କରୋନା ଓ ଅସ୍ଥାୟୀ ନିଯୁକ୍ତି ଶ୍ରମବଜାର

ଭାରତୀୟ ଅର୍ଥ ବ୍ୟବସ୍ଥାରେ ‘ଅସ୍ଥାୟୀ ନିଯୁକ୍ତି ଶ୍ରମବଜାର’ ବା ‘ଗିଗ୍‌’ର ଅବଦାନ ନୂତନ ଭାବେ ବିକଶିତ ହେଉଥିବାବେଳେ କରୋନାର ଭୟଙ୍କର ପ୍ରଭାବରେ ତାହା ଏକପ୍ରକାର ଠପ୍‌ ହୋଇଯାଇଛି। ଗ୍ରାହକ ଚାହିଦା ହ୍ରାସ, ଯୋଗାଣ ବ୍ୟବସ୍ଥା ଛିନ୍ନ ଓ ମାନବ ସମ୍ବଳ ଅଭାବ ଗିଗ୍‌ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି।
ଅନୁବନ୍ଧନ ଆଧାରିତ ଅସ୍ଥାୟୀ ଚାକିରି ବା ସେବା ପ୍ରଦାନ ‘ଗିଗ୍‌’ ଅର୍ଥ ବ୍ୟବସ୍ଥାର ପରିସରଭୁକ୍ତ, ଯେଉଁଥିରେ ଅନ୍‌ଲାଇନ ବା ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ମାଧ୍ୟମ ହୋଇଥାଏ। ସାଧାରଣ ଭାବେ ବୁଝିବାକୁ ଗଲେ ଆମ ଦେଶର ନଗରାଞ୍ଚଳରେ ଉପଭୋକ୍ତାମାନେ ମୋବାଇଲ ଫୋନର ଏକ ଆପ୍‌ ଜରିଆରେ ଅନ୍‌ଲାଇନରେ ସଉଦାପତ୍ର, ଅତ୍ୟାବଶ୍ୟକ ସାମଗ୍ରୀ, ଗମନାଗମନ ପାଇଁ ଗାଡ଼ି ସେବା, ଅଗ୍ରିମ ହୋଟେଲ ରୁମ୍‌ ସଂରକ୍ଷଣ, ଖାଦ୍ୟ ଘରଦୁଆର ପାଖରେ ପହଞ୍ଚିବା ପାଇଁ ନିଜନିଜର ଚାହିଦା ଅନୁସାରେ ଆଦେଶ କରନ୍ତି। ଏହି ଆଦେଶ ଉପଭୋକ୍ତାଙ୍କ ପାଖରୁ ପାଇବା ପରେ ନିର୍ଦ୍ଧାରିତ ସମୟସୀମାରେ ସେମାନଙ୍କଠାରେ ସାମଗ୍ରୀ ଓ ସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସଂସ୍ଥାର ଶ୍ରମଜୀବୀ, ସେମାନଙ୍କର ସେବା ଓ ସମ୍ପୃକ୍ତ ଅର୍ଥ କାରବାରକୁ ‘ଗିଗ୍‌’ ଅର୍ଥ ବ୍ୟବସ୍ଥାରେ ସାମିଲ କରାଯାଇଛି। ଏପରିକି ଦୈନିକ ମୂଲ ଲାଗୁଥିବା ଶ୍ରମିକ ମଧ୍ୟ ଏ କ୍ଷେତ୍ରରୁ ବାଦ୍‌ ପଡ଼ିନାହାନ୍ତି। ଅର୍ଥାତ୍‌ ‘ଅସ୍ଥାୟୀ ନିଯୁକ୍ତି ଶ୍ରମବଜାର’ ବା ‘ଗିଗ୍‌’ ଅର୍ଥ ବ୍ୟବସ୍ଥା ଭାରତର ଏକ ବିଶାଳ ଆର୍ଥିକ କାରବାରକୁ ଧାରଣ କରିଛି।
ଆମେରିକାରେ ୩୧ ପ୍ରତିଶତ ଶ୍ରମିକ ଗିଗ୍‌ରେ କାର୍ଯ୍ୟ କରୁଥିବାବେଳେ ଭାରତରେ ଏହି ପରିମାଣ ୭୫ପ୍ରତିଶତ। ଦୁଇ ଦେଶ ମଧ୍ୟରେ ଏତେ ବଡ଼ ତଫାତ୍‌ର କାରଣ ହେଲା ଆମେରିକାରେ ଭଡ଼ା ଶ୍ରମିକ ଯୋଗ୍ୟତା ଓ ସକ୍ଷମତା ଆଧାରରେ କାର୍ଯ୍ୟ କରୁଥିବାବେଳେ ଭାରତରେ ନିରୁପାୟ ଶ୍ରମଶକ୍ତି ରୋଜଗାର ନପାଇ ଏପରି ଅସ୍ଥାୟୀ ଅର୍ଥ ବ୍ୟବସ୍ଥାରେ ଏତେ ସଂଖ୍ୟାରେ କାର୍ଯ୍ୟ କରୁଛନ୍ତି।
ଗତ କିଛିଦିନ ହେଲା କୋଭିଡ-୧୯ ମହାମାରୀକୁ ଅଟକାଇବା ପାଇଁ ଭାରତ ସରକାର ୨୧ଦିନର ଲକ୍‌ଡାଉନ୍‌ ବା ନାକାବନ୍ଦୀ ଘୋଷଣା କରିଛନ୍ତି। ଏଥିରେ ଯାନବାହନ, ପରିବହନ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ, ହୋଟେଲ ବ୍ୟବସ୍ଥା ଆଦି ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାର ପ୍ରଭାବ ପଡ଼ିଛି ଗିଗ୍‌ ଉପରେ। ଓଲା, ଉବେର ଆଦି କ୍ୟାବ୍‌ ଡ୍ରାଇଭର, ସ୍ବିଗୀ, ଖାଦ୍ୟ ଅର୍ଡର ସଂସ୍ଥାରେ କାର୍ଯ୍ୟ କରୁଥିବା ଯୁବଗୋଷ୍ଠୀ, ଫ୍ଲିପ୍‌କାର୍ଟ, ଆମାଜନ ଆଦି ସଂସ୍ଥାର ସାମଗ୍ରୀ ଘରଘର ବୁଲି ପହଞ୍ଚାଉଥିବା ଲକ୍ଷଲକ୍ଷ ଡେଲିଭରି ବୟ, ସେଲୁନ୍‌ ବା ସ୍ପାରେ ଥିବା ତାଲିମପ୍ରାପ୍ତ କର୍ମଚାରୀ, ମରାମତି କରୁଥିବା ମେକାନିକ୍‌,ଏବେ କାମଧନ୍ଦା ନପାଇ ସମ୍ପୂର୍ଣ୍ଣ ବେକାର ହୋଇଯାଇଛନ୍ତି। ଚିନ୍ତା କରିବାର କଥା ହେଲା, ଅସ୍ଥାୟୀ ନିଯୁକ୍ତି ଶ୍ରମବଜାରରେ ୨୦୨୩ ମସିହା ସୁଦ୍ଧା ୪୫,୫୦୦କୋଟି କାରବାର ହେବାର ଆକଳନ ଏବେ ସ୍ବପ୍ନ ପାଲଟିଛି।
ଅବଶ୍ୟ ଏହା ଏବେ ଆଶ୍ବାସନାର କଥା ଯେ ଭାରତର ସର୍ବବୃହତ୍‌ ଗତିଶୀଳ ମଞ୍ଚ ବା ପ୍ଲାଟ୍‌ଫର୍ମ ଭାବେ ପରିଗଣିତ ଓଲା ଗାଡ଼ିସେବା ସଂସ୍ଥା ନିଜ ଡ୍ରାଇଭରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ନିଜ ସଂସ୍ଥାରେ ଶ୍ରମଦାନ କରୁଥିବା ଡ୍ରାଇଭର ଓ ସେମାନଙ୍କର ଜୀବନସାଥୀ (ସ୍ତ୍ରୀ/ସ୍ବାମୀ) କରୋନା ଆକ୍ରାନ୍ତ ହେଲେ ସେମାନଙ୍କ ସମସ୍ତ ଖର୍ଚ୍ଚ ଓଲା ସଂସ୍ଥା ବହନ କରିବ। ଉବେର୍‌ ମଧ୍ୟ କରୋନା ଆକ୍ରାନ୍ତ ନିଜ ଡ୍ରାଇଭରମାନଙ୍କ ପାଇଁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ପ୍ରଶ୍ନ ଉଠୁଛି ଏପରି ସାହାଯ୍ୟ କ’ଣ ବେକାର ହୋଇଯାଇଥିବା ସମସ୍ତ ଡ୍ରାଇଭରମାନଙ୍କର ନିତିଦିନିଆ ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହୋଇପାରିବ? ପୁଣି ଅନ୍ୟାନ୍ୟ ଅନେକ ସଂସ୍ଥା ନିଜନିଜର ଅସ୍ଥାୟୀ ଶ୍ରମଜୀବୀଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ନୀରବତା ପ୍ରଦର୍ଶନ କରୁଛନ୍ତି।
ଲକ୍‌ଡାଉନ୍‌ ଘୋଷଣା ପରେ ଅସ୍ଥାୟୀ ଶ୍ରମ ବଜାରରେ ହେଉଥିବା ପ୍ରତିଦିନର କୋଟିକୋଟି ଟଙ୍କାର କାରବାର ଏବେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଭାରତରେ ଆର୍ଥିକ ଚାପ ଯଥେଷ୍ଟ ବୃଦ୍ଧି ପାଇବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଲକ୍‌ଡାଉନ୍‌ର ସମୟସୀମା ନେଇ ଅନିଶ୍ଚିତତା ଦେଖାଦେଇଛି। ଏଥିରୁ ଶିକ୍ଷାଲାଭ କରିବାର ସମୟ ଆସିଯାଇଛି। ଏ ପରିପ୍ରେକ୍ଷୀରେ ଅର୍ଥନୀତିଜ୍ଞ ଗ୍ରାବ୍ରିୟେଲ୍‌ ଜକମାନ୍‌ ଓ ଏମାନୁଏଲ୍‌ ସେଜ୍‌ଙ୍କ ‘‘ଦେୟ ପ୍ରଦାନ ପାଇଁ ଆଶା କରାଯାଉଥିବା ଶେଷତମ ବ୍ୟକ୍ତି’’ ବା ‘‘ପେୟର ଅଫ୍‌ ଲାଷ୍ଟ ରିସର୍ଟ’’ ତଥ୍ୟଟିକୁ ନଗଦ ପ୍ରବାହ ଦ୍ବାରା କାର୍ଯ୍ୟକାରୀ କରାଯାଇ ପାରିବ। ବୀମା ବଳରେ ‘ଗିଗ୍‌’ ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟରତ ଯେକୌଣସି ଶ୍ରମଜୀବୀ ଯଦି କୌଣସି ବି କାରଣରୁ ସାମୟିକ ଭାବେ ବେକାର ହେବାର ପ୍ରାମାଣିକ ସୂଚନା ପ୍ରଦାନ କରନ୍ତି ତେବେ ଏଥିପାଇଁ ସେ ଆର୍ଥିକ ସହାୟତାର ହକ୍‌ଦାର ହୋଇପାରିବ। ଏ ପ୍ରକାର ବୀମାରାଶି ପ୍ରଦାନ ଦ୍ବାରା ସମ୍ବଳର ଆଦୌ ଅପଚୟ ହେବନାହିଁ; ବରଂ ଅସମୟରେ ବିନା ସୁଧରେ ଋଣ ପାଇବାର ସୁବିଧାଟି ଶ୍ରମଜୀବୀଙ୍କୁ ଘରେ ରହି ଯେକୌଣସି କାର୍ଯ୍ୟ କରିବା​‌େ​‌ର ସକ୍ଷମ କରାଇବାସହ ସାହସ ପ୍ରଦାନ କରିପାରିବ।
ଶେଷରେ ଏତିକି କୁହାଯାଇପାରେ, ଅସ୍ଥାୟୀ ନିଯୁକ୍ତି ଶ୍ରମବଜାରର କଷଟି ପଥରରେ ଘଷି ହୋଇହୋଇ କାର୍ଯ୍ୟ କରୁଥିବା ଏଇ ନିରୁପାୟ ଲକ୍ଷଲକ୍ଷ ଶ୍ରମିକମାନଙ୍କୁ ଶ୍ରମର ଗ୍ୟାରେଣ୍ଟି, ବେମାରି ବେଳରେ ଦରମା, ସାମୟିକ ବେକାରୀ ବୀମା, ଜୀବନ ବୀମା ତଥା ସ୍ବାସ୍ଥ୍ୟବୀମା ପରି ନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ଯଦି ଉଭୟ ସରକାର ଓ କାର୍ଯ୍ୟରତ ସଂସ୍ଥା ମାଧ୍ୟମରେ କରାଇ ହୁଅନ୍ତା, ତେବେ ମହାମାରୀ ପରି ସଂକଟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ଯୋଗଦାନ ଭଳି କାର୍ଯ୍ୟ କରନ୍ତା ଓ ଭବିଷ୍ୟତ ପାଇଁ ମଧ୍ୟ ଏକ ଶିକ୍ଷା ହୋଇ ରହିଯାଆନ୍ତା।

prayash


ଅସୀମା ସାହୁ, ଅଧ୍ୟକ୍ଷା, ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟ, ରାଗ୍‌ଧା, ମୟୂରଭଞ୍ଜ

Comments are closed.