www.samajalive.in
Thursday, December 11, 2025
18.1 C
Bhubaneswar

ରବିବାର ରାତି ୧୨ରୁ ଲକ ଡାଉନ ୩.୦ – କଟକଣାଯୁକ୍ତ କୋହଳ

ସମାଜ ପୋର୍ଟାଲ ଡେସ୍କ: ଲକଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଫଳରେ ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ସୀମିତ ହୋଇପାରିଥିବା ଦୃଷ୍ଟିରୁ ଆସନ୍ତାକାଲି ଅର୍ଥାତ ରବିବାର ରାତି ୧୨ଟାରୁ ଲକ ଡାଉନ ବ୍ୟବସ୍ଥାକୁ ଆଉ ଦୁଇ ସପ୍ତାହ ପାଇଁ ଲାଗୁ କରାଯିବ। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିପର୍ୟ୍ୟୟ ପରିଚାଳନା ଆଇନ, ୨୦୦୫ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହି ନୂତନ ଲକ ଡାଉନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି। ଦେଶର ସମସ୍ତ ଜିଲ୍ଲାକୁ ସଂକ୍ରମଣ ହାର ଭିତ୍ତିରେ ୩ ପ୍ରକାର ଜୋନରେ ବିଭକ୍ତ କରାଯାଇଛି ଏବଂ ସେହି ଅନୁଯାୟୀ ଲକ ଡାଉନ ବ୍ୟବସ୍ଥା ଲାଗୁ ହେବ ବୋଲି ମନ୍ତ୍ରାଳୟ କହିଛି।

ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଲକ ଡାଉନ ଅବଧି ସମୟରେ ଏହି ଜୋନ ବ୍ୟବସ୍ଥା ସମୀକ୍ଷା କରାଯାଇ ଆବଶ୍ୟକ ମତେ ନିର୍ଦ୍ଧିଷ୍ଟ ଜୋନରେ ସାମିଲ ଓ ନିର୍ଦ୍ଧିଷ୍ଟ ଜୋନରୁ ବାହାର କରାଯାଇ ପାରିବ। ଯେଉଁ ଜିଲ୍ଲାରେ ଆଦୌ ସଂକ୍ରମିତ ନାହାନ୍ତି କିମ୍ବା ଗତ ୨୧ ଦିନ ମଧ୍ୟରେ ଜଣେ ହେଲେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ ସେହି ଜିଲ୍ଲାକୁ ଗ୍ରୀନ ଜୋନ ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା, ସଂକ୍ରମଣ ମାମଲା ଦ୍ଵିଗୁଣିତ ହେବାର ହାର, ଜିଲ୍ଲାଗୁଡ଼ିକରୁ ମିଳୁଥିବା ପରୀକ୍ଷଣ ଏବଂ ନିରୀକ୍ଷଣ ରିପୋର୍ଟ ଆଧାରରେ ଜିଲ୍ଲାଗୁଡିକୁ ରେଡ ଜୋନ ଭାବେ ଘୋଷଣା କରାଯାଇଛି। ସେହିପରି ରେଡ କିମ୍ବା ଗ୍ରୀନ ଜୋନ ଭାବେ ଘୋଷିତ ହୋଇନଥିବା ଜିଲ୍ଲା ଅରେଞ୍ଜ ଜୋନ ଭାବେ ଘୋଷିତ ହୋଇଛି।

- Advertisement -

ରେଡ ଜୋନ ଅଞ୍ଚଳ ପରିସୀମାରେ କଠୋର କଟକଣା ଲାଗୁ କରାଯାଇଛି। ସେଠାରେ କେବଳ ଡାକ୍ତରୀ ସେବା, ଜରୁରି ସାମଗ୍ରୀ ଓ ସେବା ଯୋଗାଣ ଜାରି ରହିବ। ନୂଆ ଗାଇଡଲାଇନ ଅନୁଯାୟୀ, ବିଭିନ୍ନ ଜୋନରେ ଲାଗୁ କଟକଣା ବ୍ୟତୀତ ସାରା ଦେଶରେ ସୀମିତ ସଂଖ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ। ବିମାନ, ରେଳ, ମେଟ୍ରା ରେଳ ଚଳାଚଳ ଓ ଆନ୍ତଃରାଜ୍ୟ ସଡ଼କ ପରିବହନ ସେବା ବନ୍ଦ ରହିବ। ସେହିପରି ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷା ଓ ପ୍ରଶିକ୍ଷଣ/କୋଚିଂ ସଂସ୍ଥାନ, ଆତିଥେୟ ସେବା, ହୋଟେଲ ଓ ରେସ୍ତୋରାଁ, ଜନସମାବେଶ ହେଉଥିବା ସ୍ଥାନ ଯେପରିକି ସିନେମା ହଲ, ମଲ, ଜିମ୍ନାସିୟମ, କ୍ରୀଡ଼ା ପରିସର, ସାମାଜିକ, ରାଜନୈତିକ, ସାଂସ୍କୃତିକ ଏବଂ ଅନ୍ୟ ସମାବେଶ ଆୟୋଜନକୁ ପୂର୍ବଭଳି ନିଷିଦ୍ଧ କରାଯାଇଛି। ତେବେ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତିପ୍ରାପ୍ତ ଉଦ୍ଦେଶ୍ୟ ନିମନ୍ତେ ବିମାନ, ରେଳ ଓ ସଡ଼କ ଯୋଗେ କିଛି ଲୋକଙ୍କ ଯାତାୟାତକୁ ଅନୁମତି ମିଳିବ।

ଲୋକମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଆଖି ଆଗରେ ରଖି ନୂଆ ଗାଇଡଲାଇନରେ କେତେକ ପଦକ୍ଷେପ ପାଇଁ ସୁପାରିସ କରାଯାଇଛି। ତେଣୁ, ସମସ୍ତ ଅଣଅତ୍ୟାବଶ୍ୟକ କାର୍ଯ୍ୟକଳାପ ନିମନ୍ତେ ଲୋକମାନଙ୍କ ଯାତାୟତ ଉପରେ ସକାଳ ୭ଟା ଠାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ କଡ଼ାକଡ଼ି ଭାବେ କଟକଣା ଲାଗୁ ହେବ। ଆବଶ୍ୟକ କ୍ଷେତ୍ରରେ ସିଆରପିସିର ଧାରା ୧୪୪ ଅଧୀନରେ କର୍ଫ୍ୟୁ ଭଳି ନିଷିଦ୍ଧାଦେଶ ଜାରି କରି ସ୍ଥାନୀୟ ପ୍ରଶାସନ କଠୋର କଟକଣା ଲାଗୁ କରିପାରିବେ। ସମସ୍ତ ଅଞ୍ଚଳରେ ୬୫ ବର୍ଷ ବୟସରୁ ଅଧିକ ଲୋକ, ରୋଗାକ୍ରାନ୍ତ, ଗର୍ଭବତୀ, ୧୦ ବର୍ଷରୁ କମ ବୟସର ଶିଶୁ ଘରେ ରହିବା ପାଇଁ କୁହାଯାଇଛି। କେବଳ ଚିକିତ୍ସା ଏବଂ ଅନ୍ୟ ଜରୁରି ଆବଶ୍ୟକତା ପାଇଁ ସେମାନେ ବାହାରକୁ ବାହାରିପାରିବେ। ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସତର୍କତାମୂଳକ ପଦକ୍ଷେପ ସହିତ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଡାକ୍ତରଖାନାର ବହିର୍ବିଭାଗ ଓ ମେଡ଼ିକାଲ କ୍ଲିନିକ ଖୋଲା ରହିପାରିବ।

ରେଡ ଜୋନରେ ଚାରି ଚକିଆ ଯାନରେ ଡ୍ରାଇଭରଙ୍କୁ ଛାଡ଼ି କେବଳ ୨ ଜଣ ଯାତ୍ରା କରିପାରିବେ। ଦୁଇ ଚକିଆ ଯାନରେ କେବଳ ଚାଳକ ଯାଇପାରିବେ। ସହରାଞ୍ଚଳରେ ଥିବା ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ରପ୍ତାନି ଆଧାରିତ ୟୁନିଟ, ଶିଳ୍ପାଞ୍ଚଳ ଓ ଔଦ୍ୟୋଗିକ କ୍ଷେତ୍ରରେ କେତେକ କଟକଣା ସହିତ ନିର୍ଦ୍ଦିଷ୍ଟ କାର୍ୟ୍ୟକଳାପ ପାଇଁ ଅନୁମତି ମିଳିବ। ଔଷଧ, ଚିକିତ୍ସା ସରଞ୍ଜାମ, ଉପକରଣ ଏବଂ ସେଗୁଡ଼ିକର କଞ୍ଚାମାଲ ଭଳି ଜରୁରି ସାମଗ୍ରୀର ଉତ୍ପାଦନ, ନିରନ୍ତର ପ୍ରକ୍ରିୟା ଆବଶ୍ୟକ କରୁଥିବା ଉତ୍ପାଦନ ୟୁନିଟ ଏବଂ ସେଗୁଡ଼ିକର ଯୋଗାଣ ଶୃଙ୍ଖଳ, ଆଇଟି ହାର୍ଡୱେର ଉତ୍ପାଦନ, କମ କର୍ମଚାରୀ ଓ ସାମାଜିକ ଦୂରତା ଅବଲମ୍ବନ କରି ଝୋଟ ଉତ୍ପାଦନ ଏବଂ ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ କରାଯାଉଥିବା ଉତ୍ପାଦନ ୟୁନିଟଗୁଡ଼ିକ ଚାଲିବା ଲାଗି ଅନୁମତି ଦିଆଯାଇଛି। ସହରାଞ୍ଚଳରେ କେବଳ ସେହି ନିର୍ମାଣ କ୍ଷେତ୍ରକୁ ଅନୁମତି ମିଳିବ ଯେଉଁଠି ବାହାରୁ କୌଣସି ଶ୍ରମିକଙ୍କୁ ଆଣିବାକୁ ପଡ଼ୁନାହିଁ ଏବଂ ଶ୍ରମିକମାନେ ନିର୍ମାଣ କ୍ଷେତ୍ରରେ ହିଁ ଉପସ୍ଥିତ ରହିଛନ୍ତି। ଏହାଛଡ଼ା ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପର ନିର୍ମାଣକୁ ମଧ୍ୟ ଅନୁମତି ଦିଆଯାଇଛି ।

ସହରାଞ୍ଚଳର ମଲ, ବଜାର ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ତେବେ ପୃଥକ ଭାବେ ରହିଥିବା ଗୋଟିକିଆ ଦୋକାନ, ଆବାସିକ କ୍ଷେତ୍ରରେ ଥିବା ଦୋକାନ ଏବଂ କଲୋନୀ ଥିବା ଦୋକାନ ଖୋଲିବାକୁ ଅନୁମତି ମିଳିବ। ଏହି କ୍ଷେତ୍ରରେ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ସାମଗ୍ରୀର ବର୍ଗୀକରଣ ଜରୁରି ନୁହେଁ। ରେଡ ଜୋନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କାରବାର ପାଇଁ ଇ-କମର୍ସକୁ ଅନୁମତି ମିଳିବ। ଘରୋଇ ପ୍ରତିଷ୍ଠାନଗୁଡ଼ିକରେ କେବଳ ୩୩ ପ୍ରତିଶତ କର୍ମଚାରୀ କାମ କରିପାରିବେ ଏବଂ ଅବଶିଷ୍ଟ କର୍ମଚାରୀ ଘରେ ଥାଇ କାର୍ଯ୍ୟ କରିବେ। ସମସ୍ତ ସରକାରୀ କାର୍ଯ୍ୟାଳୟରେ କେବଳ ଉପ ସଚିବ କିମ୍ବା ତଦୁର୍ଦ୍ଧ୍ଵ ପାହ୍ୟାର ଅଧିକାରୀମାନେ କାର୍ଯ୍ୟାଳୟୟରେ ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହିବେ, ଅନ୍ୟ କର୍ମଚାରୀମାନେ ଆବଶ୍ୟକତା ଅନୁସାରେ ୩୩ ପ୍ରତିଶତ ଉପସ୍ଥିତି ସହିତ କାର୍ଯ୍ୟ କରିବେ। ତେବେ ପ୍ରତିରକ୍ଷା ଓ ସୁରକ୍ଷା ସେବା, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ପୋଲିସ, କାରାଗାର, ହୋମ ଗାର୍ଡ, ନାଗରିକ ସୁରକ୍ଷା, ଅଗ୍ନିଶମ ଓ ଜରୁରି ସେବା, ବିପର୍ୟ୍ୟୟ ପରିଚାଳନା ଏବଂ ତତସଂକ୍ରାନ୍ତିୟ ସେବା, ଏନଆଇସି, ସୀମା ଶୁଳ୍କ, ଭାରତୀୟ ଖାଦ୍ୟ ନିଗମ, ଏନସିସି, ନେହରୁ ଯୁବା କେନ୍ଦ୍ର, ପୌରପାଳିକା ସେବା ବିନା କୌଣସି କଟକଣାରେ କାର୍ଯ୍ୟ କରିବ।

ରେଡ ଜୋନରେ ଏମଏନଆରଇଜିଏସ କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏବଂ ଇଟାଭାଟି ସମେତ ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପ ଓ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଏହାଛଡ଼ା ଅତ୍ୟାବଶ୍ୟକ କିମ୍ବା ଅଣଅତ୍ୟାବଶ୍ୟକ ସାମଗ୍ରୀ ନିର୍ବିଶେଷରେ ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲା ରହିବ। କେବଳ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଖୋଲିବ ନାହିଁ। ବିହନ ବୁଣିବା, ଚାଷ ଏବଂ ବିପଣନ ସମେତ କୃଷି ଯୋଗାଣ ଶୃଙ୍ଖଳର ସମସ୍ତ କୃଷି କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ଅନ୍ତରୀଣ ଏବଂ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସମେତ ପଶୁପାଳନ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ଅନୁମତି ଦିଆଯାଇଛି।

ଅରେଞ୍ଜ ଜୋନରେ, ରେଡ ଜୋନରେ ଅନୁମତିପ୍ରାପ୍ତ କାର୍ୟ୍ୟକଳାପ ବ୍ୟତୀତ ଟାକ୍ସି ଓ କ୍ୟାବ ଚଳାଚଳକୁ ଅନୁମତି ମିଳିବ। ଏଥିରେ କେବଳ ଜଣେ ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀ ଯାତାୟାତ କରିପାରିବେ। କେବଳ ଅନୁମତି ପ୍ରାପ୍ତ କାର୍ୟ୍ୟକଳାପ ନିମନ୍ତେ ବ୍ୟକ୍ତି ଓ ବାହନର ଆନ୍ତଃଜିଲ୍ଲା ପରିବହନକୁ ଅନୁମତି ମିଳିବ। ଚାରି ଚକିଆରେ ଡ୍ରାଇଭରଙ୍କୁ ବାଦ ଦେଲେ ଦୁଇ ଜଣ ଓ ଦୁଇ ଚକିଆରେ କେବଳ ଚାଳକ ଯାଇପାରିବେ।

ଗ୍ରୀନ ଜୋନରେ ସମସ୍ତ କାର୍ୟ୍ୟକଳାପ ଲାଗି ଅନୁମତି ମିଳିବ କେବଳ ଜୋନ ନିର୍ବିଶେଷରେ ସାରା ଦେଶରେ ନିଷିଦ୍ଧ କରାଯାଇଥିବା କାର୍ୟ୍ୟକଳାପକୁ ଅନୁମତି ମିଳିବ ନାହିଁ। ତେବେ ବସଗୁଡ଼ିକ ୫୦ ପ୍ରତିଶତ ଯାତ୍ରୀ କ୍ଷମତା ସହିତ ଓ ବସ ଡିପୋଗୁଡ଼ିକ ୫୦ ପ୍ରତିଶତ ବସକୁ ନେଇ କାର୍ଯ୍ୟକ୍ଷମ ହୋଇପାରିବ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories