www.samajalive.in
Friday, December 5, 2025
17.1 C
Bhubaneswar

ଜଳବାୟୁ ସଂକଟ: ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଆବଶ୍ୟକ

ବ୍ରାଜିଲର ବେଲେମ୍‌ଠାରେ ଅନୁଷ୍ଠିତ ‘କପ୍-୩୦’ ଜଳବାୟୁ ସମ୍ମିଳନୀର ଫଳାଫଳ ବିଶ୍ୱସ୍ତରୀୟ କୂଟନୀତିର ଏକ ବଡ଼ ବିରୋଧାଭାସକୁ ସାମ୍ନାକୁ ଆଣିଛି। ଏହି ସମ୍ମିଳନୀରେ ଗୃହୀତ ହୋଇଥିବା ‘ଗ୍ଲୋବାଲ ମୁଟିରାଓ‘ ପ୍ୟାକେଜକୁ ଅନେକ ଦେଶ ଏକ ବଡ଼ ସଫଳତା ବୋଲି ମାନୁଛନ୍ତି। ଏଥିରେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଆର୍ଥିକ ସହାୟତା ବା ‘କ୍ଲାଇମେଟ୍ ଫାଇନାନ୍ସ’ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି, ୨୦୩୫ ସୁଦ୍ଧା ବିକାଶଶୀଳ ଦେଶଗୁଡ଼ିକ ପାଇଁ ବାର୍ଷିକ ୧.୩ ଟ୍ରିଲିୟନ ଡଲାର ପାଣ୍ଠି ଯୋଗାଡ଼ କରିବା ଏବଂ ଜଳବାୟୁ ଅନୁକୂଳ ପାଣ୍ଠିକୁ ତିନିଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ବିକଶିତ ଦେଶମାନଙ୍କ ସହଯୋଗର ଚିତ୍ରକୁ କିଛିଟା ସ୍ପଷ୍ଟ କରିଛି। ତେବେ, ଏତେ ସବୁ ଆଲୋଚନା ସତ୍ତ୍ୱେ ସମ୍ମିଳନୀଟି ଏକ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ରହିଛି- ତାହା ହେଲା ଜୀବାଶ୍ମ ଇନ୍ଧନ (ଯେପରିକି କୋଇଲା, ପେଟ୍ରୋଲ ଓ ଡିଜେଲ)ର ବ୍ୟବହାର ବନ୍ଦ କରିବା। ଜଳବାୟୁ ସଙ୍କଟର ଏହା ମୁଖ୍ୟ କାରଣ ହୋଇଥିଲେ ମଧ୍ୟ, ଏହାକୁ କିପରି ଶୀଘ୍ର ବନ୍ଦ କରାଯିବ ସେ ବିଷୟରେ କୌଣସି ଦୃଢ଼ ନିଷ୍ପତ୍ତି ନିଆଯାଇ ନାହିଁ।

ଏହି ପ୍ରସଙ୍ଗରେ କଲମ୍ବିଆ ସମେତ ଅନେକ ଦେଶ ସମାଲୋଚନା କରି କହିଛନ୍ତି ଯେ, ବାର୍ଷିକ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ପାଇଁ କେବଳ ଆର୍ଥିକ ସହାୟତା ଉପରେ ଗୁରୁତ୍ୱ ଦେବା ଏକ ଛଳନାପୂର୍ଣ୍ଣ ‘ନାଟକୀୟ କୂଟନୀତି’। ପ୍ରକୃତରେ, ପ୍ରଦୂଷଣର ମୂଳ କାରଣ ଅର୍ଥାତ୍ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଦୃଢ଼ ଭାବରେ ହ୍ରାସ ନକଲେ, ଏହି ପ୍ରୟାସ ଅସଫଳ ହେବ। ଏହା ସହିତ, ଆୟୋଜକ ଦେଶ ବ୍ରାଜିଲ୍ ଆମାଜନ ଜଙ୍ଗଲର ସୁରକ୍ଷା ଉପରେ ଜୋର ଦେଇଥିଲେ ମଧ୍ୟ ନିଜର ଆର୍ଥିକ ସ୍ୱାର୍ଥ ଯୋଗୁଁଁ ଜୀବାଶ୍ମ ଇନ୍ଧନର ବ୍ୟବହାର କମାଇବା ବିଷୟରେ ଚୁପ୍ ରହିବାକୁ ଅନେକ ଛୋଟ ଦେଶ ‘ଦ୍ୱୈତ ନୀତି’ ବା କପଟପୂର୍ଣ୍ଣ ଆଭିମୁଖ୍ୟ ବୋଲି ଦର୍ଶାଇ ନିରାଶ ହୋଇଛନ୍ତି।

- Advertisement -

ଅବଶ୍ୟ, ‘କପ୍‌-୩୦’ ଅଧ୍ୟକ୍ଷ ଦୁଇଟି ରୋଡ୍‌ମ୍ୟାପ୍ ଘୋଷଣା କରିଛନ୍ତି- ଗୋଟିଏ ଜଙ୍ଗଲ ନଷ୍ଟ ବନ୍ଦ କରିବା ପାଇଁ ଏବଂ ଅନ୍ୟଟି ‘ନ୍ୟାୟସଙ୍ଗତ ଏବଂ ସୁଶୃଙ୍ଖଳ’ ଶକ୍ତି ପରିବର୍ତ୍ତନ ପାଇଁ; କିନ୍ତୁ ଆନୁଷ୍ଠାନିକ ଚୁକ୍ତି ବାହାରେ ଏପରି ରୋଡ଼ମ୍ୟାପ ଘୋଷଣାର କିଛି ବିଶେଷ ଅର୍ଥ ନାହିଁ। ପାନାମା, ଉରୁଗୁଏ ଓ ସିଏରା ଲିଓନ୍ ଭଳି ଦେଶ ପାଇଁ ଆମାଜନ ଅଞ୍ଚଳରେ ଅନୁଷ୍ଠିତ ଏହି ସମ୍ମିଳନୀ ଜଙ୍ଗଲକୁ ପ୍ରାଥମିକତା ଦେଇ ଜୀବାଶ୍ମ ଇନ୍ଧନ ବନ୍ଦ କରିବା ବିଷୟରେ ନରମ ଆଭିମୁଖ୍ୟ ଦେଖାଇବା ଅତ୍ୟନ୍ତ ନିରାଶାଜନକ ହୋଇଯାଇଛି। ଅନ୍ୟପକ୍ଷରେ, ଭାରତ ଏହି ସମ୍ମିଳନୀରେ ଏକ ସନ୍ତୁଳିତ ଭୂମିକା ଗ୍ରହଣ କରିଛି। ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ଚୀନ ‘ବାସିକ୍’ ଗୋଷ୍ଠୀ ତରଫରୁ ଭାରତ ଯୁକ୍ତି ବାଢ଼ିଛି ଯେ, ବିକାଶଶୀଳ ଦେଶମାନଙ୍କ ପାଇଁ ଆର୍ଥିକ ସହାୟତା ମିଳିବା ଏବଂ ନିୟମ କାର୍ଯ୍ୟକାରୀ ହେବା ନିହାତି ଜରୁରୀ। ପରିଶେଷରେ, ବେଲେମ୍ ସମ୍ମିଳନୀ ଆର୍ଥିକ ଦିଗରୁ କିଛିଟା ଆଶା ଦେଖାଇଛି ସତ; କିନ୍ତୁ ପ୍ରକୃତ ସମସ୍ୟାଠାରୁ ମୁହଁ ଫେରାଇ ନେଇଛି। ଯଦି ଆଗାମୀ ଦିନରେ ଜୀବାଶ୍ମ ଇନ୍ଧନ ହ୍ରାସ କରିବାକୁ ଗୁରୁତ୍ୱ ଦିଆନଯାଏ, ତେବେ ଏହି ସବୁ ଚୁକ୍ତି କେବଳ କାଗଜପତ୍ରରେ ସୀମିତ ରହିଯିବ ଏବଂ ଜଳବାୟୁ ସଙ୍କଟ ଆହୁରି ତୀବ୍ର ହେବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories