ରାସ୍ତା ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର

ଚୌଦ୍ୱାର: ଚୌଦ୍ୱାର ସହର ମଧ୍ୟଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର କଲେଜ ନିକଟରେ ଏକ ବିଦ୍ୟୁତ୍‌ ତାର ଛିଡ଼ି ରାଜରାସ୍ତା ଉପରେ ପଡ଼ି ରହିଛି । ଯାହାଫଳରେ ରାଜପଥରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା  । ବୁଧବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ବିଦ୍ୟୁତ୍‌ ଟାୱାରରେ ହଠାତ୍‌ ଏକ ବିସ୍ଫୋରଣ ଘଟି କେବୁଲ ଟି ଛିଡ଼ି ପଡ଼ିଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ  ।

ବିଦ୍ୟାଳୟରୁ ପିଲାକୁ ନେଇ ସେହିବାଟେ ବାଇକ୍‌ରେ ଯାଉଥିବା ଜଣେ ଅଭିଭାବକ ତାରରେ ଛନ୍ଦିହୋଇ ତଳେ ପଡ଼ିଯାଇ ସାମାନ୍ୟ ଆହତ ହୋଇଥିଲେ । ଭାଗ୍ୟକୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି  । ତାର ଛିଡ଼ିବାର ପ୍ରାୟ ଅଧଘଣ୍ଟା ପରେ ଟାଟା ପାୱାର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କେବୁଲ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା  ।

ସୂଚନା ଥାଉକି ଗତ କିଛିଦିନ ତଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ଛିଡ଼ି ଚୌଦ୍ୱାର କଲେଜ ନିକଟରେ ଥିବା ବସ୍ତିର ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାରୁ ଆଜିର ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର କାରଣ ପାଲଟିଛି  । ବିଦ୍ୟୁତ୍‌ ମରାମତି ନାମରେ ଟାଟା ପାୱାର ତରଫରୁ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଦ୍ୟୁତ୍‌ କାଟ କରୁଥିବା ସ୍ଥଳେ  ଚୌଦ୍ୱାର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ଜନିତ ଦୁର୍ଘଟଣା ଘଟିବା ଟାଟା ପାୱାରର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

Comments are closed.