ଜୋକୋଭିକ୍‌ ସିନ୍‌‌ସିନାଟି ମାଷ୍ଟର୍ସ ଟେନିସ୍‌‌ ଚମ୍ପିଆନ୍‌

ସିନ୍‌‌ସିନାଟି : ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ୍ ଜୋକୋଭିକ୍‌ ସିନ୍‌‌ସିନାଟି ମାଷ୍ଟର୍ସ ଟେନିସ୍‌‌ ଏଟିପି ଟୁର୍ଣ୍ଣାମେଣ୍ଟର ଏକକ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛନ୍ତି । ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌‌ରେ ୨ୟ ସିଡ୍‌‌ ଜୋକୋଭିକ୍‌ ୫-୭, ୭-୬, ୭-୬ ସେଟ୍‌‌ରେ ଟପ୍‌‌ ସିଡ୍‌‌ ସ୍ପେନ୍‌‌ର ଯୁବ ଖେଳାଳି କାର୍ଲୋସ ଆଲ୍‌କାରାଜଙ୍କୁ ପରାସ୍ତ କରିଛନ୍ତି। ଏଥିସହ ଆଲକାରାଜଙ୍କଠାରୁ ଗତ ୱିମ୍ବଲଡନ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛନ୍ତି ଜୋକୋଭିକ୍‌। ୩ ଘଣ୍ଟା ୪୯ ମିନିଟ୍‌‌ ଧରି ଚାଲିଥିବା ଏହି ଫାଇନାଲ ମ୍ୟାଚ୍‌‌ ୧୯୯୦ ପରେ ଏଟିପି ଟୁରରେ ସବୁଠାରୁ ଦୀର୍ଘ ଫାଇନାଲ ସାବ୍ୟସ୍ତ ହୋଇଛି। ଏଥିସହ ଜୋକୋଭିକ୍‌ ଜୀବନର ୯୫ତମ ଟାଇଟଲ ଜିତିଛନ୍ତି। ଏହି କ୍ରମରେ ସେ ଇଭାନ ଲେଣ୍ଡଲଙ୍କୁ ପଛରେ ପକାଇ ସର୍ବାଧିକ ଟାଇଟଲ ଜିତିବା ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ଏଥିସହ ଜୋକୋଭିକ୍‌ ଜୀବନର ୩୯ତମ ଏଟିପି ମାଷ୍ଟର୍ସ ଟାଇଟଲ ମଧ୍ୟ ଜିତିଛନ୍ତି। ଆଲ୍‌କାରାଜଙ୍କୁ ଫାଇନାଲରେ ପରାସ୍ତ କରିବା ପରେ ଜୋକୋଭିକ୍‌ ଏତେ ଖୁସି ହୋଇ ଯାଇଥିଲେ ଯେ ତାଙ୍କ ଟି-ସାର୍ଟକୁ ଚିରି ୨ ଖଣ୍ଡ କରି ଦେଇଥିଲେ। ସେମିଫାଇନାଲରେ ଜର୍ମାନୀର ଆଲେକଜାଣ୍ଡର ଜେରେଭଙ୍କୁ ୭-୬, ୭-୫ରେ ପରାସ୍ତକରି ଜୋକୋଭିକ୍‌ ଫାଇନାଲରେ ପହଞ୍ଚିଥିଲେ । ଆଲ୍‌କାରାଜ ୩ଟି ସେଟ୍‌‌ରେ ପୋଲାଣ୍ଡର ହୁବର୍ଟ ହ୍ୟୁର୍କାଜ୍‌ଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ।

prayash

ଗୌଫ୍‌‌ ମହିଳା ଏକକ ଟାଇଟଲ ଜିତିଲେ


ସିନ୍‌‌ସିନାଟି ମାଷ୍ଟର୍ସ ଡବ୍ଳ୍ୟୁଟିଏ ଏକକ ପ୍ରତିଯୋଗିତାରେ ଆମେରିକାର ୭ମ ସିଡ୍‌‌ ଖେଳାଳି କୋକୋ ଗୌଫ୍‌‌ ଚମ୍ପିଆନ୍‌ ହୋଇଛନ୍ତି। ଫାଇନାଲ ମୁକାବିଲାରେ ସେ ୬-୩, ୬-୪ ସେଟ୍‌‌ରେ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ପରାସ୍ତକରି ଅଦ୍ୟାବଧି ତାଙ୍କ ଜୀବନର ସର୍ବବୃହତ୍‌‌ ଟ୍ରଫି ହାସଲ କରିଛନ୍ତି। ଏହି ବିଜୟ ଅବିଶ୍ବସନୀୟ ବୋଲି ଗୌଫ୍‌ କହିଛନ୍ତି। ୨୦୨୨ ଫ୍ରେଞ୍ଚ୍‌‌ ଓପନ୍‌‌ ରନର୍ସଅପ୍‌‌ ଗୌଫ୍‌‌ ଏଥିସହ ଜୀବନର ପ୍ରଥମ ମାଷ୍ଟର୍ସ ୧୦୦୦ ଟାଇଟଲ ଜିତିଛନ୍ତି। ୧୯ ବର୍ଷୀୟ ଗୌଫ୍‌‌ ୧ ଘଣ୍ଟା ୫୬ ମିନିଟ ସମୟ ନେଇ ମୁଚୋଭାଙ୍କୁ ପରାସ୍ତ କରିଥିଲେ। ଗୌଫ୍‌‌ ଏଥିସହ ଜୀବନର ୫ମ ଟାଇଟଲ ହାସଲ କରିଛନ୍ତି। ଏହି ବିଜୟ ପରେ ଗୌଫ୍‌‌ଙ୍କୁ ଅଭିଜ୍ଞ ଖେଳାଳି ସେରେନା ୱିଲିୟମ୍‌ସଙ୍କ ସହ ତୁଳନା କରାଯାଉଛି।

Comments are closed.