ଭୁବନେଶ୍ୱର : ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅଚେତ କରି ନିଆଁ ଲଗାଇ ଦେବା ଘଟଣାକୁ ନିନ୍ଦା କରୁଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଭକ୍ତ କହିଛନ୍ତି ଯେ, ବାଲେଶ୍ବର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଅଭାବନୀୟ ଘଟଣା ପରେ ମଧ୍ୟ ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିପାରିଲେ ନାହିଁ ସରକାର। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବାରେ କ୍ରମାଗତ ଭାବେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ମୁହୂର୍ତ୍ତେ ମଧ୍ୟ କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଜଣେ ମହିଳା ହୋଇଥିବାରୁ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ମାମଲାରେ ବାଲେଶ୍ବର ଯାଇଥିଲେ ଏକ ଭଲ ବାର୍ତ୍ତା ଯାଇଥା’ନ୍ତା, ତା’ମଧ୍ୟ କଲେନାହିଁ। ଏବେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପୁଣି ଏକ ଜଘନ୍ୟ ଅଭାବନୀୟ ଘଟଣା ଘଟିଲା। ଏପରି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ଏବଂ ଏହା ଉପରେ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲା। ସେତେବେଳେ ସରକାର ଗୁରୁତ୍ବହୀନ ବୋଲି କହିଥିଲେ। ନାରୀ ସୁରକ୍ଷା ନିମନ୍ତେ ଯେଉଁସବୁ ପଦେକ୍ଷପ ଗ୍ରହଣ କରିବା କଥା, ସରକାର କରିପାରୁ ନାହାନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଦୁର୍ବୃତ୍ତମାନେ କାହିଁକି ଝିଅକୁ ପୋଡ଼ିଛନ୍ତି ତାହା ତ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। କିନ୍ତୁ ଝିଅକୁ ବଳାତ୍କାର କରାଯାଇଛି କି ନାହିଁ ତାହା ମଧ୍ୟ ଡାକ୍ତର ପରୀକ୍ଷା କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ମହିଳା ଅସୁରକ୍ଷିତ। ବିଗତ ଦିନରେ ଅନେକ ଘଟଣା ଘଟିଥିଲେ ବି ସରକାର କିଛି ଶିଖିଲେ ନାହିଁ। ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରିବ ବୋଲି ପିସିସି ସଭାପତି କହିଛନ୍ତି।
Popular Categories



