ଯୁଧିଷ୍ଠିର କପଟ ପଶାରେ ହାରିଯିବାରୁ ସର୍ତ୍ତ ଅନୁଯାୟୀ ପାଣ୍ଡବମାନେ ବନବାସରେ ଥାଆନ୍ତି। ବନବାସ କାଳରେ ଦିନେ ମହର୍ଷି ବେଦବ୍ୟାସ ସେମାନଙ୍କୁ ଭେଟି କହିଥିଲେ- ଯଦି ରାଜ୍ୟ ଫେରିବାକୁ ଚାହୁଁଥାଅ, ତା’ହେଲେ କୌରବଙ୍କ ସହ ଅବଶ୍ୟ ଯୁଦ୍ଧ କରିବାକୁ ପଡ଼ିବ। ଦୟା ଦେଖାଇ ସେମାନେ କେବେ ବି ତୁମକୁ ରାଜ୍ୟ ଫେରାଇବେ ନାହିଁ। ମୋ ବିଚାରରେ ମଧ୍ୟମ ପାଣ୍ଡବ ଅର୍ଜୁନ କଠୋର ତପସ୍ୟା ମାଧ୍ୟମରେ ଶିବଙ୍କ ଆଶୀର୍ବାଦ ଲାଭ କରିବା ଉଚିତ। ବେଦବ୍ୟାସଙ୍କ ପରାମର୍ଶ ଅନୁଯାୟୀ ଅର୍ଜୁନ କୈଳାସ ପର୍ବତ ନିକଟବର୍ତ୍ତୀ ଏକ ଜଙ୍ଗଲରେ ଘୋର ତପସ୍ୟା କଲେ। କୌରବମାନେ ଅର୍ଜୁନଙ୍କ ତପସ୍ୟା ସମ୍ପର୍କରେ ଜାଣିପାରି ପ୍ରମାଦ ଗଣିଲେ। ତପସ୍ୟାରେ ବିଘ୍ନ କରିବା ନିମନ୍ତେ ମୁକାସୁରକୁ ପ୍ରେରଣ କଲେ। ମୁକାସୁର ଭୟଙ୍କର ବାର୍ହା ରୂପ ଧାରଣ କରି ତପସ୍ଥଳରେ ପହଞ୍ଚି ଅର୍ଜୁନଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଲା। ଏହି ସମୟରେ ଜଣେ ଶିକାରୀ ସପତ୍ନୀକ କାହୁଁ ଆସି ସେହି ସ୍ଥାନରେ ପହଞ୍ଚିଥିଲେ। ଶିକାରୀ ବାର୍ହା ରୂପ ଧାରଣକାରୀ ମୁକାସୁର ଉପରକୁ ତୀର ଚାଳନା କରିିଥିଲେ। ଠିକ୍ ଏହି ସମୟରେ େଘାର ତପସ୍ୟାରେ ମଗ୍ନଥିବା ଅର୍ଜୁନ କୌଣସି ଜଙ୍ଗଲୀ ଜନ୍ତୁଙ୍କ ଉପସ୍ଥିତି ଅନୁଭବ କରିଥିଲେ। ତପସ୍ଥଳରୁ ଉଠି ଏେତ ଜୋର ତୀର ଚାଳନା କଲେ ବାର୍ହା ସେହିଠାରେ ଟଳି ପଡ଼ିଥିଲା। ହେଲେ ଶିକାରୀଙ୍କ ତୀର ଲକ୍ଷ୍ୟଭ୍ରଷ୍ଟ ହୋଇ ଅର୍ଜୁନଙ୍କ ପାଦ ପାଖରେ ପଡ଼ିଥିଲା। ଅର୍ଜୁନ ମନେ ମନେ ଭାବିଲେ ମୁଁ ମାରିଥିବା ତୀର ବାର୍ହାକୁ ମାରି ମୋ ନିକଟକୁ ଫେରି ଆସିଛି। ଏଇ ତୀର ମୋର।
କିଛିକ୍ଷଣ ପରେ ଶିକାରୀଙ୍କ ପତ୍ନୀ ଅର୍ଜୁନଙ୍କ ନିକଟକୁ ଆସି ତୀରଟି ମାଗିଥିଲା। ଅର୍ଜୁନ ତୀରଟି ତାଙ୍କର ବୋଲି କହିବାରୁ ଶିକାରୀଙ୍କ ପତ୍ନୀ କ୍ରୋଧିତ ହୋଇ କହିଥିଲେ- ତୁମେ ଚୋର। ମୋର ତୀର ନ ଫେରାଇଲେ ତୁମକୁ ମୋର ସ୍ବାମୀ ଯୁଦ୍ଧରେ ପରାସ୍ତ କରି ଉଚିତ ଶିକ୍ଷା ଦେବେ। ଶିକାରୀ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଅର୍ଜୁନ ଘନଘନ ତୀର ନିକ୍ଷେପ କରିଥିଲେ ପ୍ରତ୍ୟାକ୍ରମଣ କରି। ଧନୁର୍ଯୁଦ୍ଧ ଛାଡ଼ି ଦୁହେଁ ବାହୁଯୁଦ୍ଧ କରିଥିଲେ। ଅର୍ଜୁନ ଅନୁଭବ କଲେ ଶିକାରୀ ତାଙ୍କଠାରୁ ବଳବାନ। ଶିକାରୀ ଅର୍ଜୁନଙ୍କୁ ଧରାଶାୟୀ କରିଦେଇଥିଲେ। ଅର୍ଜୁନ ପରାଜିତ ହୋଇ ଶିବଶଙ୍କରଙ୍କୁ ସ୍ତୁତି କରିଥିଲେ। ତପସ୍ୟା ସ୍ଥଳରେ ସେ ପଡ଼ି ଗଢ଼ିଥିବା ମାଟିର ଲିଙ୍ଗକୁ ସ୍ତୁତି କରିଥିଲେ। ଅଚାନକ ଅର୍ଜୁନ ଅନୁଭବ କଲେ ସେହି ଲିଙ୍ଗ ଭିତରେ ଶକ୍ତିର ସତ୍ତା। ଆଖି ଖୋଲନ୍ତେ ଦେଖିଲେ ସ୍ବୟଂ ଶିବଶଙ୍କର ଓ ମା’ ପାର୍ବତୀ ସେଠାରେ ଦଣ୍ଡାୟମାନ। ଧରାଶାୟୀ ହୋଇଥିବା ଅର୍ଜୁନଙ୍କୁ ଉଠାଇ ଭଗବାନ ଶିବ କହିଥିଲେ- ବତ୍ସ! ଶିକାରୀ ରୂପରେ ମୁଁ ତୁମର ଶକ୍ତି ପରୀକ୍ଷା ନେବାକୁ ଚାହୁଁଥିଲି। ଯୁଦ୍ଧରେ ତୁମେ ସର୍ବଦା ବିଜୟୀ ହେବ। ଏହା କହି ଅର୍ଜୁନଙ୍କୁ ପାଶୁପତ ଅସ୍ତ୍ର ଦାନ କରି କହିଥିଲେ- ଏହା ବିଶ୍ବର ସର୍ବଶ୍ରେଷ୍ଠ ଅସ୍ତ୍ର। ତୁମେ ହିଁ କେବଳ ଏହାର ଅଧିକାରୀ ହେବାକୁ ଯୋଗ୍ୟ।



