ଗ୍ରାମସଭାକୁ ଗାଁ ବିକାଶ ଦାୟିତ୍ବ

ଭୁବନେଶ୍ୱର : ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଭୁବନେଶ୍ୱର ନିକଟବର୍ତ୍ତୀ ଖୋର୍ଦ୍ଧା ଜିଲାର ଜଙ୍କିଆରେ ବୁଧବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସହର ଓ ଗାଁ ଭିତରେ ବିକାଶରେ ଯେଉଁ ପାର୍ଥକ୍ୟ ଅଛି, ଏହି ଯୋଜନା ତାକୁ ଦୂର କରିବ। ଓଡ଼ିଶାର ପ୍ରାୟ ୬୦ ହଜାର ଗାଁରେ ବିକାଶର ଗଙ୍ଗା ପ୍ରବାହିତ ହେବ। ଗାଁଗୁଡ଼ିକୁ ବିକାଶର ଗ୍ରୋଥ୍ ଇଞ୍ଜିନ କରିବ। ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ୍’ର ଶ୍ରେଷ୍ଠ ନିଦର୍ଶନ। ଏହି ଯୋଜନାରେ ଗାଁ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏଁ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ଆବଶ୍ୟକ ହେଲେ ଏହି ଯୋଜନାକୁ ସମ୍ପ୍ରସାରିତ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁର ଉନ୍ନତି ନହେଲେ ଓଡ଼ିଶାର ଉନ୍ନତି ଚିନ୍ତା କରିବା ଅସମ୍ଭବ। ‘ବିକଶିତ ଓଡ଼ିଶା, ବିକଶିତ ଗାଁ’ କାର୍ଯ୍ୟକ୍ରମ ଆମର ଗାଁଗୁଡ଼ିକର ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ। ଏକ ଯୋଜନାବଦ୍ଧ ଉପାୟରେ ବାର୍ଷିକ ଯୋଜନା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ। ଏଥିରେ ଗାଁର ରାସ୍ତାଘାଟ ସହିତ ଶିକ୍ଷା, ଗୋଷ୍ଠୀ ସମ୍ପତ୍ତି, ଉପାସନା ସ୍ଥଳ, କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ବିକାଶ କରାଯିବ। ଏହି ଯୋଜନାରେ ଗାଁର ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ଗାଁ ଭିତର ରାସ୍ତା ଓ ଗାଁକୁ ଗାଁ ସହିତ ଯୋଡୁଥିବା ରାସ୍ତା ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ପିଚୁ ରାସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପେଭର ବ୍ଲକ ରାସ୍ତା, ସେତୁ ଓ କଲଭର୍ଟ ଆଦି ନିର୍ମାଣ କରାଯାଇ ପାରିବ। ଜଙ୍ଗଲ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକୁ ମଧ୍ୟ ଏଥିରେ କଂକ୍ରିଟ୍ କରାଯାଇ ପାରିବ। ସର୍ବସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନ, କଲ୍ୟାଣ ମଣ୍ଡପ, ଗୋଷ୍ଠୀକେନ୍ଦ୍ର, ଗାଧୁଆ ଘାଟର ଉନ୍ନତି, ପରିଧାନ ପରିବର୍ତ୍ତନ ପ୍ରକୋଷ୍ଠ, ମାର୍କେଟ୍ ସେଡ୍ ଆଦି ନିର୍ମାଣ କରାଯିବ। ସେହିପରି ପୂଜାପାଠ ସ୍ଥାନ, ତୀର୍ଥଯାତ୍ରୀଙ୍କ ପାଇଁ ମୌଳିକ ସୁବିଧାର ବିକାଶ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗି, ସାଂସ୍କୃତିକ କେନ୍ଦ୍ର ଆଦି ପ୍ରକଳ୍ପର ମଧ୍ୟ ନିର୍ମାଣ କରାଯାଇ ପାରିବ।
ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ଏଥିରେ ଯୋଜନା ରଖାଯାଇଛି। ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ଭିତ୍ତିଭୂମି ଓ ସମ୍ପ୍ରସାରଣ ମଧ୍ୟ କରାଯାଇ ପାରିବ। କ୍ରୀଡ଼ା ଭିତ୍ତିଭୂମି, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ପ୍ରକଳ୍ପର ସର୍ବନିମ୍ନ ମୂଲ୍ୟ ୩ଲକ୍ଷ ଟଙ୍କା ରହିବ। ଏହାଦ୍ୱାରା ଅତି ଛୋଟ ପ୍ରକଳ୍ପଟିର ମଧ୍ୟ ଗୁଣାତ୍ମକ ମାନ ବଜାୟ ରଖାଯାଇ ପାରିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡ଼ିକରେ ସର୍ବନିମ୍ନ ୨୦ ପ୍ରତିଶତ ବ୍ୟୟ ହୋଇଥିବ ସେଗୁଡ଼ିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇ ପାରିବ। ଆମ ପାଇଁ ବିକାଶ ରାଜନୀତିରୁ ଊର୍ଦ୍ଧ୍ବରେ। ବିକାଶ ଓ ରାଜନୀତିକୁ ସବୁବେଳେ ଅଲଗା ରଖିବାକୁ ପଡ଼ିବ; କିନ୍ତୁ, ଆମ ଦେଶରେ ଦୁଇଟି ଯାକ ଏମିତି ଛନ୍ଦାଛନ୍ଦି ହୋଇଛନ୍ତି ଯେ, ଯେତେ ଚେଷ୍ଟା କଲେ ମଧ୍ୟ ଏହା ଅଲଗା ହୋଇପାରୁନାହିଁ। ଆମ ପାଇଁ ବିକାଶ ନିର୍ବାଚନ ସର୍ବସ୍ବ ନୁହେଁ। ନିର୍ବାଚନ ସରିଗଲେ, ସେଇଠି ରାଜନୀତି ସରିଲା। ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାର୍ଯ୍ୟ କରୁଛୁ। ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ, ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ। ଆମ ସରକାର ହେଉଛି ଲୋକଙ୍କ ସରକାର। ଆମ ସରକାରଙ୍କ ସବୁ କାର୍ଯ୍ୟକ୍ରମରେ ଲୋକଙ୍କ ମତାମତ ଓ ଲୋକଙ୍କ ଭାଗୀଦାରି ରହିଛି। ବିକଶିତ ଗାଁ, ବିକଶିତ ଓଡ଼ିଶାରେ ମଧ୍ୟ ଲୋକଙ୍କ ଭାଗୀଦାରିକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଗାଁର ଲୋକ ହିଁ ବିକଶିତ ଗାଁର ପରିକଳ୍ପନା ଏବଂ ତାହାର ରୂପାୟନ କରିବେ। ଏହି ଯୋଜନାରେ ଆଦିବାସୀ ଉନ୍ନୟନ ଉପରେ ଗୁରୁତ୍ବ ଦିଆଯାଇଛି। ମଞ୍ଜୁର ଅର୍ଥ ରାଶିର ୪୦ ପ୍ରତିଶତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ବ୍ଲକ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ଜିଲାପାଳମାନେ ଜିଲାସ୍ତରରେ ହେଉଥିବା କାର୍ଯ୍ୟର ତଦାରଖ ଏବଂ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା କରିବେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏହି ସମୀକ୍ଷା ଓ ତଦାରଖରେ ସହାୟତା ପ୍ରଦାନ କରିବେ। ଏଥିରେ ସାମାଜିକ ସମୀକ୍ଷା ବା ସୋସିଆଲ୍ ଅଡ଼ିଟ୍ର ବ୍ୟବସ୍ଥା ମଧ୍ୟ ରଖାଯାଇଛି। ସେ କହିଥିଲେ ଯେ, ଏହି ଯୋଜନା ଆମ ଗାଁରେ ରହୁଥିବା ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ। ସେମାନଙ୍କ ଦୈନନ୍ଦିନ ଜୀବନରେ ଆହୁରି ସୁବିଧା ଆସିବ, ସେମାନଙ୍କ ‘ଇଜ୍ ଅଫ୍ ଲିଭିଙ୍ଗ’ରେ ଉନ୍ନତି ଆସିବ ଏବଂ ବିକାଶର ରାସ୍ତାରେ ଅଗ୍ରସର ହେବା ପାଇଁ ନୂଆ ରାସ୍ତା ଖୋଲିବ। ଏ ରାସ୍ତା ହେବ ସମୃଦ୍ଧ ଓଡ଼ିଶାର ହାଇୱେ। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଭାରତର ଆତ୍ମା ଗାଁରେ’ ଗାନ୍ଧୀଙ୍କ ଏହି ଉକ୍ତି ଆଜି ମଧ୍ୟ ପ୍ରାସଙ୍ଗିକ। କାରଣ ଦେଶରେ ଏବେ ମଧ୍ୟ ୬୫ ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ଓଡ଼ିଶାରେ ଏହା ପ୍ରାୟ ୮୧ ପ୍ରତିଶତ। ଗ୍ରାମାଞ୍ଚଳର ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଆଧାର କରି ସମୃଦ୍ଧ ଓଡ଼ିଶା, ୨୦୩୬ର ପରିକଳ୍ପନା କରାଯାଇଛି। ଓଡ଼ିଶାର ପ୍ରାୟ ୬୦ ହଜାର ଗ୍ରାମରେ ବିକାଶର ଗଙ୍ଗାକୁ ପ୍ରବାହିତ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଏହି ପରିକଳ୍ପନାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ସବୁ ଦୃଷ୍ଟିରୁ ଏହି ଯୋଜନା ଯୁଗାନ୍ତକାରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ରୂପାନ୍ତରିତ ବିକାଶର ମଡେଲ ଆଣିଛନ୍ତି। ଦେଶର ସବୁ ଘରକୁ ଶୌଚାଳୟ, ଏଲ୍.ପି.ଜି ଟାଙ୍କି, ଅଧିକାଂଶ ଘରକୁ ପିଇବା ପାଣି, ଦେଶ ସାରା ସଡ଼କ ଓ ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଆଦି ଅନେକ ପଦକ୍ଷେପ ନେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଗ୍ରାମୀଣ ଓଡ଼ିଶାର ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗ୍ରାମୀଣ ଭିତ୍ତିଭୂମିର ବିକାଶ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ଏହି ଯୋଜନା ଦ୍ୱାରା ରାଜ୍ୟର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଭିବୃଦ୍ଧିରେ ଗ୍ରାମାଞ୍ଚଳର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ପ୍ରମୁଖ ଗ୍ରାମାଞ୍ଚଳ ଜୀବନଧାରଣ ମାନରେ ଏହି ଯୋଜନା ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ମତ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍ ସ୍ୱାଗତ ଭାଷଣ ଏବଂ ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରାଣା ଧନ୍ୟବାଦ ଦେଇଥିଲେ।
Comments are closed.