ନେପାଳକୁ ଭାରତଠୁ ଦୂରେଇବା ପାଇଁ ଚୀନର ଯୋଜନା

0

ନୂଆଦିଲ୍ଲୀ : ଏସିଆର ସବୁଠୁ ବଡ଼ ଶକ୍ତି ହେବା ପାଇଁ ପ୍ରୟାସ କରୁଥିବା ଚୀନ ଏବେ ଭାରତର ଆଖପାଖ ଏବଂ ପଡୋଶୀ ଦେଶଙ୍କୁ ନିଜ ଜାଲରେ ଫସାଇବାରେ ଲାଗିଛି। ଭାରତ ସଂଲଗ୍ନ ଦେଶଗୁଡ଼ିକୁ ଚୀନ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା ଚଳାଇଛି। ଏହି କ୍ରମରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ୱୀପ ପରେ ଏବେ ଚୀନର ଲୋଲୁପ ଦୃଷ୍ଟି ନେପାଳ ଉପରେ ପଡିଛି। ନେପାଳକୁ ପ୍ରଲୋଭିତ କରି ନିଜ ପଟକୁ ନେବା ପାଇଁ ଚୀନ ବଡ଼ ପଦକ୍ଷେପ ନେଇଛି। ଚୀନ ନିଜର ୪ଟି ବନ୍ଦର ନେପାଳ ପାଇଁ ଖୋଲି ଦେଇଛି। ଏନେଇ କାଠମାଣ୍ଡୁରେ ଚୀନ ଏବଂ ନେପାଳ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଅର୍ଥାତ ନେପାଳ ବ୍ୟାପାର ପାଇଁ ଚୀନର ବନ୍ଦରକୁ ବ୍ୟବହାର କରିପାରିବ।
ଉଲ୍ଲେଖଯୋଗ୍ୟ ଯେ ନେପାଳର ସର୍ବାଧିକ ବ୍ୟାପାର ସମ୍ପର୍କ ଭାରତ ସହ ରହିଛି। କିନ୍ତୁ ୨୦୧୬ରେ ନେପାଳର ମଧେସି ଆନ୍ଦୋଳନ ପରଠାରୁ ଭାରତ ସହ ତାର ସମ୍ପର୍କ ବିଗିଡ଼ି ଯାଇଛି। ଫଳରେ ୨୦୧୬ରେ ନେପାଳ ସରକାର ଚୀନ ସହ ସମ୍ପର୍କ ଅଧିକ ମଜଭୁତ କରିବାକୁ ଚେଷ୍ଟା କରିଥିଲା। ଫଳସ୍ୱରୁପ ଶୁକ୍ରବାର ଚୀନ ନିଜର ୪ଟି ବନ୍ଦର ଏବଂ ୩ଟି ଭୂଭାଗ ବନ୍ଦର ବ୍ୟବହାର କରିବାକୁ ନେପାଳକୁ ଅନୁମତି ପ୍ରାଦନ କରିଛି। ଏହାଦ୍ୱାରା ବ୍ୟାପାର ପାଇଁ ନେପାଳ ଆଉ ଭାରତ ଉପରେ ନିର୍ଭରଶୀଳ ରହିବ ନାହିଁ। ନେପାଳ ସିଧାସଳଖ ଅନ୍ୟ ଦେଶ ସହ ବ୍ୟାପାର କରିପାରିବ। ଚୀନ ଏବଂ ନେପାଳ ମଧ୍ୟରେ ସ୍ୱାକ୍ଷରିତ ଏହି ରାଜିନାମାକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଚୀନ ନିଜର ସେନଝେନ, ଲିୟାନୟୁଗାଂଗ, ଝେଜିୟାଂଗ ଏବଂ ଟାଇନଜିନ୍‍ ବନ୍ଦର ବ୍ୟବହାର କରିବାକୁ ନେପାଳକୁ ଅନୁମତି ଦେଇଛି। ଟାଇନଜିନ୍‍ ନେପାଳର ସବୁଠୁ ପାଖରେ ରହିଛି। ନେପାଳ ଉପରୁ ଭାରତର ପାଦୁର୍ଭାବ ନଷ୍ଟ କରିବା ପାଇଁ ଚୀନ ଏହି ଚାଲ ଖେଳିଛି। ଭାରତର ଗୋଟିଏ ପରେ ଗୋଟିଏ ପଡୋଶୀ ଦେଶକୁ ଚୀନ ଫସାଇବାରେ ଲାଗିଛି।

Leave A Reply