ନବୀନ @୭୭
ଏବେ ବି ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ
ଭୁବନେଶ୍ୱର: ଅସ୍ଥିର ଓ ଅନିଶ୍ଚିତ ରାଜନୈତିକ ବାତାବରଣରୁ ଜନ୍ମଲାଭ କରିଥିବା ବିଜୁ ଜନତା ଦଳକୁ ସଫଳତାର ତୁଙ୍ଗିମାରେ ପହଞ୍ଚାଇଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବ। ରାଜନୀତିରେ ଏକଦା ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ଏବେ କେବଳ ଓଡ଼ିଶା ନୁହେଁ ଜାତୀୟ ସ୍ତରରେ ସର୍ବାଧିକ ଆଦୃତ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିରଳ ରେକର୍ଡର ଅଧିକାରୀ । ସବୁ ବିରୋଧାଭାସକୁ ଅତିକ୍ରମ କରିବାର ଅନନ୍ୟ ସାମର୍ଥ୍ୟର ଅଧିକାରୀ ସେ ।
୫୦ ବର୍ଷ ବୟସ ପରେ ନିଜ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ନିଜ ରାଜନୈତିକ ଜୀବନର ୨୫ ବର୍ଷ ଅତିକ୍ରମ କରିସାରିଛନ୍ତି । ସମୟ ଥିଲା ଯେତେବେଳେ ଲେଖକରୁ ରାଜନେତା ପାଲଟିଥିବା ଏହି ନେତାଙ୍କ କାର୍ଯ୍ୟଦକ୍ଷତା ନେଇ ଅନେକ ପ୍ରଶ୍ନ ଉଠାଉଥିଲେ । କିନ୍ତୁ ସେ ନିଜର ପାରିବାପଣିଆକୁ ପ୍ରମାଣିତ କରିବା ସହିତ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ବିଜୁ ଜନତା ଦଳ ଗଠନ କରି ମୂଳରୁ ଏହାର ସଭାପତି ରହିଆସିଥିବା ନବୀନ ପ୍ରଥମ ଦୁଇ ପାଳି(୨୦୦୦ ଓ ୨୦୦୯) ନିର୍ବାଚନରେ ବିଜେପି ସହିତ ମେଣ୍ଟ କରି ଶାସନ ଡୋରି ଧରିଥିଲେ । ମାତ୍ର ୨୦୦୯ରେ ମେଣ୍ଟ ସାଥୀ ବିଜେପିର ହାତ ଛାଡ଼ିବା ପରେ ବିଜେଡିକୁ ସଂଖ୍ୟାଗରିଷ୍ଠ ଦଳ ଭାବେ ଛିଡ଼ା କରାଇବା ସହିତ ପରବର୍ତ୍ତୀ ତିନି ପାଳି (୨୦୦୯, ୨୦୧୪ ଓ ୨୦୧୯) ନିର୍ବାଚନରେ ବିଜେଡିକୁ ଦୁଇ ତୃତୀୟାଂଶଠୁ ଅଧିକ ଭୋଟ ବ୍ୟବଧାନରେ ଜିତାଇ ନିଜର ଅପରାଜେୟତା ବଜାୟ ରଖିଛନ୍ତି । ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଆସିନ ନବୀନ ଏବେ ଓଡ଼ିଶା ଏବଂ ଭାରତବର୍ଷରେ ବିରଳ ରେକର୍ଡର ଅଧିକାରୀ ।
୧୯୯୯ ମହାବାତ୍ୟା ପରେ ସରକାର ଗଢ଼ିଥିବା ନବୀନ ବାରମ୍ବାର ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡ଼ିଶାକୁ ନୂଆ ଦିଶା ଦେଇଛନ୍ତି । ମହାବାତ୍ୟାର କରାଳ ରୂପକୁ ଖୁବ୍ ନିକଟରୁ ଦେଖିବା ପରେ ପରବର୍ତ୍ତୀ କାଳରେ ଓଡ଼ିଶାର ଚିର ସହଚର ବିପର୍ଯ୍ୟୟକୁ ମୁକାବିଲା କରିବା ଓ ଲୋକଙ୍କୁ ମରଣ ମୁହଁରୁ ରକ୍ଷା କରିବା ପାଇଁ ନବୀନ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପ୍ରଚଳନ କରିଥିଲେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନୀତି । ଏହାର କାର୍ଯ୍ୟକାରିତା ଦ୍ୱାରା ରାଜ୍ୟ ସରକାର ଗତ ୨୨ ବର୍ଷ ଭିତରେ ଏକାଧିକ ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟରୁ ଲୋକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାରେ ସଫଳ ହୋଇଛନ୍ତି । ରାଜ୍ୟର ଏହି ମଡ଼େଲ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ପାଇବା ସହିତ ଜାତିସଂଘରେ ଏଥିପାଇଁ ନବୀନଙ୍କୁ ପ୍ରଶଂସା ମିଳିଛି । ମହାବାତ୍ୟା ବିପର୍ଯ୍ୟସ୍ତ ଓଡ଼ିଶା ପରବର୍ତ୍ତୀ କାଳରେ ଘୋର ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲେ ବି ସେଇ ପ୍ରଥମ କାର୍ଯ୍ୟକାଳ ଭିତରେ ନବୀନ ଓଡ଼ିଶାର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଜାତୀୟ ଅର୍ଥନୀତି ଢ଼ାଞ୍ଚାରରେ ଯେଉଁ ଏଫଆରବିଏମ ନୀତି କାର୍ଯ୍ୟକାରୀ କରିଥିଲେ ତାହା ସଫଳ ହୋଇଛି । ଫଳରେ ଓଡ଼ିଶା ନିଅଣ୍ଟିଆ ସ୍ଥିତିରୁ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ବଜେଟ ଆକାର ୨୦୦୦ମସିହାରେ ୨ହଜାର କୋଟି ଟଙ୍କାରେ ସୀମିତ ତିବାବେଳେ ଏବେ ତାହା ୨ଲକ୍ଷ କୋଟିରେ ପହଞ୍ଚିପାରିଛି ।
ନବୀନଙ୍କୁ ୭୬ ପୂରି ୭୭ ବର୍ଷ ଚାଲିଛି । ରାଜନୀତିର ଏହି ୨୫ ବର୍ଷର ଦୌଡ଼ ମଧ୍ୟରେ କ୍ଷୁଧାରୁ ମୁକ୍ତି ପାଇଁ ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଖାଦ୍ୟ ନିରାରପତ୍ତା ଯୋଜନାର ସଫଳ ରୂପାୟନ କରି ସବୁରି ଆଶା ଓ ଭରସାର କେନ୍ଦ୍ର ପାଲଟିଛନ୍ତି । କାଳିଆ, ମମତା,ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଗଠନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି କାର୍ଯ୍ୟକାରୀ କରି ସେ ରାଜ୍ୟରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ରାଜନୈତିକ ସମୀକ୍ଷକ କୁହନ୍ତି ଏଭଳି ଏକାଧିକ କଲ୍ୟାଣକାରୀ ଯୋଜନା ନବୀନଙ୍କୁ ରାଜନୀତି ବାଟ ଚାଲିବାରେ ସଫଳ କରାଇଛି । କିନ୍ତୁ ସବୁ ସମାଲୋଚନା ଭିତରେ ନବୀନଙ୍କ ବିଷୟରେ ସାଧାରଣରେ ଯେଉଁ କଥାଟି ବେଶୀ ଚର୍ଚ୍ଚାରେ ରହୁଛି ତାହା ହେଲା ସ୍ୱଚ୍ଛ ଓ ଦୁର୍ନୀତିିମୁକ୍ତ ଶାସନ । ରାଜ୍ୟରେ ଦୀର୍ଘଦିନ ଧରି ଗୋଟିଏ ସରକାର ଚାଲିଥିବାରୁ ଶାସକ ଦଳ ଭିତରେ ସ୍ୱେଚ୍ଛାଚାରିତା ଆସିଯାଇଛି ଏବଂ ସବୁଠି ଦୁର୍ନୀତି ଚାଲିଛି ବୋଲି ବିରୋଧୀ ଗଳାଫଟାଇ ଯେତେ ଚିତ୍କାର କଲେ ବି ନବୀନଙ୍କ ଧଳା କୁର୍ତ୍ତାରେ ଏହା ଦାଗ ଲଗାଇ ପାରିନି । କାରଣ ବିରୋଧୀଙ୍କ ସମାଲୋଚନା ଓ ବିରୋଧରେ ଭୋଟରକୁ ପ୍ରଭାବିତ କରିପାରିନାହିଁ । ପ୍ରତିଟି ନିର୍ବାଚନରେ ନବୀନ ଆଗକୁ ବଢ଼ୁଛନ୍ତି ସିନା ବିରୋଧୀ ତାଙ୍କ ବାଟ ଓଗାଳିବାକୁ ସମର୍ଥ ହେଉନାହାନ୍ତି ।
ନବୀନଙ୍କ ରାଜନୀତିର ଏକ ବିରଳ ସୂତ୍ର ହେଉଛି ଗୋଟିଏ ନିର୍ବାଚନ ଜିତିବା ପରେ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାନ୍ତି । ହେଲେ ସେ ପ୍ରକାର ରଣନୀତି ଅନ୍ୟ ଦଳରେ ପ୍ରାୟ ଦେଖିବାକୁ ମିଳେ ନାହିଁ । ରାଜ୍ୟରେ ଗରିବଙ୍କ ସଂଖ୍ୟା କମ ନାହିଁ କିମ୍ବା ସମସ୍ୟା ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରସଙ୍ଗର ଅଭାବ ନାହିଁ । କିନ୍ତୁ ଲୋକଙ୍କ ଆଗରେ ଉପସ୍ଥାପନ କରି ସରକାରଙ୍କ ବିରୋଧରେ ଏକ ଆସ୍ଥାବିରୋଧୀ ହାୱା ସୃଷ୍ଟି କରିବା ବିରୋଧୀଙ୍କ ପକ୍ଷରେ ସମ୍ଭବ ହେଉନାହିଁ । କେବଳ ନିର୍ବାଚନ ସମୟକୁ ଛାଡ଼ିଦେଲେ ବିରୋଧୀ ଅନ୍ୟ ସମୟରେ ପ୍ରାୟ ନିରବିଯାଉଛନ୍ତି । ବିକାଶ ସତ୍ତ୍ବେ ଓଡ଼ିଶାରେ ଅନେକ ବୈଷମ୍ୟ ରହିଛି । ଏବେ ବି ରାଜ୍ୟ ଜନସଂଖ୍ୟାର ୩୦ ପ୍ରତିଶତ ଦାରିଦ୍ର୍ୟ ସୀମରେଖା ତଳେ ବଞ୍ଚୁଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ଆଲୋକ ପହଞ୍ଚି ପାରୁନି । ଖଣି, ପାଣିଠୁ ଆରମ୍ଭ କରି ଆଇନଶୃଙ୍ଖଳା ପର୍ଯ୍ୟନ୍ତ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅଜସ୍ର ପ୍ରସଙ୍ଗ ରହିଛି ।
ମାତ୍ର ବିରୋଧୀ ଏସବୁ ପ୍ରସଙ୍ଗକୁ ନେଇ କୌଣସି ନିର୍ବାଚନରେ ନବୀନ ସରକାରଙ୍କୁ ହରଡ଼ଘଣାରେ ପକାଇବା ଭଳି ପରିସ୍ଥିତି ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରି ନାହିଁ । ରାଜ୍ୟରେ ସବୁଠୁ ବୃହତ୍ତମ ବିରୋଧୀ ଦଳର ମାନ୍ୟତା ପାଇ ଆସୁଥିବା କଂଗ୍ରେସ ୨୦୧୯ ନିର୍ବାଚନରେ ଚିତପଟାଙ୍ଗ ମାରିଥିବାବେଳେ ନବୀନଙ୍କ ସହିତ ପ୍ରଥମେ ମେଣ୍ଟ କରି ପରେ ପୃଥକ ହୋଇଯାଇଥିବା ବିଜେପି କ୍ଷମତାକୁ ଆସିବା ଲାଗି ଦୀର୍ଘ ବର୍ଷ ହେଲା ପ୍ରସ୍ତୁତି ଚଳାଇଛି । ଏପରିକି ୨୦୧୯ ନିବାଚନରେ ୧୨୦ ପ୍ଲସ ମିଶନ ନେଇ ମଧ୍ୟ ଲଢ଼େଇ କରିଛି । ହେଲେ ବିଜେପିର ଯୋଜନା ଫଳବତୀ ହୋଇନାହିଁ । ଏ ପର୍ଯ୍ୟନ୍ତ ଏ ଦଳର ସଫଳତା କେବଳ ରାଜ୍ୟରେ ବିରୋଧୀ ଦଳ ଆସନଟି କଂଗ୍ରେସ ହାତରୁ ଛଡ଼ାଇ ନେବାରେ ସୀମିତ ରହିଛି। ବିଡ଼ମ୍ବନାର କଥା ହେଲା ଜାତୀୟ ସ୍ତରର ଦୁଇ ଦୁଇଟି ବିରୋଧୀ ଦଳ ନବୀନ ସରକାର ବିରୋଧରେ ଦୀର୍ଘ ବର୍ଷ ହେଲା ବହୁ ତମ୍ବି ତୋଫାନ ଚଳାଇଥିଲେ ହେଁ ନବୀନ ଚତୁର ଗୋଟିଚାଳନା ବଳରେ ବିରୋଧୀଙ୍କୁ ତାଙ୍କ ପାଖ ମାଡ଼ିବାକୁ ସୁଯୋଗ ଦେଇନାହାନ୍ତି ।
ବିଶେଷ କରି ରାଜ୍ୟରେ କଂଗ୍ରେସ ଦୁର୍ବଳ ହେବା ପରେ ବିଜେଡ଼ି ପାଇଁ ବିଜେପି କଣ୍ଟା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଯେଉଁ ଆକଳନ କରୁଥିଲେ ତାହା ମଧ୍ୟ ଏ ପର୍ଯ୍ୟନ୍ତ ଫଳବତୀ ହୋଇପାରୁନି । ଜାତୀୟ ସ୍ତରରେ ୨୦୧୪ ନିର୍ବାରଚନରେ ମୋଦି ହାୱା ଯେଉଁ ପ୍ରଭାବ ପକାଇଥିଲା ତାହା ଓଡ଼ିଶାରେ କିନ୍ତୁ ସଫଳ ହୋଇ ନଥିଲା । ଅନେକ ଆକଳନ କରୁଥିଲେ ଓଡ଼ିଶାରେ ହୁଏତ କିଛିଟା ପରିବର୍ତ୍ତନର ଆଭାସ ମିଳିପାରେ । କିନ୍ତୁ ୨୦୧୪ରେ କିମ୍ବା ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୧୯ରେ ବିଜେପି ବା ମୋଦି ହାୱାର କୌଣସି ପ୍ରଭାବ ନବୀନ ସରକାରଙ୍କ ପ୍ରତି ଆହ୍ୱାନ ସୃଷ୍ଟିକରିବାରେ ସଫଳ ହେଲା ନାହିଁ ।
ରାଜ୍ୟରେ ନବୀନଙ୍କ ଜୟଯାତ୍ରା ଏ ପର୍ଯ୍ୟନ୍ତ ଅବ୍ୟାହତ ରହିଥିବାବେଳେ ବିଜେଡ଼ି ଶାସନକୁ ମୁକାବିଲା କରିବା ପାଇଁ ଦୀର୍ଘ ୨୨ ବର୍ଷ ଭିତରେ ବିକଳ୍ପ ଦଳ ବା ରାଜନେତା ବି ସୃଷ୍ଟି ହୋଇପାରି ନାହିଁ। ଅନେକ ରାଜନୀତି ବିଶ୍ଳେଷକ ଏବେ ବି ବିରୋଧୀ ଦଳରେ ନବୀନଙ୍କ ସମକକ୍ଷ ନେତା କିଏ ସେ ନେଇ ପ୍ରଶ୍ନ କରୁଛନ୍ତି । ଏ ପ୍ରଶ୍ନ ଏବେ ବି ଅସମାହିତ ହୋଇରହିଛି । ନବୀନଙ୍କ ବିକଳ୍ପ ଏ ପର୍ଯ୍ୟନ୍ତ ଯେ ରାଜ୍ୟରେ ଦାନା ବାନ୍ଧୁନାହିଁ ଏହା ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ସ୍ପଷ୍ଟ ବାରି ହେଉଛି ।
ସଶକ୍ତ ବିରୋଧୀ ଦଳ ଓ ବିକଳ୍ପ ଟାଣୁଆ ନେତାଙ୍କ ଅଭାବରୁ ବିଜେଡ଼ି ଏହାର ଶକ୍ତି ବୃଦ୍ଧି କରିଚାଲିଥିବାବେଳେ ନବୀନ ବର୍ଷ ବର୍ଷ ଧରି ରାଜ୍ୟ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀରହିବାର କୀର୍ତ୍ତିମାନ ବଜାୟ ରଖିଛନ୍ତି । ଚର୍ଚ୍ଚା ହେଉଛି ୨୦୨୪ ନିର୍ବାଚନ ନବୀନଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାର ସମ୍ଭାବନା ରହିଛି । କିନ୍ତୁ ସେ ସମ୍ଭାବନାକୁ ଅତିକ୍ରମ କରିବା ପାଇଁ ବିଜେଡି ତାର ରଣନୀତିକୁ ଆହୁରି ଶକ୍ତିଶାଳୀ କରିଛି ।
ସାଧାରଣରେ ଧାରଣା ଥିଲା ବିଜୁବାବୁଙ୍କ ପରଲୋକ ପରେ ଓଡ଼ିଶାରେ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନେତା ଓ ତତ୍କାଳୀନ ଜନତା ଦଳ ଦିଶାହୀନ ହୋଇପଡ଼ିବ । କିନ୍ତୁ ଏ ସମସ୍ତ କଳ୍ପନାଜଳ୍ପନା, ଅଶାଙ୍କା ଓ ଅନିଶ୍ଚିତତାରୁ ପରଦା ହଟାଇ ରାଜନୀତିରେ ପାଦ ଥାପିଥିବା ବିଜୁଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଯେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇଦେବେ ସେ ଧାରଣା ଖୁବ୍ କମ ଲୋକଙ୍କ ଭିତରେ ଥିଲା । ରାଜନୀତିରେ କମ କଥା ଓ ଅଧିକ କାମରେ ବିଶ୍ୱାସ ରଖୁଥିବା ନବୀନ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବାବେଳେ ନିକଟ ଅତୀତରେ ପାଇଛନ୍ତି ଜୀବନବ୍ୟାପୀ ସାଧନା ପୁରସ୍କାର । ଏ ପୁରସ୍କାର ଉଭୟ ବିଜେଡ଼ି ଓ ନବୀନଙ୍କ ମନୋବଳ ବଢ଼ାଇଛି । ତଥାପି ରାଜନୀତିରେ ତାଙ୍କ ପାଇଁ ଆଗକୁ ଆହୁରି ଆହ୍ୱାନ ରହିଛି ।
Comments are closed.