କଂଗ୍ରେସର ନୂଆ ରଣନୀତି : ସାମାଜିକ ଗଣମାଧ୍ୟମ ଲୋକପ୍ରିୟତା ଆଧାରରେ ଟିକଟ୍
ନୂଆଦିଲ୍ଲୀ : ସମ୍ପ୍ରତି ସରକାର ଗଠନ ଦୃଷ୍ଟିରୁ ମାତ୍ର ୪ଟି ରାଜ୍ୟରେ ସୀମିତ ରହିଥିବା ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଏବେ ଦେଶରେ ‘ମୋଦୀ ମନ୍ତ୍ର’କୁ ଦୁର୍ବଳ କରି ନିଜର ଲୋକପ୍ରିୟତା ଏବଂ ସମର୍ଥନ ପୁନଃ ସୁଦୃଢ କରିବା ନିମନ୍ତେ ନୂତନ ରଣନୀତି ପ୍ରସ୍ତୁତ କରିଛି। ସାମାଜିକ ଗଣମାଧ୍ୟମକୁ ମାଧ୍ୟମ କରି ଦଳ ଦେଶର ଆବାଳ-ବୃଦ୍ଧ-ବନିତାଙ୍କ ନିକଟରେ ପହଞ୍ଚିବ ଏବଂ ପୁନଃ ସେମାନଙ୍କ ମଧ୍ୟରେ ନିଜ ପାଇଁ ଆସ୍ଥା ସଞ୍ଚାର କରିବାର ଲକ୍ଷ୍ୟ ରଖିଛି। ଏଣୁ ଦଳୀୟ ନେତାଙ୍କୁ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜର ଲୋକସମ୍ପର୍କ ବୃଦ୍ଧି କରିବାକୁ କୁହାଯାଇଛି। ସାମାଜିକ ଗଣମାଧ୍ୟମଗୁଡିକରେ ସର୍ବାଧିକ ଲୋକପ୍ରିୟତା ଲାଭ କରିଥିବା ଦଳୀୟ ନେତାଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ଟିକଟ୍ ପ୍ରଦାନ କରିବାକୁ ଦଳ ସ୍ଥିର କରିଛି। ଚଳିତବର୍ଷ ଶେଷ ଆଡ଼କୁ ୪ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳ ଏହି ରଣନୀତିର ଉପଯୋଗ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ଏହି ରଣନୀତି ପ୍ରୟୋଗ କରାଯାଇଛି। ଏଥିକ୍ରମେ ରାଜ୍ୟର ପ୍ରତ୍ୟେକ କଂଗ୍ରେସ ନେତା ବାଧ୍ୟତାମୂଳକ ଭାବେ ଫେସ୍ବୁକ ଓ ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ନିଜ ନିଜର ଆକାଉଣ୍ଟ ଖୋଲିବେ। ଏଥିସହ ଫେସ୍ବୁକ୍ରେ ଅତିକମ୍ରେ ୧୫,୦୦୦ ‘ଲାଇକ୍’ ଏବଂ ଟ୍ୱିଟରରେ ୫୦୦୦ ଅନୁସରଣକାରୀ ସୃଷ୍ଟି କରିବେ। ଏଥିସହ ହ୍ୱାଟସଆପ୍ର ବିଭିନ୍ନ ଗ୍ରୁପ୍ ସହିତ ସଂଶ୍ଲିଷ୍ଟ ରହିବାକୁ ନିଜର ପ୍ରତ୍ୟେକ ନେତାଙ୍କୁ କଂଗ୍ରେସ ନିର୍ଦେଶ ଦେଇଛି। ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଥିବା ସମସ୍ତ ବାର୍ତ୍ତାକୁ ନିଜ ଆକାଉଣ୍ଟରେ ସଂଲଗ୍ନ କରି ତାହାକୁ ନିଜ ସେୟାର କରିବା ତଥା ଟ୍ୱିଟରରେ ପ୍ରକାଶିତ ଖବରକୁ ପୁନଃ ଟ୍ୱିଟ କରିବାକୁ କଡ଼ା ନିର୍ଦେଶ ରହିଛି। ଏପରିକି ବିଧାନସଭା ଟିକଟ୍ ପାଇବାକୁ ଇଚ୍ଛୁକ ନେତାମାନଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ସାମାଜିକ ଗଣମାଧ୍ୟମରେ ନିଜ ଲୋକପ୍ରିୟତା ଏବଂ ସକ୍ରିୟତା ସମ୍ବନ୍ଧୀୟ ସବିଶେଷ ତଥ୍ୟାବଳୀ ଦଳ ନିକଟରେ ଦାଖଲ କରିବାକୁ ହେବ।
ଉଲ୍ଲେଖ ଯେ, ୨୦୧୪ ଲୋକସଭା ନିର୍ବାଚନ ସମୟରେ ବିଜେପି ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କରି ନିଜ ସମର୍ଥକ ବୃଦ୍ଧି କରିବାରେ ସଫଳ ହୋଇଥିଲା; କିନ୍ତୁ ଏହି ସମାଜିକ ଗଣମାଧ୍ୟମ ଅଗାମୀ ଦିନରେ ଏହା ପାଇଁ ବୁମେରାଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଅବଶ୍ୟ କଂଗ୍ରେସ ଭଳି ବିଜେପି ମଧ୍ୟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ନିମନ୍ତେ ସାମାଜିକ ଗଣମାଧ୍ୟମକୁ ଅସ୍ତ୍ର କରିଛି। ଭୋଟରଙ୍କ ସମର୍ଥନ ହାସଲ ନେଇ ସାଇବରସ୍ପେସ୍ରେ ବିଜେପିର ‘ସାଇବର ୱାରିଅର୍ସ’ ଏବଂ କଂଗ୍ରେସର ‘ରାଜୀବ କେ ସିପାହୀ’ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଅଦ୍ୟାବଧି ୬୫,୦୦୦ ଜଣ ‘ସାଇବର ୱାରିଅର’ଙ୍କୁ ନିଯୁକ୍ତ କରାଯାଇଥିବା ବିଜେପିର ରାଜ୍ୟ ସୂଚନା ପ୍ରଯୁକ୍ତି (ଆଇଟି) ସେଲର ପ୍ରଭାରୀ ଶିବରାଜ ସିଂହ ଦାବି ପ୍ରକାଶ କରିଛନ୍ତି। ଏହାର ମୁକାବିଲା ନିମନ୍ତେ ‘ରାଜୀବ କେ ସିପାହୀ’ ଗ୍ରୁପରେ ୪୦୦୦ ସଦସ୍ୟ ଥିବା ଜଣାପଡିଛି। ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମଗୁଡିକ ମଧ୍ୟରୁ ବିଶେଷ କରି ହ୍ୱାଟସଆପ୍କୁ ଉଭୟ କଂଗ୍ରେସ ଏବଂ ବିଜେପି ମୁଖ୍ୟ ଅସ୍ତ୍ର କରିବାକୁ ଯୋଜନା ରଖିଛନ୍ତି। ସାମାଜିକ ଗଣମାଧ୍ୟମର ଉପଯୋଗ ପୂର୍ବକ ରାଜନୈତିକ ଗୁଜବ ଏବଂ ଆଲୋଚନାକୁ ନେଇ ସୃଷ୍ଟି ହେଉଥିବା ଭ୍ରାନ୍ତଧାରଣ ଦୂର କରିବାକୁ ଦୁଇ ଦଳ ସ୍ଥିର କରିଛନ୍ତି।