www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ପାଦକୀୟ: ବାଲି ରାଜସ୍ବ

ଓଡ଼ିଶାର ନଦୀଗୁଡ଼ିକ କେବଳ ଜଳର ଉତ୍ସ ନୁହନ୍ତି, ସେଗୁଡ଼ିକ ରାଜ୍ୟ ଅର୍ଥନୀତିର ଜୀବନରେଖା। ମହାନଦୀ ଓ ଏହାର ଶାଖା ନଦୀମାନ, ବ୍ରାହ୍ମଣୀ, ବୈତରଣୀ, ଓ ଋଷିକୁଲ୍ୟା ଭଳି ନଦୀ ଶଯ୍ୟାରେ ମହଜୁଦ ବାଲି ଘର ଓ ଭିତ୍ତିଭୂମି ନିର୍ମାଣର ମୂଳଦୁଆ; କିନ୍ତୁ ଅନିୟନ୍ତ୍ରିତ ଖନନ ଓ ଚୋରା କାରବାର ଆଜି ଏହି ମୂଲ୍ୟବାନ ସମ୍ପଦକୁ ଏକ ସଙ୍କଟରେ ପରିଣତ କରିଛି। ସହରୀକରଣର ବର୍ଦ୍ଧିତ ଚାହିଦା ମଧ୍ୟରେ ପରିବେଶ ସୁରକ୍ଷା ଓ ଅର୍ଥନୈତିକ ସ୍ୱାର୍ଥ ଏବେ ମୁହାଁମୁହିଁ। ବାଲି ସୈରାତ ଓ ଅନ୍ୟାନ୍ୟ ଲଘୁ ଖଣିଜଗୁଡ଼ିକରୁ ରାଜ୍ୟ ସରକାର ବାର୍ଷିକ ଦଶ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ପାଇବାର ସମ୍ଭାବନା ଥିବାବେଳେ ଚିନ୍ତାଜନକ ତଥ୍ୟ ହେଉଛି ରାଜ୍ୟ ସରକାର ପୂର୍ବରୁ ଲଘୁ ଖଣିଜରୁ ସର୍ବୋଚ୍ଚ ୧୫ ଶହ କୋଟି ଟଙ୍କା ରାଜସ୍ୱ ଆଦାୟ କରିପାରିଥିଲେ, ଯାହା ଗତ ବର୍ଷ ମାତ୍ର ୬ ଶହ କୋଟିରେ ସୀମିତ ହୋଇଛି। ଏହି ବିଶାଳ ଅନ୍ତର ଦର୍ଶାଉଛି ଯେ ଠିକ୍ ପରିଚାଳନା ନହେବାରୁ ସରକାର ବ୍ୟାପକ ରାଜସ୍ୱ ହରାଉଛନ୍ତି। ବିଶେଷକରି ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦୀର୍ଘଦିନ ଧରି ଇ-ଅକ୍ସନ ପ୍ରକ୍ରିୟା ବନ୍ଦ ରହିଥିଲା। ଏହି ସମୟରେ ବାଲିର ବ୍ୟାପକ ଚୋରା କାରବାର ହୋଇଥିବାର ଅଭିଯୋଗ ହୋଇଛି, ଯାହା ରାଜସ୍ୱ ହ୍ରାସର ଏକ ପ୍ରମୁଖ କାରଣ ହୋଇପାରେ।

ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫ ମାଧ୍ୟମରେ ସରକାରଙ୍କ ନୂତନ ପଦକ୍ଷେପ- ଯଥା ଇ-ଲଟେରି ବ୍ୟବସ୍ଥା, ସର୍ବାଧିକ ବିକ୍ରୟ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରଣ, ବାଧ୍ୟତାମୂଳକ ଷ୍ଟୋରେଜ୍ ଲାଇସେନ୍ସ ଓ ଆର୍‌ଏଫ୍‌ଆଇଡି ଟ୍ରାକିଂ- ସ୍ୱାଗତଯୋଗ୍ୟ। ଏହା ବାଲିର କଳାବଜାରୀ ଓ ମୂଲ୍ୟବୃଦ୍ଧି ଉପରେ ଲଗାମ ଲଗାଇପାରେ। ତଥାପି, ବିରୋଧୀଙ୍କ ଯୁକ୍ତି ଯେ ଇ-ନିଲାମ ବଦଳରେ ଇ-ଲଟେରି ଦ୍ୱାରା ଅଯୋଗ୍ୟ ବ୍ୟକ୍ତି ଲିଜ୍ ପାଇବାର ଆଶଙ୍କା ରହିଛି, ତାହା ଉପେକ୍ଷଣୀୟ ନୁହେଁ। ଏହା ବ୍ୟତୀତ ଏମ୍‌ଏସ୍‌ପି ନିର୍ଦ୍ଧାରଣ ପ୍ରକ୍ରିୟାରେ ମଧ୍ୟ ସ୍ପଷ୍ଟତାର ଅଭାବ ରହିଛି। ଅଧିକନ୍ତୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାଲି ଉତ୍ତୋଳନ ଖର୍ଚ୍ଚ, ପରିବହନ ଖର୍ଚ୍ଚ ଓ ଚାହିଦା ଭିନ୍ନ ହୋଇଥିବାବେଳେ ସାରା ରାଜ୍ୟରେ ଏକ ସମାନ ମୂଲ୍ୟ କାର୍ଯ୍ୟକାରୀ କରିବା ବ୍ୟବହାରିକ ନୁହେଁ। ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ ଖର୍ଚ୍ଚ, ପଶ୍ଚିମାଞ୍ଚଳର ଜିଲାଗୁଡ଼ିକରେ ତାହା ସମାନ ହେବ କି? ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳି ନାହିଁ।

- Advertisement -

ସେହିପରି ଆର୍‌ଏଫ୍‌ଆଇଡି ବୁମ୍ ଲଗାଇବା ଯଥେଷ୍ଟ ନୁହେଁ ଯଦି ସେହି ଦାୟିତ୍ବରେ ଥିବା ଅଧିକାରୀ ଲାଞ୍ଚ ନେଇ ଓଭରଲୋଡ଼ିଂକୁ ଅଣଦେଖା କରନ୍ତି। ଷ୍ଟୋରେଜ୍ ଲାଇସେନ୍ସ ବ୍ୟବସ୍ଥା କଡ଼ାକଡ଼ି ଲାଗୁ ହେବା ଆବଶ୍ୟକ। ଅସଲରେ ବାଲି ମାଫିଆରାଜ ବନ୍ଦ କରିବା ପାଇଁ କେବଳ ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ନୁହେଁ-ଆବଶ୍ୟକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ନିରପେକ୍ଷ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଏବଂ ସାଧାରଣ ନାଗରିକଙ୍କ ସଚେତନତା। ସରକାରଙ୍କୁ ପ୍ରମାଣ କରିବାକୁ ହେବ ଯେ ଏହି ସଂସ୍କାରଗୁଡ଼ିକର ସୁଫଳ ରାଜ୍ୟକୁ ମିଳିବ। ଆଗାମୀ ଏକବର୍ଷରେ ରାଜସ୍ୱ ବୃଦ୍ଧି, ବେଆଇନ ଉତ୍ତୋଳନ ହ୍ରାସ ଏବଂ ପରିବେଶ ସୁରକ୍ଷା-ଏସବୁର ତଥ୍ୟ ସରକାର ସାର୍ବଜନୀନ କରିବା ଉଚିତ। ସ୍ୱଚ୍ଛତା ହିଁ ବିଶ୍ୱାସର ପ୍ରଥମ ସୋପାନ। ମନେ ରଖିବାକୁ ହେବ ପ୍ରକୃତ ଆହ୍ୱାନ କାଗଜପତ୍ରରେ ନିୟମ କରିବାରେ ନୁହେଁ, ବରଂ ତାହାର କଠୋର ଅନୁପାଳନରେ ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories