ଭୁବନେଶ୍ଵର: କମିଶନରେଟ ପୁଲିସର ଜଣେ ଲାଞ୍ଚୁଆ କନଷ୍ଟେବଳଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଏହି କନଷ୍ଟେବଳ ଜଣକ ପୁଲିସ ବିଭାଗର କର୍ମଚାରୀଙ୍କୁ ବି ଛାଡ଼ି ନାହାନ୍ତି। ପୁଲିସଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ସେ ହେଉଛନ୍ତି ସୁରେଶ ଚନ୍ଦ୍ର ଦାସ। ସେ କମିଶନରେଟ ପୁଲିସର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟ କରୁଥିଲେ। ରତ୍ନାକର ପେଡେଣ୍ଟି ନାମକ ଜଣେ ପୁଲିସ କର୍ମଚାରୀଙ୍କଠାରୁ ସୁରେଶ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଅଭିଯୋଗକାରୀ ରତ୍ନାକରଙ୍କ ଘର ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଇମାଲିଗୁଡ଼ା ଗ୍ରାମରେ । ସେ ଏବେ ବାଲିପାଟଣା ଥାନାରେ ଓଏପିଏଫ ଭାବେ କାର୍ଯ୍ୟରତ ଅଛନ୍ତି। ଘରଭଡ଼ା ବାବଦରେ ଏରିଅର ବିଲ୍ କରାଇଦେବାକୁ କମିଶନରେଟ ପୁଲିସର ଆକାଉଣ୍ଟ ସେକ୍ସନରେ କାର୍ଯ୍ୟରତ ସୁରେଶ ଦାସ ତାଙ୍କୁ ୮ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନା ମୁତାବକ ସୁରେଶଙ୍କୁ ଗିରଫ କରିଥିଲେ। କମିଶନରେଟ ପୁଲିସ କାର୍ଯ୍ୟାଳୟ ପଛପଟେ ସୁରେଶ ଅଭିଯୋଗକାରୀଙ୍କଠାରୁ ଟଙ୍କା ନେବା ସମୟରେ ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲେ। ଲାଞ୍ଚ ବାବଦ ଅର୍ଥ ତାଙ୍କଠାରୁ ଜବତ କରାଯାଇଛି। ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ ଥାନାରେ ଏକ ମାମଲା(୧୮/୨୦) ରୁଜୁ ହୋଇଛି।



