି ସ୍ଥାନରେ ୧୦୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ-୧୯ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଥମ କୋଭିଡ ଟୀକା ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନେଇ ଟୀକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପରେ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ ମଧ୍ଯ ଏହି ଟୀକା ଗ୍ରହଣ କରିଥିଲେ। ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣରେ ଆଗଧାଡ଼ିରେ କର୍ମରତ ୨୦୦ଜଣ ସରକାରୀ କର୍ମଚାରୀଙ୍କୁ ଏହି ଟୀକା ଦିଆଯିବା ପାଇଁ ଲକ୍ଷ୍ଯ ଧାର୍ଯ୍ୟ ହୋଇଥିଲା।ଟୀକା ନେବା ପରେ ଏହା ସଂପୂର୍ଣ୍ଣ ନିରାପଦ ଓ ଏହା ଦ୍ବାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ ବୋଲି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସ. ପି. ମନୋଜ କୁମାର ମହାନ୍ତ ପ୍ରକାଶ କରିଛନ୍ତି।
ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଏବଂ ରିଜର୍ଭ ପୁଲିସ୍ ପଡ଼ିଆ ପରିସରରେ ସ୍ୱତନ୍ତ୍ର ଟିକାକରଣ ଆରମ୍ଭ ହୋଇଛି। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ ଟିକା ନେବା ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଅନ୍ୟାନ୍ୟ କର୍ମଚାରୀ ଟିକା ନେଇଛନ୍ତି। ସେହିପରି ଆରକ୍ଷୀ ଅକ୍ଷୀକ୍ଷକ ପଦ୍ମିନୀ ସାହୁ ପ୍ରଥମେ ଟିକା ନେଇଥିବା ବେଳେ ପୌର ପରିଷଦ କାର୍ଯ୍ୟାଳୟରେ ସଫେଇ କର୍ମଚାରୀମାନଙ୍କୁ ଟିକା ଦିଆଯାଇଛି। ଆଜି ଜିଲ୍ଲାରେ ୫୦୦ ଜଣଙ୍କୁ ଟିକା ପ୍ରଦାନ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ପର୍ଯ୍ୟାୟରେ ୪ ହଜାରରୁ ଅଧିକ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ।
ରାୟଗଡ଼ା ଜିଲ୍ଲାରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ, ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସ୍.ପି. ବିବେକାନନ୍ଦ ଶର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଟିକା ଗ୍ରହଣ କରିଛନ୍ତି। ଟିକା ନେବାପରେ ସେମାନେ ସୁସ୍ଥ ଅନୁଭବ କରୁଥିବା ଜଣାଇଛନ୍ତି।
କେନ୍ଦୁଝରରେ ଦରବାର ହଲରେ ଆୟୋଜିତ ସମୂହ ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ୍ ଠାକ୍ରେଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଟିକାଗ୍ରହଣ କରିଛନ୍ତି। ଏହି ପର୍ଯ୍ୟାୟରେ ୧୦୦ ଜଣ ରାଜସ୍ୱ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ୨୦୦ ଜଣ ପୁଲିସ୍ କର୍ମୀ ଟିକାଗ୍ରହଣ କରିଥିବା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର କହିଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ୨ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ସମ୍ମୁଖ କୋଭିଡ୍ ଯୋଦ୍ଧାମାନେ ଟିକା ଗ୍ରହଣ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର ଓ ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମୀନା ସହାୟଙ୍କୁ ଟିକା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ହିତାଧିକାରୀଙ୍କ ଆଧାରକାର୍ଡ଼ ଯାଞ୍ଚ୍ ପରେ ଟିକା ପ୍ରଦାନ କରାଯାଇଥିବାବେଳେ ସେମାନଙ୍କୁ କୋଭିଡ୍ ନିୟମାବଳି ମାନିବାକୁ ପରାମର୍ଶ ଦିଆଯାଇଛି। ଟିକା ନେବାପରେ ସମ୍ପୃକ୍ତ ଅଧିକାରୀମାନେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ୨୮ ଦିନ ପରେ ସେମାନଙ୍କ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି କୁହାଯାଇଛି। ଜିଲ୍ଲାର ୪ ହଜାର ୮୯୯ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଏହି ପର୍ଯ୍ୟାୟରେ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇଥିବା ବେଳେ ଆଜି ୨ଟି କେନ୍ଦ୍ରରେ ୪୦୦ ଜଣଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବାଲେଶ୍ୱର ଜିଲ୍ଲାରେ ୩ଟି କେନ୍ଦ୍ରରେ ସ୍ୱତନ୍ତ୍ର ସମ୍ମୁଖ ଯୋଦ୍ଧା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଥମେ ଟିକା ନେବାପରେ ଅନ୍ୟ କର୍ମଚାରୀମାନେ ଟିକାଗ୍ରହଣ କରିଛନ୍ତି। ଆଜି ୯୪୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ଆସନ୍ତା ୧୦ ତାରିଖ ସୁଦ୍ଧା ୩ ହଜାର ୮୪୮ ଜଣଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ଖୋର୍ଦ୍ଧା ଜିଲ୍ଲାର ୧୨ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ଏସ୍.ପି.ଙ୍କ କାର୍ଯ୍ୟାଳୟ ଏବଂ ଆଇ.ଏନ୍.ଏସ୍. ଚିଲିକାରେ ଟିକାଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ୧ ହଜାର ୪୦୦ ଜଣ ଟିକା ନେବାପାଇଁ ପଞ୍ଜୀକରଣ କରିଥିବାବେଳେ ଆଜି ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାପାଳ ସନତ୍ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଟିକାଗ୍ରହଣ କରିଛନ୍ତି।
ଯାଜପୁର ଜିଲ୍ଲାରେ କରୋନା ଯୋଦ୍ଧା ଭାବେ ଅଗ୍ରଣୀ ଭୂମିକା ତୁଲାଉଥିବା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ପୋଲିସଙ୍କୁ ଆଜି କରୋନା ଟୀକା ଦିଆଯାଇଛି। ଆଜି ଏହି କ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂହ ରାଠୋର କୋଭିଡ ଟୀକା ନେଇଛନ୍ତି। ପରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ, ଉପ ଜିଲ୍ଲପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଟୀକା ନେଇଥିଲେ। ଟୀକାକରଣ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ସେହିଭଳି ପାଣିକୋଇଲିଏସପି ଅଫିସଠାରେ ଆୟୋଜିତ ଶିବିରରେ ଯାଜପୁର ଏସପି ରାହୁଲ ପି.ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀଙ୍କ କରୋନା ଟୀକାକରଣ କରାଯାଇଛି।
ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଆଜି କରୋନା ଟିକାକରଣ’ର ଦ୍ଵିତୀୟ ପର୍ଯ୍ୟାୟ ତଥା କରୋନା’ର ସମ୍ମୁଖ ଯୋଦ୍ଧା ମାନଙ୍କୁ କୋଭିଡ-୧୯ ଟୀକାକରଣ’ର ଜିଲ୍ଲାସ୍ତରୀୟ ଶୁଭାରମ୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ’କୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ। ପ୍ରଥମେ , କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟନାୟକ ଏବଂ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା କୋଭିଡ ଟୀକା ନେଇଥିଲେ। ଟୀକା ନେବା ପରେ ସେମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ଦ୍ଵିତୀୟ ପର୍ଯ୍ୟାୟର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ’ରେ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟତଃ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାମିଲ କରାଯାଇଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୁଯୋଗ ପ୍ରକାରେ ମୁଁ ମଧ୍ୟ ଏହି କୋଭିଡ ଟୀକା ନେଇଛି। ଟୀକା ନେବାପରେ ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି। କୋଣସି ପାର୍ଶ୍ଵ-ପ୍ରତିକ୍ରିୟା ଦେଖା ଦେଇନାହିଁ। ଏହି ଟୀକା ନେବା ଫଳରେ ଏହା ଆମକୁ କରୋନାରୁ ମୁକ୍ତ ଓ ସୁସ୍ଥ ରଖିବା ସହ ସମାଜକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ଏହି ଟୀକା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ ସୁରକ୍ଷିତ। ମୁଁ ସମସ୍ତ ଫ୍ରଣ୍ଟ-ଲାଇନ କରୋନା ଯୋଦ୍ଧା ମାନଙ୍କୁ ଆହ୍ବାନ କରୁଛି ଯେ ସମସ୍ତେ ଏହି ଟିକା ନିଅନ୍ତୁ ଏବଂ ନିଜେ କରୋନା ମୁକ୍ତ ହେବା ସହ ସମାଜକୁ କରୋନା ମୁକ୍ତ ରକ୍ଷୀବା’ରେ ସହାୟକ ହୁଅନ୍ତୁ।
ବୌଦ ଜିଲ୍ଲାରେ ଆଜି ଅନୁଷ୍ଠିତ ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍.ପି. ଭି. ରଘୁନାଥ ରାଓ ଟିକାଗ୍ରହଣ କରିଛନ୍ତି। ଆଜି ୫୦୦ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ୩ଟି ଟିକାକରଣ କେନ୍ଦ୍ରରେ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ, ଏସ୍.ପି. ଚରଣ ସିଂହ ମୀନା ଓ ଅନ୍ୟ ପ୍ରଶାସନିକ କର୍ମଚାରୀମାନେ ଟିକା ଗ୍ରହଣ କରିଛନ୍ତି। ଏଥିରେ ୬୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ୨ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି, ଢେଙ୍କାନାଳ, ମାଲକାନଗିରି, କେନ୍ଦ୍ରାପଡ଼ା ଓ ଦେବଗଡ଼ ଜିଲ୍ଲାରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଉଛି। ଏହିସବୁ ସ୍ଥାନମାନଙ୍କରେ ଜିଲ୍ଲାପାଳ ଏବଂ ଏସ୍.ପି.ମାନେ ପ୍ରଥମେ ଟିକା ଗ୍ରହଣ କରିବା ସହ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା କହିଛନ୍ତି।



