ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ଏବଂ ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରବିବାର ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାରଙ୍କ ଆଗାମୀ ଯୋଜନା ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସଂକଟଜନକ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ଲକ୍ଡାଉନ୍ ଉଠିବା ପରେ ଯେଉଁମାନେ ନିଜ ଘରକୁ ଫେରିବେ ସେମାନେ ପ୍ରଥମେ ନିଜ ନାମ ପଞ୍ଜୀକରଣ କରିବେ ଏବଂ ୧୪ ଦିନ ସଙ୍ଗରୋଧ (କ୍ୱାରେଣ୍ଟାଇନ୍)ରେ ରହିବେ। ଏହି ସଙ୍ଗରୋଧ ଅବଧି ସରିବା ପରେ ସେମାନଙ୍କୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ଏହି ଘରବାହୁଡ଼ା ଓଡ଼ିଆମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପଞ୍ଚାୟତରେ କ୍ବାରେଣ୍ଟାଇନ୍ରେ ରଖି ଖାଦ୍ୟପେୟ ଓ ଚିକିତ୍ସା ବ୍ୟବସ୍ଥା କରାଇବା ଏବଂ ପ୍ରୋତ୍ସାହନ ରାଶି ଯୋଗାଇବା ଆଦି କାର୍ୟ୍ୟ କରିବା ପାଇଁ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦିଆଯାଇଛି। ଏଥିପାଇଁ ମଧ୍ୟ ପ୍ରଚଳିତ ଆଇନ ଅନୁସାରେ ଆବଶ୍ୟ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହ କଥା ହୋଇଥିଲି। ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ସଂକ୍ରମଣ ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି। ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ୩ ଗୁଣ ହୋଇ ୧୫ ହଜାର ଏବଂ ମୃତ୍ୟୁସଂଖ୍ୟା ୨ ଶହରୁ ୫ ଶହରେ ପହଂଚିଲାଣି। ଗତ ୯ ତାରିଖରେ ଓଡିଶାରେ କରୋନା ସଂକ୍ରମଣ ୪୨ ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା। ଆଜି ସୁଦ୍ଧା ସଂକ୍ରମଣ ୬୧ରେ ପହଂଚିଛି। ନମୁନା ପରୀକ୍ଷା ୩ ଗୁଣ କରାଯାଇଛି ଏବଂ ଅନେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପ୍ରତି ଲୋକ, ପ୍ରତି ପରିବାର ଓ ମା’ମାନଙ୍କ ତ୍ୟାଗ ଏବଂ ଆମ ସମସ୍ତଙ୍କର ନିଷ୍ଠାପର କାର୍ୟ୍ୟ ପାଇଁ ସମ୍ଭବ ହୋଇପାରିଛି। କିନ୍ତୁ ଏହା ଏକ ଲମ୍ବା ଲଢ଼େଇ। ସେଥିପାଇଁ ଆମକୁ ଆଗକୁ ସାବଧାନ ହେବାକୁ ପଡ଼ିବ।’
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତିରେ ଅସାଧାରଣ ସମାଧାନ ଆବଶ୍ୟକ କରେ। ଏହାଦ୍ବାରା କୋଭିଡ୍- ୧୯ ବିରୋଧରେ ଆମ ଲଢ଼େଇକୁ ଆହୁରି ମଜଭୁତ କରିପାରିବା। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସମ୍ମାନଜନକ ଭାବରେ ପ୍ରିତିଟି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। କୋଭିଡ୍-୧୯ ଲଢ଼େଇରେ ପଞ୍ଚାୟତ ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରିପାରିବ। ଓଡିଶାରେ କରୋନାକୁ ନିୟନ୍ତ୍ରଣ କରିବାରେ ବାଧ୍ୟତାମୂଳକ ପଞ୍ଜୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି। ଆମେ ସେମାନଙ୍କର ଯତ୍ନ ନେଉଛୁ। ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶାର ଲକ୍ଷ ଲକ୍ଷ ଭାଇଭଉଣୀ ରହିଯାଇଛନ୍ତି। ତୀର୍ଥ ପାଇଁ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ରୋଗୀ ସମସ୍ତେ ରହିଯାଇଛନ୍ତି। ସେମାନଙ୍କର ଅବସ୍ଥା ମଧ୍ୟ ବହୁତ ଦୁଃଖ ଦେଇଛି। ଆମ ରାଜ୍ୟର ତଥା ସେହି ରାଜ୍ୟର ଉଦ୍ୟମ ସତ୍ୱେ ସେମାନଙ୍କର ଜୀବନ ସ୍ୱାଭାବିକ ହୋଇପାରିନାହିଁ। ଯେତେବେଳେ କଟକଣା ଉଠିଯିବ ସେତେବେଳେ ଆମେ କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟମାନଙ୍କ ସହିତ ଆଲୋଚନା କରି ସେମାନେ ଯେପରି ସୁବିଧାରେ ଫେରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ଆମେ ଜ୍ଞାନକୌଶଳର ସହାୟତା ନିଆଯିବ। କିନ୍ତୁ ସମସ୍ୟା ବହୁତ ବଡ଼। ଏହାକୁ ଟାଳିବା ପାଇଁ ବିକେନ୍ଦ୍ରିକ ମନୋଭାବରେ କାର୍ୟ୍ୟ କରିବାକୁ ପଡ଼ିବ।
ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ହେବ। ଏଥିପାଇଁ ଗୋଷ୍ଠୀ ସହଯୋଗ ଏବଂ ଗ୍ରାମ ପଂଚାୟତ ଓ ସହରାଞ୍ଚଳ କର୍ତ୍ତୃପକ୍ଷ ସହଯୋଗ ଆବଶ୍ୟକ। ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ସୁବିଧା ରହିବ। ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ପଞ୍ଜୀକରଣ କରିପାରିବେ। ସେମାନଙ୍କୁ ସେମାନଙ୍କ ପଞ୍ଚାୟତରେ ହିଁ କ୍ୱାରେଣ୍ଟାଇନରେ ରଖାଯିବ। ସେମାନଙ୍କର ରହିବା ଓ ଖାଇବା ସବୁ ମାଗଣା ରହିବ। କ୍ୱାରେଣ୍ଟାଇନ ଅବଧି ସରିବା ପରେ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଭାବରେ ଦିଆଯିବ।



