ମୁଖ୍ୟମନ୍ତ୍ରୀ ମନୋନୟନ: ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି ପାଇଁ ମୁଖ୍ୟମନ୍ତ୍ରୀ ମନୋନୟନ କରିବା ଚିନ୍ତାର ବିଷୟ ହୋଇଛି। ଏହି ତିନି ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ଚୂଡାନ୍ତ ହୋଇପାରି ନାହିଁ। ନିର୍ବାଚନ ଫଳ ପ୍ରକାଶ ହେବାର ଦୁଇଦିନ ବିତି ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମନୋନୟନ ପାଇଁ ଦଳର ସଂସଦୀୟ ବୋର୍ଡ ବୈଠକ କିମ୍ବା ନବ ନିର୍ବାଚିତ ବିଧାୟକଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହୋଇପାରି ନାହିଁ। ସାଧାରଣତଃ ନିର୍ବାଚନ ଫଳ ପ୍ରକାଶ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥାଏ। ବିଧାୟକମାନେ ଔପଚାରିକ ଭାବେ ବିଧାୟକ ଦଳ ନେତା ନିର୍ବାଚନ କରିଥାନ୍ତି। ନିର୍ବାଚିତ ନେତା ହିଁ ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି। ଏହା ସହିତ କେନ୍ଦ୍ରୀୟ ନେତା ମଧ୍ୟ ନିର୍ବାଚିତ ନେତାଙ୍କ ନାମ ଉପରେ ମୋହର ଲଗାଇଥାଆନ୍ତି। କ୍ଷମତା ଦଖଲ କରିଥିବା ଏହି ତିନି ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଏହିସବୁ ପ୍ରକ୍ରିୟା ଆରମ୍ଭ କରିନାହିଁ। ସେହିପରି ସଂସଦୀୟ ବୋର୍ଡ଼ ବୈଠକ ପାଇଁ ଦିନଧାର୍ଯ୍ୟ ହୋଇନାହିଁ। ବିଜେପି ଏହାର ସଂସଦୀୟ ବୋର୍ଡ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେତାଙ୍କ ନାମ ସ୍ଥିର କରିଥାଏ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଲାଗି ଶିବରାଜ ସିଂହ ଚୌହ୍ବାନ ଆଗରେ ଅଛନ୍ତି। ଶିବରାଜ ୫ଥର ମୁଖ୍ୟମନ୍ତ୍ରୀ ଭାବେ ସରକାରର ନେତୃତ୍ବ ନେଇ ସାରିଲେଣି। ତେଣୁ ପୁନର୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ନାହିଁ ତାହା ଦଳୀୟ ନିଷ୍ପତ୍ତି ଉପରେ ନିର୍ଭର କରେ। ରାଜ୍ୟର ୨୩୦ଟି ଆସନରୁ ବିଜେପି ୧୬୩ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ବସୁନ୍ଧରା ରାଜେ, ଦିୟା କୁମାରୀ ଓ ମହନ୍ତ ବାଲକନାଥଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଦଳ କାହାକୁ ମୁଖ୍ୟମନ୍ତ୍ରୀ ମନୋନୟନ କରିବ ତାହା ଚିନ୍ତାର ବିଷୟ ହୋଇଛି। ରାଜସ୍ଥାନର ୧୯୯ଟି ଆସନରୁ ବିଜେପି ୧୧୫ଟିରେ ବିଜୟୀ ହୋଇ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ପାଇଛି।
ସେହିପରି ଛତିଶଗଡରେ ରମଣ ସିଂହ, ରେଣୁକା ସିଂହ, ଅରୁଣ ସାଓ, ବିଷ୍ଣୁ ଦେଓ ସାଇ ପ୍ରମୁଖ ରହିଛନ୍ତି। ରେଣୁକା ସିଂହ ବିଜେପିର ମହିଳା ଓ ଆଦିବାସୀ ନେତ୍ରୀ। ତେଣୁ ତାଙ୍କୁ ଏଥର ମୁଖ୍ୟମନ୍ତ୍ରୀ କରିବା ନେଇ ଅଧିକ ଚର୍ଚ୍ଚା ହେଉଛି। ତେବେ ବିଜେପି ଚର୍ଚ୍ଚିତ ନେତାଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଜନତାଙ୍କୁ ଅତୀତରେ ଚକିତ କରିଥିଲା। ତେଣୁ ଏହି ତିନି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆଗୁଆ ଆକଳନ କରିବା ଅସମ୍ଭବ ମନେହୋଇଛି। ଛତିଶଗଡର ୯୦ଟି ଆସନରୁ ବିଜେପି ୫୪ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି।

Comments are closed.