www.samajalive.in
Sunday, December 14, 2025
19.1 C
Bhubaneswar

ଚାରିଦ୍ବାର ତୁରନ୍ତ ଖୋଲାଯାଉ : କଂଗ୍ରେସ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ତୁରନ୍ତ ଖୋଲାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ରତ୍ନଭଣ୍ଡାର ଖୋଲାଯାଇ ଯଥାଶୀଘ୍ର ମରାମତି କରାଯିବା ସହ ଶ୍ରୀଜୀଉଙ୍କ ମୂଲ୍ୟବାନ ଅଳଙ୍କାରଗୁଡ଼ିକର ଗଣତି କରାଯିବାକୁ ସେ ଦାବି କରିଛନ୍ତି। ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା କଂଗ୍ରେସର ତୁଳସୀ ଯାତ୍ରା ଶୁକ୍ରବାର ପୁରୀରେ ଉଦ୍‌ଯାପିତ ହୋଇଛି। ବରିଷ୍ଠ କଂଗ୍ରେସ ନେତାମାନେ ଶ୍ରୀମନ୍ଦିରକୁ ଯାଇ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହିତ ତୁଳସୀ ମାଳ ପ୍ରଭୁଙ୍କ ଉଦେଶ୍ୟରେ ଅର୍ପଣ କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ଯାତ୍ରାର ନେତୃତ୍ୱ ନେଇଥିଲେ। ତୁଳସୀ ଯାତ୍ରା ଶରଧାବାଲିରେ ପହଞ୍ଚିବା ପରେ ଜିଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା। ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଚେଲା କୁମାର କହିଲେ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦାବି ପ୍ରତି ବିଜେଡି ସରକାର ଅବହେଳା କରି ଆସୁଛନ୍ତି। ପୁରୀ-କୋଣାର୍କ ବେଳାଭୂମି ମାର୍ଗ ନିକଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣକୁ ସର୍ବୋଚ୍ଚ ନ୍ୟାୟାଳୟ ବେଆଇନ ଦର୍ଶାଇଛନ୍ତି।
ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ ଏକର ଜମି ରାଜ୍ୟ ସରକାର ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ଜମି ତୁରନ୍ତ ଫେରସ୍ତ କରାଯିବାକୁ ସେ ଦାବି କରିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ କହିଲେ ପୁରୀ ସହରର ପ୍ରାୟ ୮୦ହଜାର ପରିବାରର ଜମି ମାଲିକାନା ବିବାଦ ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ବିଜୟଲକ୍ଷ୍ମୀ ସାହୁ ଓ ଗଣେଶ୍ୱର ବେହେରା, ବିଧାୟକ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା, ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପିସିସି ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶରଧାବାଲିରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ଉପସଭାପତି ନିରଞ୍ଜନ ରଥ, ସୁଜିତ ମହାପାତ୍ର, ମୁଖପାତ୍ର ସ୍ୱାଧୀନ କୁମାର ପଣ୍ଡା, ନଗର ସଭାପତି ଅମରେନ୍ଦ୍ର ପାଇକରାୟ ଓ ଛବିନ୍ଦ୍ର ପଢ଼ିଆରୀ, ବିନାୟକ ଦାସ ମହାପାତ୍ର, ବିଶ୍ୱନାଥ ଦାଶ, କାଳୀ ପ୍ରସାଦ ନାୟକ, ସୁକାନ୍ତ ପ୍ରଧାନ, ବିଦୁଲତା ଆଚାର୍ଯ୍ୟ, ରାମଚନ୍ଦ୍ର ସାହୁ, ସରପଞ୍ଚ ନିରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୫ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories