ସମାଜ ପୋର୍ଟାଲ ଡେସ୍କ: ଆଜି (ମେ’ ୨ ଶନିବାର) ସକାଳ ସୁଦ୍ଧା ଦେଶରେ ୯ ହଜାର ୬୫ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର ୨୫.୩୭% ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୨୫ ହଜାର ୧୪୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି। ଏହି ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଂଚିଛି।
ଇତି ମଧ୍ୟରେ ବିହାରରେ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ ତଥା କୋଭିଡ-୧୯ ସ୍ଥିତି ସମୀକ୍ଷା ନିମନ୍ତେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଓ ବିହାର ସ୍ଵାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଦେଶର ସମସ୍ତ ଜିଲ୍ଲାକୁ ସବୁଜ, କମଳା ଓ ଲାଲ ରଙ୍ଗର ଜୋନରେ ବିଭକ୍ତ କରାଯାଇଛି। ଯାହା ଫଳରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଓ ଜିଲ୍ଲା ପ୍ରଶାସନ ଅଧିକ ମାମଲା ଥିବା ଲାଲ ଏବଂ କମଳା ଜୋନରେ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ନିମନ୍ତେ ପ୍ରଭାବୀ ଓ କଡ଼ା ଅବରୋଧ ନିମନ୍ତେ ପଦକ୍ଷେପ ନିଆଯାଇ ପାରିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂକ୍ରମିତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ଉପରେ ଗୁରୁତ୍ୱ ଦେଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ କ୍ଲଷ୍ଟର ଗଠନ ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟ ପକ୍ଷରେ ଅବରୋଧ ଅଞ୍ଚଳରେ ଘରକୁ ଘର ବୁଲି ସକ୍ରିୟ ମାମଲା ଚିହ୍ନଟ କରିବା, ସମସ୍ତ ସନ୍ଦିଗ୍ଧ ମାମଲାର ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା, ସମସ୍ତ ସୁନିଶ୍ଚିତ ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ମଧ୍ୟ ମନ୍ତ୍ରାଳୟ ଜୋର ଦେଇଛି।



