ତାଇୱାନ ଉପକୂଳରେ ୧୨ କ୍ଷେପଣାସ୍ତ୍ର ମାଡ଼ ; ଜାପାନ ଇଇଜେଡରେ ପଡ଼ିଲା ଚୀନ କ୍ଷେପଣାସ୍ତ୍ର

ତାଇପେ/ବେଜିଂ : ତାଇୱାନ ଓ ଚୀନ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଥିବାବେଳେ ଚୀନ ପକ୍ଷରୁ ଗୁରୁବାର ମାଡ କରାଯାଇଥିବା ୧୨ଟି କ୍ଷେପଣାସ୍ତ୍ର ତାଇୱାନ ଉପକୂଳ ଜଳରାଶିରେ ପଡ଼ିଛି। ଚୀନ ତାହାର ଚାରିଦିନିଆ ଯୁଦ୍ଧାଭ୍ୟାସ ଅବସରରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଅସ୍ତ୍ରଶସ୍ତ୍ରଗୁଡିକର ବ୍ୟବହାର କରିଛି। ତାଇୱାନ ଉପରେ ସିଧା ଆକ୍ରମଣ ପୂର୍ବରୁ ଚୀନ ସମ୍ଭବତଃ ଏହାଦ୍ୱାରା ତାହାର ସାମରିକ ଦକ୍ଷତାକୁ ପରଖିବା ଏବଂ ଆନ୍ତର୍ଜାତିକ ପ୍ରତିକ୍ରିୟା ଜାଣିବାକୁ ପ୍ରୟାସ କରୁଥିବା ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଚୀନର ଏହି ସମରାଭ୍ୟାସ ସମୟରେ ନିକ୍ଷେପ କରାଯାଇଥିବା ୯ଟି ବାଲିଷ୍ଟିକ କ୍ଷେପଣାସ୍ତ୍ରଗୁଡିକ ମଧ୍ୟରୁ ପାଞ୍ଚଟି କ୍ଷେପଣାସ୍ତ୍ର ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‍ (ଇଇଜେଡ)ରେ ପଡ଼ିଛି। ଜାପାନର ଏହି ଇଇଜେଡ ଜାପାନ ଉପକୂଳରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ତାଇୱାନର ଅତି ନିକଟରେ ଅବସ୍ଥିତ। ଏହି ଘଟଣାକୁ ଟୋକିଓ ପକ୍ଷରୁ ଦୃଢ ବିରୋଧ କରାଯାଇଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି, ଚୀନର ଏଭଳି କାର୍ଯ୍ୟ ଜାପାନର ଜାତୀୟ ନିରାପତ୍ତା ଏବଂ ଏହାର ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତର ସମସ୍ୟା ସୃଷ୍ଟି କରିଛି।
ଚୀନ କହିଛି ଯେ ଏହା ତାଇୱାନ ନିକଟରେ କ୍ଷେପଣାସ୍ତ୍ର ମାଡ କରିଛି। ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କର ତାଇୱାନ ଗସ୍ତକୁ ବିରୋଧ କରି ଚୀନ ପକ୍ଷରୁ ତାଇୱାନ ପ୍ରଣାଳୀରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ କ୍ଷେପଣାସ୍ତ୍ର ମାଡ କରାଯାଇଥିବା କୁହାଯାଇଛି। ଚୀନ ପକ୍ଷରୁ ଚାଲିଥିବା ଯୁଦ୍ଧାଭ୍ୟାସ ଉକ୍ତ ଅଞ୍ଚଳରେ ସାଂଘାତିକ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି, ଯାହା କେତେ ଦଶନ୍ଧି ମଧ୍ୟରେ ଶୀର୍ଷ ସ୍ତରରେ ପହଞ୍ଚିଛି। ଇତିମଧ୍ୟରେ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଉପକୂଳ ଜଳରାଶିକୁ ଲକ୍ଷ୍ୟକରି ଚୀନ ନୌବାହିନୀ ପକ୍ଷରୁ ୧୧ଟି ଡଙ୍ଗଫେଙ୍ଗ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ସ୍ୱୀକାର କରାଯାଇଛି। ଶେଷଥର ପାଇଁ ୧୯୯୬ରେ ଚୀନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଚୀନ ଜଳ ଏବଂ ଆକାଶ ମାର୍ଗରେ ସାମରିକ ଅଭ୍ୟାସ ଜାତିସଂଘ ନିୟମର ଉଲ୍ଲଂଘନ କରୁଥିବା ତାଇୱାନ କହିଛି। ଚୀନର ଏଭଳି କାର୍ଯ୍ୟ ଦ୍ୱାରା ତାଇୱାନ ପ୍ରଣାଳୀରେ ଜାହାଜ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ଅନ୍ୟପକ୍ଷରେ ତାଇୱାନ ଚୀନ ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ଥିବା କହିଛି। ଏଥିସହିତ ଏହା ନିଜର ଆକାଶମାର୍ଗକୁ ସମସ୍ତ ବିମାନ ଚଳାଚଳ ନିମନ୍ତେ ବନ୍ଦ କରିଦେଇଛି। ତାଇୱାନ ପକ୍ଷରୁ କୁହାଯାଇଛି ଯେ ଏହା ଚୀନ ସହିତ ଯୁଦ୍ଧ ଚାହେଁ ନାହିଁ। କିନ୍ତୁ ତାହାର ସାର୍ବଭୌମତ୍ୱ ପ୍ରତି ଆଞ୍ଚ ଆସିଲେ ଏହା କଡା ଜବାବ ଦେବ। ଶତ୍ରୁତା ଚରମ ସୀମାରେ ପହଞ୍ଚିଥିବାବେଳେ ଚୀନର ବହିଃଶୁଳ୍କ ବିଭାଗ ତାଇୱାନରୁ ବିଭିନ୍ନ ସାମଗ୍ରୀ ଆମଦାନୀ ସ୍ଥଗିତ ରଖିଛି। ତାହାସହିତ ନିଜ ଦେଶରୁ ତାଇୱାନକୁ ରପ୍ତାନିକୁ ମଧ୍ୟ ଏହା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକୁ ନିଜର ଲଢୁଆ ବିମାନ ପଠାଇବା ସହିତ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛି। ଇତିମଧ୍ୟରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଏବଂ ଆମେରିକା ଆଦି ଜି୭ ରାଷ୍ଟ୍ରସମୂହର ବୈଦେଶିକ ମନ୍ତ୍ରୀଗଣ ଏବଂ ୟୁରୋପୀୟ ୟୁନିୟନ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇ ତାଇୱାନ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚୀନକୁ ଅନୁରୋଧ କରାଯାଇଛି। ଫିନଲାଣ୍ଡ ଓ ସ୍ୱିଡେନର ନାଟୋ ସଦସ୍ୟତାକୁ ଆମେରିକା ସିନେଟ୍‍ର ଅନୁମୋଦନ ମିଳିଛି ।

kalyan agarbati

Comments are closed.