ନାଟକ ରଚିଥିଲା ବାପା-ରାଜଧାନୀରୁ ଅପହୃତ ଶିଶୁପୁତ୍ର କଟକରୁ ଉଦ୍ଧାର

ଉତ୍ତରଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅର୍ନ୍ତଗତ ପଟିଆ ରେଳ ଷ୍ଟେସନ ଅଞ୍ଚଳରୁ ମଙ୍ଗଳବାର ଅପରାହ୍ଣରେ ୧୧ ମାସର ଶିଶୁପୁତ୍ରକୁ ବାପା କୋଳରୁ ଅପହରଣ ଘଟଣାର କମିସନରେଟ ପୁଲିସ ପର୍ଦାଫାସ୍‌ କରିଛି। ଅପହୃତ ଶିଶୁକୁ ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ୪ ଅପହର୍ତ୍ତାଙ୍କୁ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତ କଟକ ମଧୁପାଟଣାରେ ରହୁଥିବା ଢେଙ୍କାନାଳ ଭୁବନ ଅଞ୍ଚଳର ବିଷ୍ଣୁଚରଣ ପୃଷ୍ଟି, ସୁବ୍ରତ ସେଠୀ ଓରଫ ଚୁକୁ, ବୁଢ଼ା ଓରଫ ସରୋଜ କୁମାର ମହାନ୍ତି ଓ ବ୍ରଜକିଶୋର ନାଥ। ଏନେଇ ପୁଲିସ ଉପାୟୁକ୍ତ ପ୍ରତୀକ ସିଂହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

prayash

ଶ୍ରୀ ସିଂହ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ଣରେ ପଟିଆ ଇଞ୍ଜଣା ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଏକ ଦମ୍ପତିଙ୍କ ୧୧ ମାସର ଶିଶୁପୁତ୍ରକୁ ତା’ର ବାପା ଧରିଥିଲା। ଏହି ସମୟରେ ୨/୩ଜଣ ବ୍ୟକ୍ତି ଏକ ଧଳା ରଙ୍ଗର କାର୍‌ରେ ଆସି ପଟିଆ ଷ୍ଟେସନ ପାଖରୁ ବାପାକୁ ଧକ୍କା ମାରି ଶିଶୁଟିକୁ ଧରି ଫେରାର ହୋଇଯାଇଥିଲେ। ଏନେଇ ଶିଶୁପୁତ୍ରର ମା’ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ରାତିରେ କଟକ ମଧୁପାଟଣା ଥାନା ଅଞ୍ଚଳର ଏକ ଘରୁ ଶିଶୁକୁ ଉଦ୍ଧାର କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସୂଚନା ଅନୁସାରେ, ଅପହୃତ ଶିଶୁର ମା’ ସୁବ୍ରତ ସେଠୀ ନାମକ ଜଣେ ବ୍ୟକ୍ତିକୁ ୨ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ସେମାନେ ଢେଙ୍କାନାଳ ମାର୍ଥାପୁର ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଜଧାନୀର ଏକ ହୋଟେଲରେ କାର୍ଯ୍ୟ କରୁଛନ୍ତି। ଦ୍ୱିତୀୟ ବିବାହ ପୂର୍ବରୁ ଉକ୍ତ ମହିଳା ଅନ୍ୟଜଣେ ବ୍ୟକ୍ତି ବିଷ୍ଣୁଚରଣ ପୃଷ୍ଟିକୁ ୧୦ବର୍ଷ ତଳେ କଟକ ଖପୁରିଆ ଅଞ୍ଚଳରେ ବିବାହ କରି ଏକ ସରକାରୀ ସ’ ମିଲ୍‌ରେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ହେବାରୁ ମହିଳା ଜଣକ ବିଷ୍ଣୁକୁ ଛାଡ଼ି ସୁବ୍ରତକୁ ଦ୍ୱିତୀୟ ବିବାହ କରିଥିଲେ। ଉଭୟଙ୍କର ୧୧ମାସର ଏକ ପୁତ୍ର ସନ୍ତାନ ଥିଲା। ୨ମାସ ତଳୁ ସୁବ୍ରତ ଓ ଉକ୍ତ ମହିଳାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ସହିତ ସୁବ୍ରତ ରହିବା ପାଇଁ ଚାହୁଁ ନଥିଲା। ସେ ପୂର୍ବ ସ୍ୱାମୀ ପାଖକୁ ଫେରିଯିବା ପାଇଁ ସୁବ୍ରତ ଚାହୁଁଥିଲା। ପୂର୍ବ ସ୍ୱାମୀ ବିଷ୍ଣୁଚରଣ ମଧ୍ୟ ଚାହୁଁଥିଲା ପତ୍ନୀ ପୁନର୍ବାର ଫେରିଆସୁ। ସୁବ୍ରତ ମହିଳାଙ୍କ ପୂର୍ବ ସ୍ୱାମୀ ବିଷ୍ଣୁକୁ ଫୋନ୍‌ କରି ଏ ଦିଗରେ କଥା ହୋଇଥିଲା।

୧୧ ମାସର ପୁଅ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ମହିଳାଙ୍କ ପ୍ରଥମ ଓ ଦ୍ୱିତୀୟ ସ୍ୱାମୀଙ୍କ ଘର ଗୋଟିଏ ଥାନା ଅଞ୍ଚଳରେ ହୋଇଥିବାରୁ ସେମାନେ କିଛି ଦିନ ହେଲା ଫୋନ୍‌ରେ କଥାବାର୍ତ୍ତା ହୋଇ ଏପରି ଯୋଜନା କରିଥିଲେ। ଯୋଜନା ଅନୁସାରେ ପ୍ରଥମ ସ୍ୱାମୀର ୨ଜଣ ସହଯୋଗୀ ସରୋଜ ଓ ବ୍ରଜକିଶୋର ମିଶି ଏକ କାର୍‌ରେ ଆସି ସୁବ୍ରତଠାରୁ ଶିଶୁକୁ ଅପହରଣ କରି ନେଇଥିଲେ। ଏ ସଂକ୍ରାନ୍ତରେ ମହିଳା ଜାଣିନଥିବା ବେଳେ ପୁଅ କୁଆଡ଼େ ଗଲା ସୁବ୍ରତକୁ ପଚାରିଲା ପରେ ସେ କୌଣସି ଉତ୍ତର ଦେଇନଥିଲା। ଯାହାଫଳରେ ଶିଶୁର ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ସୁବ୍ରତକୁ ଉଠାଇ ଆଣି ପଚରାଉଚରା କରିଥିଲା। ତଥ୍ୟ ପାଇବା ପରେ ତାକୁ ସାଙ୍ଗରେ ନେଇ ପୁଲିସର ସ୍ୱତନ୍ତ୍ର ଦଳ କଟକରେ ପହଞ୍ଚି ରାତିରେ ଶିଶୁକୁ ଉଦ୍ଧାର କରିଥିଲା। ମହିଳାଙ୍କ ପ୍ରଥମ ସ୍ୱାମୀ ସହ ମିଶି ଏଭଳି ଯୋଜନା କରିଥିବା ସୁବ୍ରତ ସ୍ୱୀକାର କରିଥିଲା। ପୁଲିସ ଏହି ଯୋଜନାରେ ସାମିଲ ମହିଳାଙ୍କ ୨ ସ୍ୱାମୀଙ୍କ ସହିତ ଜଣେ ମଧ୍ୟସ୍ଥି ଓ ଅନ୍ୟଜଣଙ୍କୁ ଗିରଫ କରିଛି।

Comments are closed.