www.samajalive.in
Sunday, December 14, 2025
19.1 C
Bhubaneswar

ସାର ଦେବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକତା ଅନୁସାରେ କେନ୍ଦ୍ରରୁ ସାର ମିଳୁନି। ଚଳିତ ଖରିଫ ଋତୁରେ ଜୁଲାଇ ୩୧ ସୁଦ୍ଧା ଚାହିଦା ମୁତାବକ ୟୁରିଆ ଓଡ଼ିଶାକୁ ଯୋଗାଇ ଦିଆଯାଇଥିବା ବେ‌େ‌ଳ ଡିଏପି ଓ ଏମଓପି ଯୋଗାଣରେ ଅଭାବ ପରିଲକ୍ଷିତ ହୋଇଛି। ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ ଚାଷକାର୍ଯ୍ୟ ପାଇଁ ଏହି ସାରର ବ୍ୟାପକ ଆବଶ୍ୟକତା ରହିଛି। ଅଗଷ୍ଟ-ସେପ୍ଟେମ୍ବରରେ ସାରର ସର୍ବାଧିକ ଚାହିଦା ଥାଏ। ଏସମୟରେ ଯୋଗାଣରେ ଅଭାବ ରହିଲେ, ରାଜ୍ୟର କୃଷି ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟକୁ ମାସିକ ଆବଶ୍ୟକତା ଭିତ୍ତିରେ ସାର ଯୋଗାଇ  ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଏହି ପ୍ରସଙ୍ଗରେ ପାଲଟା ଜବାବ ରଖିଛନ୍ତି। ଓଡ଼ିଶାକୁ ଚାହିଦା ମୁତାବକ ନୁହେଁ, ତାଠାରୁ ଅଧିକ ସାର ଯୋଗାଇ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଖୁବା କହିଛନ୍ତି।

- Advertisement -

ରାଜ୍ୟକୁ ଆବଶ୍ୟକ ପରିମାଣର ୟୁରିଆ ସାର ଜୁଲାଇରେ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସାର ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟଙ୍କୁ ଆଜି ଦେଇଥିବା ଚିଠିରେ ପ୍ରଥମେ ଧନ୍ୟବାଦ ଜଣାଇଛନ୍ତି। ତେବେ ରାଜ୍ୟର ଆବଶ୍ୟକତା ଅନୁସାରେ ଡିଏପି ଓ ଏମଓପି ସାର ଯୋଗାଣ ହୋଇ ନଥିବା ଉଲ୍ଲେଖ କରିଛନ୍ତି। ଚଳିତ ଖରିଫ ଋତୁରେ ଜୁଲାଇ ୩୧ ସୁଦ୍ଧା ଡିଏପି ୧ ଲକ୍ଷ ୫୫ ହଜାର ମେଟ୍ରିକ ଟନ୍‌ ଆବଶ୍ୟକତା ଥିବାବେଳେ ମିଳିଛି ୯୪ ହଜାର ମେଟ୍ରିକ ଟନ୍‌। ଏହି ସମୟ ସୁଦ୍ଧା ୧,୦୮,୧୨୩ ମେଟ୍ରିକ ଟନ୍‌ ଡିଏପି ଉପଲବ୍ଧ ରହିଥିଲା। ତେବେ ୪୬ ୮୭୭ ମେଟ୍ରିକ ଟନ୍‌ ଡିଏପି ଅଭାବ ରହିଛି। ସେହିପରି ଏମଓପି ୬୦ ହଜାର ମେଟ୍ରିକ ଟନ୍‌ ଆବଶ୍ୟକ ଥିବାବେ‌େ‌ଳ ମିଳିଛି ୪୮୬୪୯ ମେଟ୍ରିକ ଟନ୍‌। ୫୮୯୯୦ ମେଟ୍ରିକ ଟନ୍‌ ଏମଓପି ଉପଲବ୍ଧ ଥିବାବେଳେ ୧୦୧୦ ମେଟ୍ରିକ ଟନ୍‌ ଏମଓପି ଅଭାବ ରହିଛି। ପୂର୍ବବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯଥା; ୟସ୍‌, ଜୱାଦ ଏବଂ ଗୁଲାବ ଆଦି କାରଣରୁ ଶସ୍ୟ ଉତ୍ପାଦନରେ ରାଜ୍ୟ କ୍ଷତି ସହିଛି। ଏଥର ଭଲ ମୌସୁମୀ ବର୍ଷା ଯୋଗୁଁ ଫସଲ ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଆବଶ୍ୟକତା ଅନୁସାରେ ସାର ଯୋଗାଣର ଆବଶ୍ୟକତା ରହିଛି। ଅଗଷ୍ଟ-ସେପ୍ଟେମ୍ବର ମାସରେ ସାର ଚାହିଦା ଅଧିକ ରହିଥାଏ। ଏହି ସମୟ ଭିତରେ ସାର କମ୍‌ ଯୋଗାଣ ହେଲେ ତାହା ରାଜ୍ୟର କୃଷି ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଥିବା ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ପାଲଟା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟ ସରକାର ଯେତେ ପରିମାଣରେ କେନ୍ଦ୍ର ସରକାରଙ୍କୁ ସାର ମାଗିଛନ୍ତି, ସେହି ପରିମାଣର ସାର କେନ୍ଦ୍ର ଯୋଗାଇ ଦେଇଛି। ଅଗଷ୍ଟ ୨୫ ସୁଦ୍ଧା ରାଜ୍ୟ ସରକାର ୟୁରିଆ ସାର ୦.୮୦ ଏଲଏମଟି ମାଗିଥିଲେ ଓ କେନ୍ଦ୍ର ସରକାର ୨.୦୪ ଏଲଏମଟି ସାର ଯୋଗାଇ ଦେଇଛନ୍ତି। ସେହିପରି ଡିଏପିରେ ୦.୩୦ ଏଲଏମଟି ମାଗିଥିବାବେଳେ ୦.୫୨ ଏଲଏମଟି, ଏମଓପି ୦.୨୫ ଏଲଏମଟି ମାଗିଥିଲେ ୦.୪୫ ଏଲଏମ୍‌ଟି, ଏନପିକେଏସ ୦.୪୦ଏଲଏମ୍‌ଟି ମାଗିଥିବାବେଳେ ୧.୩୭ ଏଲଏମ୍‌ଟି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି; ହେଲେ କୃଷକଙ୍କୁ ନେଇ ରାଜ୍ୟ ସରକାର ରାଜନୀତି କରୁଛନ୍ତି। ଓଡ଼ିଶାର କୃଷକଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ବିଭାଗର ୱେବ୍‌ସାଇଟ୍‌ରେ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ସାରର ସବୁ ତଥ୍ୟ ପ୍ରତ୍ୟେକ ଦିନ ‘ଅପ୍‌ଡେଟ୍’ ହୋଇଥାଏ ବୋଲି ସେ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories