ଚୌଦ୍ୱାର: ଚୌଦ୍ୱାରର ବିଭିନ୍ନ ଅଞ୍ଚଳରରେ ଥିବା ମନ୍ଦିର ଓ ଲୋକଙ୍କ ଘରୁ ଚୋରି କରୁଥିବା ୪ଜଣ ନାବାଳକଙ୍କ ସମେତ ୭ଜଣକୁ ଚୌଦ୍ୱାର ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଥିବା ଏହି ଥାନା ଅଧିନ ଚୁଡାଖିଆ ମୁଣ୍ଡାସାହିର ମଣ୍ଟୁ ତାମୁଡିଆ, ରାଜୁ ତାମୁଡିଆ ଓ ଜଗନ୍ନାଥପଡ଼ା ହାଉସିଂବୋର୍ଡ କଲୋନିର ପିତବାସ ସାହୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବଳକ ଚାରି ଜଣକୁ ଅନୁଗୁଳ ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ପୁଲିସ ୪ଟି ସୁନା ଚେନ, ସୁନା ଅଳଙ୍କାର, ୫ଟି ସୁନା ମୁଦି, ୨ଟି କାନ ଫୁଲ, ୨ଟି ଶଙ୍ଖା, ଗୋଟିଏ ଲକେଟ, ନାକଫୁଲ, ବହୁ ପରିମାଣର ମନ୍ଦିରରରେ ବ୍ୟବହୃତ ହେଉଥିବା ସିଲଭର ଓ ପିତଳର ବାସନ କୁସନ ଏବଂ ନଗଦ ୯ ହଜାର ୩୯୦ ଟଙ୍କା ପୋଲିସ ଜବତ୍ କରିଛି।
ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସୁଚନା ଅନୁଯାୟୀ ଚୌଦ୍ୱାର ମୁନିସପାଲ ହାଇସ୍କୁଲର ରାତ୍ର ଜଗୁଆଳି ଭାବେ କାମ କରୁଥିବା ତିଗିରିଆ ଥାନା ଗୋଡିବର ଗ୍ରାମର ବ୍ରହ୍ମାନନ୍ଦ ନାୟକ ନିଜ ପରିବାର ସହିତ ସ୍କୁଲ ପରିସରରେ ରହୁଥିଲେ। ଗତ ୧୩ ତାରିଖରେ ବ୍ରହ୍ମାନନ୍ଦ ନିଜ ରହୁଥିବା ଘର ତାଲା ପକାଇ କଟକ ଯାଇ ଫେରିବା ପରେ ଦେଖନ୍ତିତ ତାଙ୍କ ଘର ଓ ଆଲମୀରା ତାଲା ଭଙ୍ଗା ହୋଇ ଘରୁ ସମସ୍ତ ସୁନା ଅଳଙ୍କାର ସହିତ କିଛି ବାସନକୁସନ ଚୋରି ହୋଇଯାଇଛି।ଏନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏସ୍ଆଇ ନିରଞ୍ଜନ ଭୋଇ ଓ ଟିମ ସହାୟତାରେ ସିସିଟିଭି ଏବଂ ବିଶ୍ୱସ୍ଥ ସୁତ୍ରକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଚୋରି ସାମଗ୍ରୀ ଉଦ୍ଧାର କରିବା ସହିତ ସହିତ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିବା ସେ ସୁଚନା ଦେଇଛନ୍ତି।



