ଆମେରିକା ଓ ଭାରତ ପାଇଁ ଚିନ୍ତାର କାରଣ ଚୀନ କ୍ଷେପଣାସ୍ତ୍ର !

0

ନୂଆଦିଲ୍ଲୀ : ପ୍ରାୟ ୩ ଦଶନ୍ଧି ଧରି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଆକାଶରେ ରାଜୁତି କରୁଛନ୍ତି । ଅକାଶରେ ସେମାନଙ୍କ ଯୁଦ୍ଧ କୌଶଳ ଆଗରେ କେହି ତିଷ୍ଟି ପାରନ୍ତିନି । ମାତ୍ର ଏବେ ଆମେରିକାକୁ ଟକ୍କର ଦେବା ଭଳି କ୍ଷମତା ହାସଲ କରିଛି ଚୀନ । ଚୀନର ଏରୋସ୍ପେସ ଇଣ୍ଟଷ୍ଟ୍ରି ଜ୍ଞାନକୌଶଳରେ ଦ୍ରୁତଗତିରେ ବିକାଶ କରିଛି । ବିଶେଷ କରି ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଉଥିବା ପ୍ରାଣଘାତୀ ଆକାଶରୁ ଆକାଶ କ୍ଷେପଣାସ୍ତ୍ର ସିଷ୍ଟମରେ ଚୀନ ଆଧିପତ୍ୟ ବିସ୍ତାର କରିଛି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ପଶ୍ଚିମ ଦେଶର ବାୟୁ ସେନା ଏବଂ ବିଶ୍ୱର ଅସ୍ତ୍ର ବ୍ୟବସାୟର ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି । ଚୀନର ସାମରିକ ଶକ୍ତି ବୃଦ୍ଧି ପଡୋଶୀ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି । ୧୩ ଟ୍ରିଲିୟନ (୧୩ ଲକ୍ଷ କୋଟି ଡଲାର) ଅର୍ଥବ୍ୟବସ୍ଥା ବିଶିଷ୍ଟ ଚୀନ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିବର୍ଷ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛି । ଚୀନ ଏବେ ଆମେରିକା ଓ ତାର ସହଯୋଗୀ ଦେଶଙ୍କ ପାଇଁ ଆହ୍ୱାନ ହୋଇ ଛିଡା ହୋଇଛି । ଷ୍ଟକ୍‌ହାମ୍‌ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ସିପ୍ରି)ର ରିପୋର୍ଟ ଅନୁସାରେ ୨୦୧୭ରେ ଚୀନର ପ୍ରତିରକ୍ଷା ଖର୍ଚ୍ଚ ଆମେରିକା ଡଲାରରେ ୫.୬% ବୃଦ୍ଧି ପାଇଛି । ଏପଟେ ରୁଷର ପ୍ରତିରକ୍ଷା ଖର୍ଚ୍ଚ ୨୦% ହ୍ରାସ ପାଇଛି । ସିପ୍ରି ଅନୁସାରେ ୨୦୧୭ରେ ଚୀନ ୨୨୮ ଶହ କୋଟି ଡଲାର ଏବଂ ରୁଷ ୬୬.୩ କୋଟି ଡଲାର ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରିଛନ୍ତି । ଆମେରିକା ସହ ବିବାଦ ବୃଦ୍ଧି ପରେ ଚୀନ ନିଜର ସାମରିକ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଉଲ୍ଲେଖ ଯେ ଆକାଶରୁ ଆକାଶ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ରର ମୂଲ୍ୟ ମାତ୍ର ୧ରୁ ୨ ନିୟୁତ ଡଲାର। ହେଲେ ଏହି କ୍ଷପଣାସ୍ତ୍ର ୧୫୦ ନିୟୁତ ଡଲାରର ଯୁଦ୍ଧ ବିମାନକୁ ନଷ୍ଟ କରିବାର କ୍ଷମତା ରଖିଛି । ଆମେରିକାର ମୁକାବିଲା କରିବା ପାଇଁ ଚୀନ ଏଭଳି କ୍ଷେପଣାସ୍ତ୍ର ବିକାଶର ଆବଶ୍ୟକତାକୁ ଅନୁଭବ କରିଥିଲା । ଆମେରିକା ନିକଟରେ ୧୬୦ କିଲୋମିଟର ଦୂର ଲକ୍ଷ୍ୟ ଭେଦ କରୁଥିବା ଆକାଶରୁ ଆକାଶ କ୍ଷେପଣାସ୍ତ୍ର ରହିଛି । ଏପଟେ ଚୀନର ପିଏଲ୍‌-୧୫ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ଲକ୍ଷ୍ୟ ଭେଦ କରିପାରିବ ବୋଲି କୁହାଯାଉଛି । ଚୀନର ଏପରି କ୍ଷେପଣାସ୍ତ୍ର ଆମେରିକା ପାଇଁ ଚିନ୍ତାର ବିଷୟ ହୋଇଛି । ଚୀନର ପ୍ରତିରକ୍ଷା ବଜେଟ ରୁଷ ଏବଂ ଭାରତଠାରୁ ୩ ଗୁଣ ଅଧିକ ରହିଛି । ତେବେ ଆମେରିକାର ପ୍ରତିରକ୍ଷା ବଜେଟ ୬୧୦ ଶହ କୋଟି ତୁଳନାରେ ଚୀନର ପ୍ରତିରକ୍ଷା ବଜେଟ ବହୁତ୍‌ କମ । କିନ୍ତୁ ଚୀନର ଶକ୍ତି ବୃଦ୍ଧି ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। କାରଣ ଚୀନ ଏବେ ଭାରତର ଶତ୍ରୁ ଦେଶ ପାକିସ୍ତାନ ସହ ମିଶି ଜେଏଫ୍‌-୧୭ ଯୁଦ୍ଧ ବିମାନ ବିକାଶ କରିଛି । ଏହି ଯୁଦ୍ଧ ବିମାନରେ ରୁଷର ଇଞ୍ଜିନ ବ୍ୟବହାର ହେଉଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଏହି ଯୁଦ୍ଧ ବିମାନ ବହୁ ଦୂରରୁ ଶତ୍ରୁର ଗତିବିଧିକୁ ଦେଖି ଆକ୍ରମଣ କରିବାର କ୍ଷମତା ରଖିଛି । ପାକିସ୍ତାନର ଯୁଦ୍ଧ ବିମାନରେ ଚୀନର ପିଏଲ-୧୦ କ୍ଷେପଣାସ୍ତ୍ର ଖଞ୍ଜା ଗଲେ ଭାରତର ମିଗ୍‌ ଯୁଦ୍ଧ ବିମାନ ତାକୁ ସାମ୍ନା କରିପାରିବେ ନାହିଁ ।

Leave A Reply